ମାଲକାନଗିରି: ଗଣତନ୍ତ୍ରକୁ ବିରୋଧ କଲେ। ଭୋଟ ଦେଲେ ଆଙ୍ଗୁଠି କାଟିବୁ, ଏମିତି ଫତୁଆ ଜାରି କଲେ ନକ୍ସଲ। ଆତଙ୍କର ଏମିତି ବାତାବରଣ ସୃଷ୍ଟି କଲେ, ହୋଇପାରିଲା ନାହିଁ ପଞ୍ଚାୟତ ନିର୍ବାଚନ। ତେଣୁ ୫ବର୍ଷ ଧରି ସ୍ବାଭିମାନ ଅଞ୍ଚଳର ବିକାଶ ନିଷ୍ପତ୍ତି ନେଲେ ପ୍ରଶାସନିକ ଅଧିକାରୀ। ଗଣତନ୍ତ୍ରଠାରୁ ଲୋକେ ଏକପ୍ରକାର ଦୂରେଇ ଯାଇଥିଲେ। ପ୍ରତି କଥାରେ ସରକାରୀ କର୍ମଚାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଅନ୍ୟପଟେ ନକ୍ସଲଙ୍କ ଦ୍ବାହି ଦେଇ କାଁଭାଁ ସ୍ବାଭିମାନ ଅଞ୍ଚଳକୁ ଯାଇ ସରକାରୀ କର୍ମଚାରୀ ବୁଲି ଆସୁଥିଲେ। ଯାହା କି ସ୍ବାଭିମାନ ଅଞ୍ଚଳର ଲୋକଙ୍କ ଜୀବନକୁ ଦୁର୍ବିଷହ କରି ଦେଇଥିଲା।
ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ପତିଆରା ଆଉ ପୂର୍ବଭଳି ରହିନାହିଁ। ତେଣୁ ଏହି ଅପହଞ୍ଚ ତଥା ଅନୁନ୍ନତ ଅଞ୍ଚଳରେ ଆଗାମୀ ପଞ୍ଚାୟତ ନିର୍ବାଚନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରକ୍ରିୟା ବି ଜାରି ରହିଛି। ଯଦି ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ରହିବ ତେବେ ୧୦ବର୍ଷ ପରେ ପଞ୍ଚାୟତ ନିର୍ବାଚନରେ ଭାଗ ନେବେ ସ୍ବାଭିମାନ ଅଞ୍ଚଳର ଭୋଟର। ନିଜ ସମସ୍ୟା ଜଣାଇବା ପାଇଁ ୫ବର୍ଷ ପରେ ନିଜ ପସନ୍ଦର ପଞ୍ଚାୟତସ୍ତରୀୟ ପ୍ରତିନିଧି ବାଛିବେ। ସରକାର ସଦ୍ୟ ପ୍ରକାଶ କରିଥିବା ତାଲିକା ଅନୁସାରେ ସ୍ବାଭିମାନ ଅଞ୍ଚଳର ମଙ୍ଗ ଧରିବେ ମହିଳା। କାରଣ ମହିଳାଙ୍କୁ ଅଗ୍ରାଧିକାର ଦେଇ ୫୦ପ୍ରତିଶତ ସରପଞ୍ଚ ଓ ସମିତି ସଭ୍ୟ ଆସନ ମହିଳାଙ୍କ ନିମନ୍ତେ ସଂରକ୍ଷିତ କରାଯାଇଛି। ସେହିପରି ଜିଲ୍ଲା ପରିଷଦ ଆସନ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ମଧ୍ୟ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଛି। ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟା ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରବଳ ମାତ୍ରାରେ ବଢ଼ିଛି। ଏପରିକି କିଏ ପ୍ରାର୍ଥୀ ହେବ, ପ୍ରାର୍ଥୀ ଚୟନର ମାପଦଣ୍ଡ ଏବଂ ଯୋଗ୍ୟତା କ’ଣ ରହିବ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି।
ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସାରିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ନକ୍ସଲଙ୍କ ଦ୍ବାରା ଅନେକ ବିସ୍ଥାପିତ ପରିବାର ସର୍ବସ୍ବ ହରାଇଛନ୍ତି। ତଥାପି ଭାଗ୍ୟକୁ ଆଦରି କେବଳ ବଞ୍ଚି ରହିବାକୁ ଅହରହ ସଂଘର୍ଷ କରିଛନ୍ତି। ଗୁରୁପ୍ରିୟା ସେତୁ ଏହି ଅଞ୍ଚଳକୁ ସଂଯୋଗ କରିବା ପରେ ବାହାର ଦୁନିଆ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ। ପୁଲିସ ଥାନା ଏବଂ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ନିର୍ଭୟରେ ଜୀବନ ବିତାଉଛନ୍ତି। ବିକାଶ ଧୀରେ ଧୀରେ ପହଞ୍ଚୁ ଥିବାରୁ ଆଗାମୀ ପିଢ଼ି ପାଇଁ ସୁନେଲି ଭବିଷ୍ୟତ ଦେଖିବା ଆରମ୍ଭ କଲେଣି। ଜୀବିକାର ନୂଆ ପନ୍ଥା ପାଇବା ସହ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି। ସ୍ବଳ୍ପ ସମୟ ମଧ୍ୟରେ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବା ପରେ ବିକାଶକୁ ତ୍ବରାନ୍ବିତ କରିବାକୁ ଏବେ ପଞ୍ଚାୟତ ସ୍ତରୀୟ ଲୋକପ୍ରତିନିଧିଙ୍କ ଆବଶ୍ୟକତା ରହିଛି। ଯାହାକି ଆଉ କିଛି ମାସ ମଧ୍ୟରେ ପୂରଣ ହେବାକୁ ଯାଉଛି। ତେଣୁ ପ୍ରଶାସନ ଏଥର କିଭଳି ନିର୍ବାଚନ ହେବ ସେଥିପାଇଁ ସମସ୍ତ ପୂର୍ବ ପ୍ରସ୍ତୁତି କରୁଛି। ସ୍ବାଭିମାନ ଅଂଚଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଏବଂ ଲୋକମାନେ କିପରି ଅଧିକରୁ ଅଧିକ ସାମିଲ ହେବେ ତାହାକୁ ପ୍ରଶାସନ ଗୁରୁତ୍ବ ଦେଇଥିବା ଜଣାପଡ଼ିଛି।
ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ଏବେ ଲୋକ ବେଶ୍ ଆଶାବାଦୀ ରହିଛନ୍ତି। ଘର ଚାରି କାନ୍ଥ ଭିତରେ ଆବଦ୍ଧ ଜୀବନ ବଞ୍ଚୁଥିବା ମହିଳାମାନେ ବି ଘରୁ ଗୋଡ଼ କାଢ଼ିବା ସହ କିଭଳି ନିଜ ନେତା ବାଛିବେ ସେ ନେଇ ଆଲୋଚନା ଆରମ୍ଭ କଲେଣି। ଅନ୍ୟପଟେ ଯନ୍ତ୍ରୀ, ଧୂଳିପୁଟ, ଅଣ୍ଡ୍ରାପାଲୀ ଭଲି ପଞ୍ଚାୟତରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହୋଇପାରିନାହିଁ। ତେଣୁ ଲାଲ ବାହିନୀର ସାମାନ୍ୟ ଚଳପ୍ରଚଳ ରହିଛି। ତେଣୁ ଏହି ପଞ୍ଚାୟତ ଗୁଡିକ ଉପରେ ସମସ୍ତଙ୍କ ନଜର ରହିଛି। ପୁଲିସ ବି ଏହି ଅଂଚଳରେ ଏଥର ନିର୍ବାଚନ କରାଇବା ପାଇଁ ପୂରା ଜୋର ଲଗାଇ ଦେବ ବୋଲି ଜଣାପଡ଼ିଛି। ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ସ୍ବାଭିମାନ ଅଞ୍ଚଳରେ ଚାଲିଥିଲେ ସୁଦ୍ଧା ନକ୍ସଲ ସଂପୂର୍ଣ୍ଣ ଚୁପ୍ ରହିଛନ୍ତି। ହୁଏତ ଆଗକୁ ପତିଆରା ଜାହିର କରିବାକୁ କିଛି ଗୋଟିଏ ଘୋଷଣା କରିପାରନ୍ତି। କିନ୍ତୁ ତାହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବ ନାହିଁ। ଲୋକେ ନିଶ୍ଚିତ ରୂପେ ନିର୍ଭୟରେ ଭୋଟ ଦେବେ ବୋଲି ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/vote.jpg)