ପ୍ୟାନ୍ କି କବାଟ ନାହିଁ, ଖତ ଖାଉଛି କୋଡ଼ିଏ ହଜାର ଟଙ୍କିଆ ପାଇଖାନା

ଲେଫ୍ରିପଡ଼ା : ଲୋକଙ୍କ ନିକଟରେ ଏବେ ବି ପାଇଖାନା ନାହିଁ। ମୋଦି ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କାର ଅନୁଦାନ ଆସିଛି ସତ, ହେଲେ ସେଥିରୁ ସିଂହଭାଗ ବାଟମାରଣା ହୋଇଛି। କେଉଁଠି ପାଇଖାନା ନିର୍ମାଣ ନ ହୋଇ ଟଙ୍କା ହଡ଼ପ ହୋଇଛି ତ ପୁଣି କେଉଁଠି ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ପାଇଖାନା ଭୁଶୁଡ଼ି ଗଲାଣି। ଆଉ ଲୋକେ ବାହାରେ ଶୌଚହେବାକୁ ବାଧ୍ୟ ହେଉଛନ୍ତି। ହେଲେ ଆମ ପ୍ରଶାସନ ଏହି ଦୁର୍ନୀତି ଓ ଅନିୟମିତତାକୁ ଫଳକ ମାଧ୍ୟମରେ ଲୁଚାଇବାକୁ ଆରମ୍ଭ କରିଛି। ଲୋକେ ପାଇଖାନାରେ ମଳତ୍ୟାଗ କରନ୍ତୁ କି ବାହାରେ ସେ ବିଷୟ ଦୂରେ ଥାଉ, କିନ୍ତୁ ସବୁ ଗାଁ ବହ୍ୟ ମଳମୁକ୍ତ ଗାଁ ହିସାବରେ କାଗଜପତ୍ରରେ ଟିପ୍‌ଟପ୍ ରହୁ। ଏଣୁ ଏବେ ପ୍ରଶାସନ ସ୍ୱଚ୍ଛ ଭାରତ ଅଭିଯାନ ପରିବର୍ତ୍ତେ ‘ବାହ୍ୟ ମଳମୁକ୍ତ ଗାଁ’ ସାଇନ୍ ବୋର୍ଡ଼ ମାରି ଖାଲି ବାହାବା ନେଉଛନ୍ତି।

ଲେଫ୍ରିପଡ଼ା ବ୍ଲକ୍‌ର ଅଳାପକା ଗ୍ରାମରେ ପାଇଖାନା ନିର୍ମାଣ କରା ନ ଯାଇ ବିଭାଗୀୟ ଅଧିକାରୀ ଓ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏକ ବଡ଼ଧରଣର ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇଥିଲା। ସେହିଭଳି ବ୍ଲକ୍‌ରେ ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷରେ ଅନେକ ପଞ୍ଚାୟତରେ ପାଇଖାନା ନିର୍ମାଣ ନାମରେ ବିପୁଳ ପରିମାଣର ଅର୍ଥ ହେର୍‌ଫେର୍ କରାଯାଇଥିବା ଅଭିଯୋଗ ହୋଇଛି। ସାହାଜବାହାଲ ଗ୍ରାମରେ ମଧ୍ୟ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ସଂପର୍କରେ ଗ୍ରାମବାସୀ ଜିଲ୍ଳାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାଛଡ଼ା ଦର୍ଲିପାଲି ଏବଂ ରାଏଡ଼ିହି ପଞ୍ଚାୟତରେ ସରକାରୀ ଅନୁଦାନ ୧୨ ହଜାର ଏବଂ ଏନ୍‌ଟିପିସି ଅନୁଦାନ ୮ ହଜାର ଏହିପରି ମୋଟ ୨୦ ହଜାର ଟଙ୍କା ବ୍ୟୟ ଅଟକଳରେ ପାଇଖାନା ନିର୍ମାଣ ହୋଇଥିବା ବେଳେ ଏସବୁ ଠିକାଦାରିରେ ଚାଲିବା ଏବଂ କନିଷ୍ଠଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟରେ ନିମ୍ନମାନର ପାଇଖାନା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।

ତେବେ ଅଧିକାଂଶ ପାଇଖାନା ନିର୍ମାଣର ବର୍ଷେ ନ ଯାଉଣୁ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ଅଧିକାଂଶରେ ନା ପ୍ୟାନ୍ ଅଛି ନା କବାଟ ଲାଗିଛି। ଫଳରେ ଲୋକେ ଏହାକୁ ଶୌଚ ପାଇଁ ବ୍ୟବହାର କରି ପାରୁ ନ ଥିବା ବେଳେ ସେଥିରେ କାଠକୁଟା ଆଦି ରଖୁଛନ୍ତି। ଉଲ୍ଲେଖ ଥାଉକି, ଦର୍ଲିପାଲି ଏବଂ ରାଏଡ଼ିହି ପଞ୍ଚାୟତରେ ଉଚ୍ଚମାନର ପାଇଖାନା ନିର୍ମାଣ ସକାଶେ ଏନ୍‌ଟିପିସି ପକ୍ଷରୁ ୮ ହଜାର ଟଙ୍କାର ଅଧିକ ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ଏଭଳି ଅନିୟମିତତା ଯୋଗୁ ନିର୍ମାଣାଧୀନ ନିମ୍ନମାନର ପାଇଖାନାଗୁଡ଼ିକର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ଲକ୍‌ର ପ୍ରାୟ ସବୁ ଗ୍ରାମରେ ଏହି ଦୁର୍ନୀତି ଓ ଜାଲିଆତି ରହିଥିବା ସ୍ଥଳେ ସ୍ୱଚ୍ଛ ଭାରତ ମିସନ ପକ୍ଷରୁ ତଞ୍ଚକତା କରାଯାଇ ‘ବାହ୍ୟ ମଳମୁକ୍ତ ଗାଆଁ’ର ସାଇନ୍‌ବୋର୍ଡ ମରାଯାଇଛି। ବିଭାଗୀୟ ଅଧିକାରୀମାନେ ନିଜର ସଫଳତା କାଗଜପତ୍ରରେ ଦର୍ଶାଇ ଏହି ଫଳକ ମାରି ରାଜ୍ୟ ଓ କେନ୍ଦ୍ରସ୍ତରରେ ବାହାବା ନେବାକୁ ଉଦ୍ୟମ କରିଛନ୍ତି। ଏବେ ବି ଲୋକେ ଏ ଅଞ୍ଚଳରେ ବାହାରେ ମଳତ୍ୟାଗ କରି ଆସୁଛନ୍ତି। ଦୁର୍ନୀତି ନିବାରଣ ବିଭାଗ ଏ ବାବଦରେ ତଦନ୍ତ କରିବା ପାଇଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର