ଖୋର୍ଦ୍ଧା ଜିଲ୍ଲାରେ ସ୍ୱଚ୍ଛଭାରତ : ବାହ୍ୟ ମଳମୁକ୍ତ ଗାଁ ଘୋଷିତ ହେବାର ୨ ବର୍ଷ ପରେ ଚାଲିଛି ଶୌଚାଳୟ ନିର୍ମାଣ
ଖୋର୍ଦ୍ଧା : ଜିଲ୍ଲାର ୧୪୦୪ଟି ଗାଁରୁ ୧୦୮ଟି ଗାଁକୁ ୨୦୧୯ ସୁଦ୍ଧା ବାହ୍ୟ ମଳମୁକ୍ତ (ଓଡିଏଫ୍) ଗାଁ ଭାବେ ଘୋଷିତ କରାଯାଇଛି। ସେହିଭଳି ଆର୍ଡବ୍ଲୁଏସ୍ଏସ୍ର ଡାସ୍ବୋର୍ଡରେ ୨୦୨୦ ଜାନୁଆରି ସୁଦ୍ଧା ସବୁ ଘରେ ଶୌଚାଳୟ ନିର୍ମିତ ହୋଇ ସାରିଥିବା କଥା କୁହାଯାଇଛି। କିନ୍ତୁ ବାସ୍ତବରେ ଓଡିଏଫ୍ ଘୋଷିତ ଗାଁ ଗୁଡ଼ିକରେ ଏଯାଏଁ ଶୌଚାଳୟ ନିର୍ମିତ ହୋଇ ନଥିବାବେଳେ ମାର୍ଚ୍ଚ ମାସର ଲକ୍ଷ୍ୟ ପୂରଣ କରିବାକୁ ବିଭିନ୍ନ ବ୍ଲକ ପ୍ରଶାସନ ରାତିଅଧିଆ ଝାଡ଼ଖଣ୍ତରୁ ମିସ୍ତ୍ରି ଓ ମୂଲିଆ ଆଣି ନିମ୍ନମାନର ଶୌଚାଳୟ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମାଞ୍ଚଳ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୯ ମାର୍ଚ୍ଚ ସୁଦ୍ଧା। ବାଲିଅନ୍ତାରେ ୮ଟି, ବାଲିପାଟଣାରେ ୫ଟି, ଭୁବନେଶ୍ବର ବ୍ଲକରେ ୨୯ଟି, ଜଟଣୀ ବ୍ଲକରେ ୧୨ଟି, ବାଣପୁରରେ ୫ଟି, ବେଗୁନିଆରେ ୮ଟି, ବୋଲଗଡ଼ରେ ୧୬ଟି, ଚିଲିକାରେ ୮ଟି, ଖୋର୍ଦ୍ଧାରେ ୬ଟି ଓ ଟାଙ୍ଗୀରେ ୧୧ଟି ଗାଁକୁ ବାହ୍ୟ ମଳମୁକ୍ତ ଘୋଷିତ କରାଯାଇଥିଲା। ତେବେ ୨୦୧୯ ଡିସେମ୍ବର ବେଳକୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍ର ଗାଁଗୁଡ଼ିକରେ ଘରୋଇ ପାଇଖାନା ନିର୍ମାଣ ହୋଇସାରିଥିବା ଦର୍ଶାଇ ବ୍ଲକ ଗୁଡ଼ିକୁ ମଧ୍ୟ ବାହ୍ୟ ମଳମୁକ୍ତ ବ୍ଲକ ଭାବେ ଘୋଷଣା କରାଯାଇଥିଲା। ଏହା ମଧ୍ୟରେ ଜଟଣୀ, ଖୋର୍ଦ୍ଧା ବ୍ଲକ ସାମିଲ ଥିଲା। ତେବେ ଘୋଷଣା କରିସାରିବା ପରେ ୨୦୧୯–୨୦୨୦ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ନିୟମ ବହିର୍ଭୁତ ଭାବେ ଜେଇ ଓ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବେ ରାତି ଅଧିଆ ଶୌଚାଳୟ ନିର୍ମାଣ ଚାଲିଛି।
୨୦୧୭ ବେସ୍ ଲାଇନ୍ ସର୍ଭେ ଅନୁସାରେ ୨୦୧୯ ବେଳକୁ, ଜଟଣୀ ବ୍ଲକ୍ର ଛଣଘର ପଞ୍ଚାୟତରେ ୭୬୯ ପାଇଖାନା, ଛତାବର ପଂଚାୟତରେ ୧୨୪୨ ଓ ଗଙ୍ଗପଡ଼ା ପଂଚାୟତରେ ୯୦୦ ଶୌଚାଳୟ ନିର୍ମାଣ କରିବା ବାକି ରହିଥିଲା। କିନ୍ତୁ ୨୦୧୯ରେ ଏହି ସବୁ ପଂଚାୟତକୁ ବାହ୍ୟ ମଳମୁକ୍ତ ପଂଚାୟତ ଭାବେ ଘୋଷଣା କରାଯାଇଥିଲା। ତେବେ ବର୍ତମାନ ଝାଡ଼ଖଣ୍ତରୁ ମିସ୍ତ୍ରି ଓ ମୂଲିଆ ଆଣି ତରବରିଆ ଭାବେ ଶୌଚାଳୟ ନିର୍ମାଣ କରାଯାଉଛି। ଛଣଘର ପଂଚାୟତର ଜଣେ ସଚେତନ ନାଗରିକ ଏନେଇ କହିଛନ୍ତି ଯେ ସେ ଯେତେବେଳେ ଶୌଚାଳୟ ନିର୍ମାଣ କରିଥିଲେ ଆର୍ଡବ୍ଲୁଏସ୍ଏସ୍ର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ନିହାର ଦାସ ପାଇଖାନା ନିର୍ମାଣରେ ପୋଲା ଇଟା ବ୍ୟବହାର ଉପରେ କଟକଣା ଲଗାଇଥିଲେ। ସେହିଭଳି ସକ୍ପିଟ୍ ଗୁଡ଼ିକରେ ୩ଟି ନନ୍ଦ ବସାଇବାକୁ ବାଧ୍ୟତାମୂଳକ କରିଥିଲେ। କିନ୍ତୁ ବର୍ତମାନ ପୋଲା ଇଟା ବ୍ୟବହାର କରାଯାଉଥିବା ବେଳେ ଦୁଇ ଅଢେ଼ଇ ଫୁଟ ଖାଲ କରି ଇଟା ଯୋଡ଼ା ଯାଇ ସକ୍ପିଟ୍ ଗୁଡ଼ିକ ନିର୍ମାଣ କରାଯାଉଛି। ଅଂଚଳରେ ନିମ୍ନମାନର ପାଇଖାନା ନିର୍ମାଣ ନେଇ ଯେତିକି ଅସନ୍ତୋଷ ରହିଛି ତା’ଠାରୁ ବଳି ସ୍ଥାନୀୟ ମୂଲିଆଙ୍କୁ ନିୟୋଜିତ ନକରି ଝାଡ଼ଖଣ୍ତରୁ ମିସ୍ତ୍ରି ଓ ମୂଲିଆ ଆଣି ନିୟୋଜିତ କରିବା ଘଟଣାରେ ଅଧିକ ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।