ବେଗୁନିଅ/ସିକୋ : ବେଗୁନିଆ ବ୍ଲକ୍‌ରେ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମାଣ ହୋଇଥିବା ପାଇଖାନା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଏପରିକି କେତେକ ହିତାଧିକାରୀଙ୍କ ପାଇଖାନା ଭୁଶୁଡ଼ି ଯାଇଥିବା ଜଣାଯାଇଛି। ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ହିତାଧିକାରୀମାନଙ୍କୁ ନିଜସ୍ୱ ପାଇଖାନା ନିର୍ମାଣ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୨ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ଗରିବ ହିତାଧିକାରୀମାନେ ଅର୍ଥାଭାବରୁ ଆଗତୁରା ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିବା ସମ୍ଭବପର ହେଉନଥିବାରୁ ଏଥି ନିମନ୍ତେ ବିଭାଗ ପକ୍ଷରୁ ଠିକାଦାରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଠିକାଦାରମାନେ ଗ୍ରାମର ଦଲାଲ, କୁଜିନେତା ଓ ବିଭାଗୀୟ ଯନ୍ତ୍ରୀଙ୍କୁ ହାତ କରି ୫/୬ ହଜାର ଟଙ୍କାରେ ଅତ୍ୟନ୍ତ ନିମ୍ନ ମାନର ପାଇଖାନା ନିର୍ମାଣ କରି ବଳକା ଅର୍ଥକୁ ହଡ଼ପ କରୁଥିବାର ଜଣାପଡ଼ିଛି। ଏପରିକି ଠିକାଦର ଯେଉଁ ପାଇଖାନା ନିର୍ମାଣ କରୁଛନ୍ତି ତାହା ଏତେ ଅଣଓସାରିଆ ଯେ ପାଇଖାନା ଘରେ ପଶିବା ବାହାରିବା କଷ୍ଟକର ହୋଇ ପଡ଼ୁଛି। ବେଗୁନିଆ ବ୍ଲକ୍‌ ବୋତଳମା ପଞ୍ଚାୟତର ଛତ୍ରପଡ଼ା ଗ୍ରାମରେ ଏହି ନିମ୍ନମାନର କାମ ଯୋଗୁଁ କେତେକ ହିତାଧିକାରୀଙ୍କ ପାଇଖାନା ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ଗ୍ରାମର ନାରାୟଣ ବାଘସିଂହ, ନିରଞ୍ଜନ ବାଘସିଂହ ଓ ତ୍ରିଲୋଚନ ବାଘସିଂହଙ୍କ ଅଣଓସାରିଆ ପାଇଖାନା ଘର ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି।