ସଂସଦୀୟ ଷ୍ଟାଣ୍ଡିଂ କମିଟିର ସମୀକ୍ଷା: ସ୍ୱଚ୍ଛ ମିସନ୍‌ରେ ଓଡ଼ିଶା ତଳପଟୁ ତିନି

ବିନା ମାଷ୍ଟର ପ୍ଲାନ୍‌ରେ ଭୁବନେଶ୍ୱର ଡ୍ରେନେଜ୍‌ ବ୍ୟବସ୍ଥା, ଯୋଗ୍ୟ ୫.୨ ଲକ୍ଷରୁ ମାତ୍ର ୧.୧୫ ଲକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଆବାସ

ପୁରୀ : ସ୍ବଚ୍ଛ ଭାରତ ମିସନ୍‌ ର‍୍ୟାଙ୍କରେ ଓଡ଼ିଶା ବହୁ ପଛରେ ପଡ଼ିଛି। ଏହି ଯୋଜନାରେ କମ ସଫଳତା ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ତୃତୀୟରେ ରହିଛି। ବିହାର ଓ ଜାମ୍ମୁ-କଶ୍ମୀର ପରେ ଓଡ଼ିଶା ରହିଛି। ସମାନ ଅବସ୍ଥା ସହରାଞ୍ଚଳ ଡ୍ରେନେଜ୍‌ ଓ ଆବାସ ଯୋଜନାରେ ବି ଦେଖିବାକୁ ମିଳିଛି। ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ବରର ଡ୍ରେନେଜ୍ ବ୍ୟବସ୍ଥା ବିନା ମାଷ୍ଟର୍‌ ପ୍ଲାନ୍‌ରେ ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ବି ଓଡ଼ିଶାରେ ନିରାଶାଜନକ ରହିଛି। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ତୁଳନାରେ କାର୍ଯ୍ୟାଦେଶ ପ୍ରଦାନ ବହୁ ନଗଣ୍ୟ ରହିଛି। ଏ ସବୁରେ ସୁଧାର ଆଣ। ତୁରନ୍ତ ଭୁବନେଶ୍ବର ଡ୍ରେନେଜ୍‌ ବ୍ୟବସ୍ଥାର ମାଷ୍ଟରପ୍ଲାନ ପ୍ରସ୍ତୁତ କର। ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗର ସମୀକ୍ଷା କରି ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି ସଂସଦୀୟ ଷ୍ଟାଣ୍ଡିଂ କମିଟି। ନିରାଶାଜନକ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ସଂପର୍କରେ ସଂସଦକୁ ଅବଗତ କରିବେ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି କମିଟି।

ଆଜି ପୂର୍ବାହ୍ଣରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଜଗଦମ୍ବିକା ପାଲ୍‌ଙ୍କ ସହ କମିଟିର ୧୧ ଜଣ ସାଂସଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ହୋଟେଲ ମେ ଫେୟାରଠାରେ ସହରାଞ୍ଚଳ ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ପୁରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆରମ୍ଭରୁ ଭୁବନେଶ୍ବର ମହାନଗର ନିଗମର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ କମିଟିର ସଦସ୍ୟବୃନ୍ଦ। ସିଧାସଳଖ ସରକାରୀ ଅବହେଳାକୁ ଦାୟୀ କରିଥିଲେ। କାହିଁକି ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆସୁନି ବୋଲି ଉପସ୍ଥିତ ଅଧିକାରୀଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ। ଆଲୋଚନା ପରେ ମାଷ୍ଟରପ୍ଲାନ୍‌ ନଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ଉପସ୍ଥିତ ଅଧିକାରୀମାନେ ଦର୍ଶାଇଥିଲେ। ୨୦୦୮ ମସିହାରେ ଶେଷ ଥର ହୋଇଥିବା ମାଷ୍ଟରପ୍ଲାନ୍‌ ଆଧାରରେ ଡ୍ରେନେଜ୍‌ ବିକାଶ କାମ ଚାଲିଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ଯାହା ଏ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନି ବୋଲି କହିଥିଲେ। ଏହି ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ନୂଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି କମିଟିକୁ ଜଣାଇବା ସହ ଏହା ଆଧାରରେ ବିକାଶ କାର୍ଯ୍ୟ ଆଗେଇ ନେବାକୁ କମିଟି ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍ବଚ୍ଛ ଭାରତ ମିସନ୍‌ ଲକ୍ଷ୍ୟ ପୂରଣରେ ଓଡ଼ିଶା ପଛରେ ପଡ଼ିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଓଡ଼ିଶାରେ ୧୧୪ ସହରାଞ୍ଚଳରୁ ମାତ୍ର ତିନିଟି ସହରାଞ୍ଚଳ ମଳମୁକ୍ତ ସହର ଘୋଷଣା ହୋଇଥିବାରୁ କମିଟି ବିରକ୍ତି ପ୍ରକାଶ କରିଥିଲେ। ଅନ୍ୟ ସହର ଯେପରି ମଳମୁକ୍ତ ସହର ହୋଇପାରିବେ ଓ ସ୍ବଚ୍ଛ ମିସନ୍ ୨୦୨୦ ଲକ୍ଷ୍ୟ ହାସଲ କରିପାରିବ, ସେ ଉପରେ ଗୁରୁତ୍ବାରୋପ କରିଥିଲେ। ସହରାଞ୍ଚଳ ଉପରେ ନଜର ପକାଇଲେ ଏବେ ବି ୮୦ ପ୍ରତିଶତ ବସ୍ତିବାସିନ୍ଦା ବାହାରେ ମଳତ୍ୟାଗ କରୁଛନ୍ତି। ଭୁବନେଶ୍ବର ଜନସଂଖ୍ୟାର ୪୦ ପ୍ରତିଶତ ବସ୍ତିବାସିନ୍ଦା ହୋଇଥିବା ବେଳେ ଏମାନଙ୍କ ପାଖରେ ‌ଶୌଚାଳୟ ଯୋଜନା ପହଞ୍ଚି ପାରିନି। ଏହି ଚିତ୍ର ସ୍ପଷ୍ଟ କରୁଛି ଯେ ସହରାଞ୍ଚଳରେ ଏବେ ବି ସ୍ବଚ୍ଛ ଭାରତ ମିସନ୍ ବିଫଳ ହୋଇଛି। ଏହାକୁ ଗୁରୁତ୍ବର ସହ ନେବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବି କମିଟି ବିରକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାର ସହରାଞ୍ଚଳ ଉପରେ ନଜର ପକାଇଲେ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨ ହଜାର ହିତାଧିକାରୀ ଯୋଗ୍ୟ ତାଲିକାରେ ଥିଲେ ବି ମାତ୍ର ୧ ଲକ୍ଷ ୧୫ ହଜାର ହିତାଧିକାରୀ ଘର କାର୍ଯ୍ୟାଦେଶ ପାଇଛନ୍ତି। ବାକି ଏବେ ବି ଅପେକ୍ଷାରତ। ସେ ପଟେ ୫ ଲକ୍ଷ ୨ହଜାର ହିତାଧିକାରୀଙ୍କ ଭିତରୁ ଭୁବନେଶ୍ବରରେ ଏକ ଲକ୍ଷ ହିତାଧିକାରୀ ରହିଛନ୍ତି। ଏ ସଂପର୍କରେ କମିଟି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଜମି ଅସୁବିଧା ଯୋଗୁଁ ହିତାଧିକାରୀମାନେ ଘର ପାଇ ପାରୁନଥିବା ଅଧିକାରୀମାନେ ଦର୍ଶାଇଥିଲେ। ଏହାର ତ୍ବରିତ ସମାଧାନ କରି ତୁରନ୍ତ ହିତାଧିକାରୀଙ୍କୁ ଆବଶ୍ୟକ ଆବାସ ଯୋଗାଇଦେବାକୁ କମିଟି ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ କମିଟି ସଦସ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର