ପୁରୀରେ ସ୍ୱଚ୍ଛ ଭାରତ ଯୋଜନାରେ ଦୁର୍ନୀତି : ଗୋଟିଏ ପରିବାରରେ ୯ ଜଣଙ୍କୁ ପାଇଖାନା

ପୁରୀ : ଗ୍ରାମ ଓ ସହରାଞ୍ଚଳ ଲୋକଙ୍କୁ ବାହ୍ୟ ମଳମୁକ୍ତ କରିବା ଓ ପ୍ରତ୍ୟେକ ଘରେ ପାଇଖାନା ତିଆରି କରିବା ପାଇଁ ‌କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଯୋଜନାରେ ପ୍ରତି ବର୍ଷ ଅର୍ଥ ବରାଦ କରୁଛନ୍ତି। ଏହି ମହତ ଯୋଜନାକୁ ସଫଳ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ସରକାରଙ୍କ ଏହି ଅର୍ଥର ସୁବିନିଯୋଗ ହେଉନାହିଁ। କେବଳ ଖାତାକୁ ନାମ ଉଠାଯାଇ ଗୋଟିଏ ପାଇଖାନାର ଫଟୋ ବାରମ୍ବାର ଉଠାଇ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଦେଇ ଦିଆଯାଉଛି।

ଅବଶ୍ୟ ଏହି ୧୨ ହଜାର ଟଙ୍କା ଏକା ହିତାଧିକାରୀଙ୍କ ପକେଟକୁ ଯାଉ ନାହିଁ। ଅନେକ ଅଫିସରଙ୍କ ସହ ଏହି ଟଙ୍କା ଭାଗ ବଣ୍ଟାଯାଉଛି। ହିତାଧିକାରୀ ମୋଫତରେ ୧୨ ହଜାର ପାଉଥିବାରୁ ଅଧା ଅଧାରେ ବିଶ୍ବାସ ରଖି ଦାନ କରି ଦେଉଛନ୍ତି। ଫଳରେ ସରକାରଙ୍କ ଏକ ବୃହତ ଯୋଜନା ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ବିଫଳ ହୋଇଛି। ଗ୍ରାମବାସୀ ଯଥାପୂର୍ବଂ ଅବସ୍ଥାରେ ରହିଛନ୍ତି। ପାଇଖ‌ାନା

ନ‌ଥିବାରୁ ବାହାରେ ମଳ ତ୍ୟାଗ କରୁଛନ୍ତି। ଅନ୍ୟ ପକ୍ଷରେ ଟଙ୍କା ଆତ୍ମସାତ କରିବାର ନିଶା ଏମିତି ଘାରିଛି ଯେ ଗୋଟିଏ ପରିବାରକୁ ଏକାଧିକ ପାଇଖାନା ଦିଆଯାଇଛି। ଏପରିକି ଗୋଟିଏ ପରିବାର ଯେତିକି ସଦସ୍ୟ ସେତିକିଟା ପାଇଖାନା ଦିଆଯାଇଛି। ବାପା,ମାଆ, ପୁଅ ଓ ଝିଅଙ୍କୁ ଭିନ୍ନ ଭିନ୍ନ ପାଇଖାନା ମିଳିଛି। ସ୍କୁଲରେ ପଢ଼ୁଥିବା ପିଲାଙ୍କ ନାମରେ ବି ପାଇଖାନା ଦିଆଯାଇଛି। ଏଭଳି ଏକ ଅଭିଯୋଗ ଆମର ହସ୍ତଗତ ହୋଇଛି। ଗୋଟିଏ ପରିବାର ୯ ଜଣ ସଦସ୍ୟଙ୍କୁ ୯ଟି ପାଇଖାନା ଓ ଅନ୍ୟ ଏକ ପରିବାରର ୪ ଜଣ ସଦସ୍ୟଙ୍କୁ ୪ଟି ପାଇଖାନା ମିଳିଥିବା ନେଇ ତଥ୍ୟ ସହ ରିପୋର୍ଟ ଆମର ହସ୍ତଗତ ହୋଇଛି।

ସୂଚନା ମୁତାବକ, ଡେଲାଙ୍ଗ ବ୍ଲକ୍‌ ଧାନକେରା ପଞ୍ଚାୟତର ଶରଧାପୁର ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଏହି ଅଭିଯୋଗ ସଂପର୍କରେ ପୂର୍ବରୁ ଆଲୋଚାନ ହୋଇଥିଲେ ବି ଜିଲ୍ଲା କି ବ୍ଲକ୍‌ ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗକୁ ହାଲକା ଭାବେ ନେଇଛି। ଶରଧାପୁର ଗ୍ରାମର ସ୍ବର୍ଗତ ଇନ୍ଦ୍ରମଣି ଜେନାଙ୍କ ପରିବାରକୁ ମୋଟ ୯ଟି ପାଇଖାନା ମିଳିଛି। ଇନ୍ଦ୍ରମଣିଙ୍କ ତିନି ପୁଅ। ବଡ ପୁଅ ଅନ୍ତର୍ଯାମୀ ଜେନା, ତାଙ୍କ ପତ୍ନୀ ହେମଲତା ଜେନା, ସେମାନଙ୍କ ଅବିବାହିତ ପୁଅ ଅମୀୟ ରଂଜନ ଜେନାଙ୍କୁ ପାଇଖାନା ମିଳିଛି। ଅର୍ଥାତ ପରିବାରର ସଦସ୍ୟଙ୍କ ପିଛା ଗୋଟିଏ ‌ଲେଖାଏଁ ପାଇଖାନା ମିଳିଛି। ସେହିଭଳି ସ୍ବର୍ଗତ ଇନ୍ଦ୍ରମଣିଙ୍କ ମଝିଆଁ ପୁଅ ବାନାମ୍ବର ଜେନା, ତାଙ୍କ ପତ୍ନୀ ଦମୟନ୍ତୀ, ଝିଅ ଦୀପ୍ତିମୟୀ ( ନାବାଳିକା) ପାଇଖାନା ପାଇଛନ୍ତି। ଏହି ପରିବାରର ତିନିରୁ ତିନି ସଦସ୍ୟଙ୍କୁ ପାଇଖାନା ମିଳିଛି।

ସେହିଭଳି ସ୍ବର୍ଗତ ଇନ୍ଦ୍ରମଣୀଙ୍କ ସାନ ପୁଅ ଦୀନବନ୍ଧୁ ଜେନ‌ା, ପତ୍ନୀ ଅର୍ଚ୍ଚନା ଜେନା ଓ ଇନ୍ଦ୍ରମଣୀଙ୍କ ସ୍ବର୍ଗତା ପତ୍ନୀ ହରଷ ଜେନାଙ୍କୁ ପାଇଖାନା ମିଳିଛି। ସାନ ପୁଅ ପରିବାରକୁ ମଧ୍ୟ ତିନିଟି ପାଇଖାନା ମିଳିଛି। ଗତ ୨୦୧୭ରେ ଏହି ପରିବାରକୁ ୯ଟି ପାଇଖାନା ମିଳିଛି। ସମସ୍ତେ ୧୨ ହଜାର ଟଙ୍କା ଲେଖାଏଁ ପାଇଛନ୍ତି। ମାତ୍ର ପାଇଖାନାର ଚିହ୍ନବର୍ଣ୍ଣ ନାହିଁ। କେବେଳ ସେତିକି ନୁହେଁ ସେହି ଗ୍ରାମର ସରପଞ୍ଚ ପ୍ରସନ୍ନ କୁମାର ଜେନାଙ୍କ ବଡ଼ ଭାଇ ପ୍ରମୋଦ କୁମାର ଜେନା, ପ୍ରମୋଦଙ୍କ ମାଆ ରଙ୍ଗ ଜେନା, ପ୍ରମୋଦଙ୍କ ପୁଅ ପ୍ରଭାତ (ଅବିବ‌ାହିତ) ଓ ଝିଅ ପ୍ରୀତିମୟୀ (ଅବିବାହିତ)ଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ୪ଟି ପାଇଖାନା ଦିଆଯାଇଛି।

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହା କେବଳ ଗୋଟିଏ ଗାଁର ଏକ ଉଦାହରଣ। ଜିଲ୍ଲାର ସବୁ ପଞ୍ଚାୟତ, ଗାଁରେ ଏ ଭଳି ଦୁର୍ନୀତି ହୋଇଛି। ଲକ୍ଷାଧିକ ପ‌ାଇଖାନାର ଚିହ୍ନବର୍ଣ୍ଣ ନାହିଁ। କେବଳ ଫଟୋ ଉଠାଇ ଟଙ୍କା ଆତ୍ମସାତ କରାଯାଇଛି। ଅବଶ୍ୟ ଏଥିରେ ହିତାଧିକାରୀଙ୍କର ସେଭଳି କିଛି ଦୋଷ ନାହିଁ। ଦାୟିତ୍ବରେ ଥିବା ଜେଇ, ସ୍ଥାନୀୟ ସରପଞ୍ଚଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏଭଳି ସୁନ୍ଦର ‌ଯୋଜନା ବାଟବଣା ହୋଇଛି। ଛୋଟ ରାଶି ହୋଇଥି‌ଲେ ବି ସମଗ୍ର ରାଜ୍ୟରେ ଶହ ଶହ କୋଟିର ଦୁର୍ନୀତି ହୋଇଛି।

ସମ୍ବନ୍ଧିତ ଖବର