ପାଇଖାନାରୁ ଶହେ କୋଟି ଚଳୁ କରିଦେବା ଘଟଣା : ଖୋଲୁଛି ପିସି କାରବାରର ଗୁମର

ତଦନ୍ତ ଆରମ୍ଭ କଲେ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଅଠା ବୋଳା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ସ୍ବଚ୍ଛ ଭାରତ ଯୋଜନାର ଅସ୍ବଚ୍ଛ ଚିତ୍ର ସମ୍ପର୍କରେ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପ‌ରେ ପାଇଖାନା ନିର୍ମାଣ କରୁଥିବା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଏବେ ହରଡ଼ଘଣାରେ ପଡ଼ିଛି। କନିଷ୍ଠ ଯନ୍ତ୍ରୀମାନଙ୍କ ଉପରେ ଏହି ପାଇଖାନା ନିର୍ମାଣ କାର୍ଯ୍ୟର ତଦାରଖ ଓ ଜିଓ ଟ୍ୟାଗିଂ କରିବାର ଦାୟିତ୍ବ ରହିଛି। ତେଣୁ ୨୦୧୪-୧୫ ମସିହାରୁ ୨୦୧୮-୧୯ ମସିହାରେ କେଉଁ କେଉଁ ଯନ୍ତ୍ରୀ ରହିଥିଲେ ଓ ‌ପାଇଖାନା ନିର୍ମାଣ କାର୍ଯ୍ୟକୁ ସେମାନେ କିଭଳି ଭାବେ ତଦାରଖ କରିଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଥିବା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ବିଭୁପ୍ରସାଦ ରାଉତରାୟ କହିଛନ୍ତି। ସେପଟେ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ଅଠା ବୋଳି ବିଭାଗ ଶହେ କୋଟିର ଦୁର୍ନୀତିରୁ ଖସିଯାଉଥିବା ନେଇ ହେଉଥିବା ଅଭିଯୋଗକୁ ଶ୍ରୀ ରାଉତରାୟ ଖଣ୍ଡନ କରିଛନ୍ତି।

କନିଷ୍ଠ ଯନ୍ତ୍ରୀଙ୍କ ଉପରେ ସମସ୍ତ ଦୋଷ ଲଦି ଦିଆଯିବା ପରେ ଏବେ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବିଭାଗୀୟ ଅଧିକାରୀ ପାଇଖାନା ଦୁର୍ନୀତିରେ ପିସି କାରବାରର ଗୁମର ଖୋଲିଛନ୍ତି। ତାଙ୍କ ସୂଚନା ଅନୁସାରେ କେବଳ କନିଷ୍ଠ ଯନ୍ତ୍ରୀ ନୁହନ୍ତି ଅନ୍ୟମାନଙ୍କ ବି ଏଥିରେ ଭାଗ ରହିଛି। ଭିନ୍ନ ଭିନ୍ନ ସ୍ଥାନରେ ଏହି ପାଇଖାନା ପାଇଁ ଭିନ୍ନ ଭିନ୍ନ ପିସି ସ୍ଲାବ୍‌ ରହିଛି। ପ୍ରତି ପାଇଖାନା ପାଇଁ ସରକାରଙ୍କ ପକ୍ଷରୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଥିବା ସମୟରେ ଏଥିରୁ ୫ରୁ ୬ ହଜାର ଟଙ୍କା ପିସିରେ ଚାଲିଯାଉଛି। ସିଂହଭାଗ ଅର୍ଥାତ ୧ ହଜାରରୁ ୧୫୦୦ ଟଙ୍କା ପିସି କନିଷ୍ଠ ଯନ୍ତ୍ରୀଙ୍କ ପକେଟକୁ ଯାଉଛି। ଏଥିରେ ବ୍ଲକ୍‌ ଅଧ୍ୟକ୍ଷଙ୍କଠାରୁ ନେଇ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓଙ୍କ ପକେଟକୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଯାଉଛି। କେବଳ ସେତିକି ନୁହେଁ; ବରଂ ଫାଇଲ୍‌ ପୁଟ୍‌ଅପ୍‌ ପାଇଁ ନେଇ ଯାଉଥିବା ପିଅନଙ୍କଠାରୁ ‌ନେଇ ଚେକ୍‌ ଲେଖୁଥିବା ଅଧିକାରୀ ଯାଏ ପାଇଖାନା ପିଛା ୧୦ ଟଙ୍କାରୁ ନେଇ ୨ ଶହ ଟଙ୍କା ଯାଏ ପିସି ଯାଉଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସିଧାସଳଖ ପଚାରିବାରୁ ସେ ୨୦୧୭-୧୮ ମସିହା ପରଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି, କୌଣସି ପିସି କାରବାରରେ ସେ ସମ୍ପୃକ୍ତ ନାହାନ୍ତି ବୋଲି କହିଛନ୍ତି। ତେବେ ଏହି ପିସି କାରବାରର ସମସ୍ତ ସ୍ଲାବ୍‌ ସଂପର୍କରେ ସେ ଜାଣିଥିବା ସ୍ବୀକାର କରିଛନ୍ତି।

୨୦୧୪-୧୫ ମସିହା ପରଠାରୁ ନେଇ ୨୦୧୬-୧୭ ମସିହା ଯାଏଁ ନିର୍ମାଣ ହୋଇଥିବା ପାଇଖାନାଗୁଡ଼ିକ ଠିକାଦାରଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏହା ପରଠାରୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପାଇଖାନା ନିର୍ମାଣ ଆରମ୍ଭ ହୋଇଛି। ତେବେ ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ ମସିହାରେ ମୋଟ ୩ ବର୍ଷରେ ୯୩ ହଜାର ୮୪୪ଟି ପାଇଖାନା ନିର୍ମାଣ ହୋଇଛି। ଯାହା ମୋଟ ପାଇଖାନାର ୫୮ ପ୍ରତିଶତ ରହିଛି। ଏହି ସମୟରେ ନିର୍ମାଣ ହୋଇଥିବା ସମସ୍ତ ପାଇଖାନାଗୁଡ଼ିକ ବ୍ଲକ୍‌ ପ୍ରଶାସନ ସହାୟତାରେ ଠିକାଦାରମାନେ ନିର୍ମାଣ କରିଥିଲେ। କେବଳ ହିତାଧିକାରୀଙ୍କ ନାଁରେ କାର୍ଯ୍ୟଦେଶ ଆସୁଥିଲା କିନ୍ତୁ ହିତାଧିକାରୀଙ୍କ ହାତକୁ ଟଙ୍କାଟିଏ ଆସୁନଥିଲା କି ପାଇଖାନାର ଇଟାଟିଏ ମଧ୍ୟ ସେମାନେ କିଣିନଥିବା ଜଣାପଡ଼ିଛି। ଠିକାଦାରମାନେ ନିଜେ ପାଇଖାନା ତିଆ‌ରି କରିବା ପରେ ହିତାଧିକାରୀଙ୍କୁ ଛିଡ଼ା କରାଇ ଫଟୋ ଉଠାଇବା ପରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀଙ୍କ ସ୍ବାକ୍ଷରରେ ଫର୍ମ ବ୍ଲକ୍‌ ଦେଇ ଜିଲ୍ଲା ପ୍ରଶାସନ ପାଖକୁ ଆସୁଥିଲା।

ସମ୍ବନ୍ଧିତ ଖବର