ନୂଆଗାଁ : ସ୍ୱଚ୍ଛ ଭାରତ ଯୋଜନାରୁ ହିତାଧିକାରୀ ବଞ୍ଚିତ

ନୂଆଗାଁ : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଏହି ଯୋଜନା ଦିଗହରା ହେଉଥିବା ଦେଖିବାକୁ ମିଳିଛି। ଯୋଜନା ବାବଦକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ପାଇଖାନା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଭାଙ୍ଗିରୁଜି ନଷ୍ଟ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପାଇଖାନା ନାଁ’ରେ ଅର୍ଥ ଆତ୍ମସାତ ହୋଇଛି। ଏବେ ଅଧିକାଂଶ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରିନଥିବା କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି।

ନୂଆଗାଁ ବ୍ଲକ୍ ଗାତେରୀ ପଞ୍ଚାୟତରେ ଏଭଳି ଗୁରୁତର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସ୍ୱଚ୍ଛ ଭାରତ ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କରିବାକୁ କେନ୍ଦ୍ର ସରକାର ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀ ବାହାରେ ମଳତ୍ୟାଗ ନ କରି ଘରେ ପାଇଖାନା ବ୍ୟବହାର କରିପାରିବେ। କିନ୍ତୁ ଏହାର ଫାଇଦା ଉଠାଇଛନ୍ତି ଠିକାଦାର ଏବଂ ସରକାରୀ କର୍ମଚାରୀ। ପ୍ରଥମେ ବେସ୍‌ଲାଇନ୍ ଅନୁଯାୟୀ, ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କରିବାକୁ ସରପଞ୍ଚ, ସମିତିସଭ୍ୟଙ୍କୁ ଦାୟିତ୍ବ ଦେଇ ତାଙ୍କ ଜରିଆରେ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ କରୁଥିଲେ। ଏଥିରେ ଅର୍ଥ କାରବାର ଅଭିଯୋଗ ହେବାରୁ ସେମାନଙ୍କଠାରୁ ଦାୟିତ୍ବ କାଢ଼ି କିଛି ଏନ୍‌ଜିଓ ମାଧ୍ୟମରେ କାମ କରିବାକୁ କୁହାଗଲା। ସେମାନେ ପାଇଖାନା ଟଙ୍କାକୁ ଆତ୍ମସାତ୍ କରି ୧୨ ହଜାର ଟଙ୍କା ବଦଳରେ ୭ରୁ ୮ ହଜାର ଟଙ୍କା ମଧ୍ୟରେ ଯାହିତାହି କାମ ସାରିଦେଲେ। ଏହା ପରେ କୁଜିନେତାମାନେ ଗାଁ ଗାଁରେ ପଶି ପାଇଖାନା ନିର୍ମାଣ କରି ହିତାଧିକାରୀଙ୍କଠାରୁ ୨ ହଜାର ଟଙ୍କା ଆଗୁଆ ଆଣି ପାଇଖାନା ନିର୍ମାଣ କରିଥିବା କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି। ଯେଉଁମାନେ ଅର୍ଥ ନ ଦେଲେ ସେମାନଙ୍କ ପାଇଖାନା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି। ପାରାଢିପି ଗ୍ରାମର ରଜନୀ ଭୋଇ, ଝୁନା ଭୋଇ ଏବଂ ପିଙ୍କି ଜେନାଙ୍କ ନାଁରେ ପାଇଖାନା ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଇଖାନା ନିର୍ମାଣ ହୋଇନାହିଁ। ବାରମ୍ବାର ପାଇଖାନା ନିର୍ମାଣ କରିବାକୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସ୍ବଚ୍ଛ ପରିମଳ ଯନ୍ତ୍ରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଆଜି ସୁଦ୍ଧା ପାଇଖାନା କରାଯାଇ ନାହିଁ। ଏମାନେ ବାଧ୍ୟ ହୋଇ ବାହାରେ ଯାଇ ମଳତ୍ୟାଗ କରୁଥିବା କହିଛନ୍ତି। ଏହିପରି ନୂଆଗାଁ ବ୍ଲକ୍‌ର ଅଧିକାଂଶ ପରିବାରରେ ପାଇଖାନା ନିର୍ମାଣ ହୋଇନଥିବା ବେଳେ ପ୍ରତ୍ୟେକ ଗାଁ ମୁଣ୍ତରେ ବାହ୍ୟ ମଳମୁକ୍ତ ଅଂଚଳ ବୋଲି ବୋର୍ଡ ଲଗାଯାଇଛି। ତେବେ ସରକାରଙ୍କ ଏହି ଯୋଜନା ଗରିବ ଲୋକଙ୍କୁ ଉପହାସ କରୁଥିବା ମନେ ହେଉଛି। ତୁରନ୍ତ ସମସ୍ତ ପାଇଖାନା ନିର୍ମାଣ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର