ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ : ରାଜ୍ୟରେ ସମ୍ବଲପୁର ଶୀର୍ଷରେ

୧ ଲକ୍ଷରୁ କମ୍‌ ଜନସଂଖ୍ୟା ବର୍ଗରେ ବରଗଡ଼ ଦ୍ୱିତୀୟ, ବଲାଙ୍ଗୀର ଚତୁର୍ଥ

ସମ୍ବଲପୁର : ଭାରତ ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ହୋଇଥିବା ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୧୮’ରେ ଓଡ଼ିଶାର ସହର ଗୁଡ଼ିକ ମଧ୍ୟରେ ସମ୍ବଲପୁର ଶ୍ରେଷ୍ଠ ମାନ୍ୟତା ପାଇଛି। ୧ ଲକ୍ଷରୁ ଅଧିକ ଓ ୧୦ ଲକ୍ଷରୁ କମ ଜନ ସଂଖ୍ୟା ବିଶିଷ୍ଟ ଦେଶର ସମସ୍ତ ୩୭୦ଟି ସହରକୁ ଏହି ସର୍ବେକ୍ଷଣରେ ସାମିଲ କରା ଯାଇଥିଲା ବେଳେ ସମ୍ବଲପୁର ୧୮୬ତମ ସ୍ଥାନରେ ରହିଛି। ତେବେ ଏହି ତାଲିକାରେ ଥିବା ଓଡ଼ିଶାର ୯ଟି ସହର ମଧ୍ୟରେ ସମ୍ବଲପୁର ଆଗରେ ରହିଛି। ସମ୍ବଲପୁର ପଛକୁ ଭୁବନେଶ୍ୱର (୧୯୦), ବ୍ରହ୍ମପୁର (୨୧୬), କଟକ (୨୩୦), ରାଉରକେଲା (୨୪୦), ପୁରୀ (୨୫୯), ବାଲେଶ୍ୱର (୨୯୭), ଭଦ୍ରକ (୩୩୫) ଓ ବାରିପଦା (୩୪୭) ରହିଛନ୍ତି। ‘ସ୍ୱଚ୍ଛତା ଆପ୍‌’ର ବ୍ୟବହାର ଆଧାରରେ ଏହି ଡାଇନାମିକ୍‌ ର‍୍ୟାଙ୍କିଙ୍ଗ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ବ୍ୟବହାରକାରୀଙ୍କ ସଂଖ୍ୟା, ବ୍ୟବହାରକାରୀଙ୍କ ସନ୍ତୁଷ୍ଟି ଓ ସଂପୃକ୍ତ ସଂସ୍ଥାର ଦାୟିତ୍ୱବଦ୍ଧତାକୁ ବିଚାରକୁ ନେଇ ନମ୍ବର ଦିଆଯାଇଛି। ଏଥିରେ ୩୨୫.୩ ନମ୍ବର ସହ ସମ୍ବଲପୁର ଆଗରେ ରହିଥିଲାବେଳେ ୨୯୮.୭ ନମ୍ବର ସହ ଭୁବନେଶ୍ୱର, ୧୭୭.୮ ନମ୍ବର ସହ ବ୍ରହ୍ମପୁର, ୧୪୦.୨ ନମ୍ବର ସହ କଟକ ଓ ୧୧୩ ନମ୍ବର ସହ ରାଉରକେଲା ପଛକୁ ପଛ ରହିଛନ୍ତି। ଏହି ତାଲିକାରେ ସାରା ଦେଶରେ ତେଲେଙ୍ଗାନାର ନାଲ୍‌ଗୋଣ୍ଡା ପ୍ରଥମ ଓ ସୂର୍ୟାପେଟ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ରାଜସ୍ଥାନର ପାଲି ତୃତୀୟରେ ରହି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ପାଇଛନ୍ତି।

୧୦ ଲକ୍ଷରୁ ଊର୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ମହାନଗର ଗୁଡ଼ିକରେ ଓଡ଼ିଶାର କୌଣସି ସହର ନଥିବା ବେଳେ ମଧ୍ୟପ୍ରଦେଶର ଗ୍ଵାଲିୟର ପ୍ରଥମ, ଉତ୍ତର ପ୍ରଦେଶର କାନପୁର ଦ୍ୱିତୀୟ ଓ ଗ୍ରେଟର ମୁମ୍ବାଇ ତୃତୀୟ ସ୍ଥାନରେ ରହିଛନ୍ତି। ୧ ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ଗୁଡ଼ିକର ସର୍ବେକ୍ଷଣରେ ଓଡ଼ିଶାର ସହରାଞ୍ଚଳ ଗୁଡ଼ିକ ମଧ୍ୟରେ (ମୁନ୍‌ସିପାଲ୍‌ଟି/ଏନ୍‌ଏସି) ଗଂଜାମ ପ୍ରଥମ, ବରଗଡ଼ ଦ୍ୱିତୀୟ, କୋରାପୁଟ ତୃତୀୟ, ବଲାଙ୍ଗୀର ଚତୁର୍ଥ, ସୁନ୍ଦରଗଡ଼ ପଞ୍ଚମ ସ୍ଥାନରେ ରହିଛନ୍ତି। ସର୍ବଭାରତୀୟ ମାନ୍ୟତା ତାଲିକାରେ ଏହି ସହର ଗୁଡ଼ିକ ଯଥାକ୍ରମେ ୭୧୪, ୭୩୯, ୭୪୫, ୭୯୭, ୮୨୬ତମ ସ୍ଥାନରେ ରହିଛନ୍ତି। ୯୮୭ ମାନ୍ୟତା ସହ ଝାରସୁଗୁଡ଼ା ଓଡ଼ିଶା ସହରମାନଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛି। ସେହିପରି ୧୪୫୬ ମାନ୍ୟତା ସହ ଝାରସୁଗୁଡ଼ା ୧୫ ଓ ୧୫୪୯ ମାନ୍ୟତା ସହ ରେଢ଼ାଖୋଲ ୧୬ତମ ସ୍ଥାନରେ ରହିଛନ୍ତି। ୧୬୮୫ ମାନ୍ୟତା ସହ ୧୯ତମ ସ୍ଥାନରେ ରହି ପଦମ୍‌ପୁର ଓଡ଼ିଶା ସହର ଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଛି।

ସ୍ୱଚ୍ଛତା ପାଇଁ ଦେଶର ବିଭିନ୍ନ ସହରର ପୌରସଂସ୍ଥା ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ସୃଷ୍ଟି ତଥା ଏହା ଜରିଆରେ ପରିମଳ ବ୍ୟବସ୍ଥାରେ ସୁଧାରର ଲକ୍ଷ୍ୟ ନେଇ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ରେ ପ୍ରଥମ କରି ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ କରା ଯାଇଥିଲା। ପ୍ରଥମ ବର୍ଷ ଏଥିରେ ଦେଶର ୭୩ଟି ପ୍ରମୁଖ ସହରକୁ ସାମିଲ କରା ଯାଇଥିଲାବେଳେ ୨୦୧୭ରେ ୪୩୪ଟି ସହର ସର୍ବେକ୍ଷଣ ପରିଧିକୁ ଆସିଥିଲେ। ଚଳିତ ବର୍ଷ ଏହାକୁ ପରିବର୍ଧିତ କରାଯାଇ ପୌରସଂସ୍ଥା (ମହାନଗର ନିଗମ, ପୌରପାଳିକା ବା ଏନ୍‌ଏସି) ଦ୍ୱାରା ପରିଚାଳିତ ଦେଶର ସମସ୍ତ ୪୦୪୧ଟି ସହରାଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଜନସଂଖ୍ୟା ଭିତ୍ତିରେ ସମସ୍ତ ସହରକୁ ୧ ଲକ୍ଷରୁ କମ୍‌, ୧ରୁ ୧୦ ଲକ୍ଷ ଓ ୧୦ ଲକ୍ଷରୁ ଅଧିକ ଏହିଭଳି ୩ ଭାଗରେ ବିଭକ୍ତ କରାଯାଇଛି। ବୃହତ ସହର ବର୍ଗରେ ୫୨ଟି, ମଧ୍ୟମ ସହର ବର୍ଗରେ ୩୭୦ଟି ଓ କ୍ଷୁଦ୍ର ସହର ବର୍ଗରେ ଅନ୍ୟ ସମସ୍ତ ସହରାଞ୍ଚଳ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର