ସ୍ୱଚ୍ଛ ସର୍ବେକ୍ଷଣରେ ଭଲ ର‍୍ୟାଙ୍କ ପାଇଁ ଜୋରଦାର ପ୍ରସ୍ତୁତି

ସ୍ୱଚ୍ଛ ସହରାଞ୍ଚଳ ପାଇଁ ‌କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶଂସିତ

ଭୁବନେଶ୍ବର : ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷ ଆକଳନ ଆଧାରରେ ବାହ୍ୟ ମଳମୁକ୍ତ ପୌରାଞ୍ଚଳର ପ୍ରମାଣପତ୍ର ଦେଇଛନ୍ତି। ଓଡିଏଫ୍ ମାନ୍ୟତା ପାଇବା ପରେ ପୌରସଂସ୍ଥାଗୁଡ଼ିକ ଓଡିଏଫ୍‌++ ମାନ୍ୟତା ପାଇବା ଲାଗି ମଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ ଚଳାଇଛନ୍ତି। ଏବେ ସୁଦ୍ଧା ୧୦ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିବାବେଳେ ୫୨ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ପୌରାଞ୍ଚଳରେ ୧,୩୨,୫୨୪ଟି ବ୍ୟକ୍ତିଗତ ପାଇଖାନା, ୫୨୧୩ଟି ଗୋଷ୍ଠୀ ପାଇଖାନା, ୪୪୨୧ଟି ସର୍ବସା‌ଧାରଣ ପାଇଖାନା ନିର୍ମାଣ ହୋଇଛି। ସ୍ବଚ୍ଛ ଭାରତ ମିସନରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଏହି ସଂଖ୍ୟା ଅଧିକ। ତେଣୁ ସ୍ବଚ୍ଛ ଭାରତ ସର୍ବେକ୍ଷଣରେ ଗତ ବର୍ଷ ୧୭ତମ ସ୍ଥାନରେ ଥିବା ଓଡ଼ିଶା ଏଥର ଭଲ ରୢାଙ୍କ ପାଇବ ବୋଲି ନଗର ଉନ୍ନୟନ ବିଭାଗ ଆଶା ରଖିଛି।

ନଗର ଉନ୍ନୟନ ବିଭାଗ ସୂଚନା ଅନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ ଓଡିଏଫ୍‌++ ପ୍ରମାଣପତ୍ର ପାଇଥିବାବେଳେ ଏବେ ଆବର୍ଜନାମୁକ୍ତ ସହର ଲାଗି ୩ଷ୍ଟାର ପ୍ରମାଣପତ୍ର ପାଇଁ ଆବେଦନ କରିଛି। ଯାଜପୁର, କରଞ୍ଜିଆ, ତରଭା ଓ ପାରାଦୀପ ଭଳି ଚାରିଟି ପୌରସଂସ୍ଥା ସ୍ବଚ୍ଛ ସର୍ଭେକ୍ଷଣ-୨୦୧୯ ଅନୁଯାୟୀ ତ୍ବରିତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଛି। ୮୬ଟି ପୌରସଂସ୍ଥା ଓଡିଏଫ୍‌++ ବର୍ଗରେ ସାମିଲ୍‌ ହେବା ପାଇଁ ଆବେଦନ କରିଥିବାବେଳେ ୩୩୩ଟି ସର୍ବସାଧାରଣ ଏବଂ ଗୋଷ୍ଠୀ ପାଇଖାନା ଆଇଏସ୍‌ଓ ପ୍ରମାଣପତ୍ର ଲାଭ କରିଛି। ଏହାବ୍ୟତୀତ ସ୍ବଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ପାଇଁ ରାଜ୍ୟ ସରକାର ଓଡ଼ିଶା ସହରାଞ୍ଚଳ ପରିମଳ ନୀତି ଏବଂ ଓଡ଼ିଶା ସହରାଞ୍ଚଳ ପରିମଳ ଷ୍ଟ୍ରାଟେଜି ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶାର ଏହିଭଳି ପଦକ୍ଷେପକୁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି।

କେବଳ ଏତିକି ନୁହେଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ସେଣ୍ଟର ଉପରେ ଗୁରୁତ୍ବ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ୫୭୬‌େକାଟି ଟଙ୍କା ବ୍ୟୟ ଅଟକଳରେ ୧୧୪ଟି ପୌରାଞ୍ଚଳରେ ଏହିଭଳି ୨୪୨ଟି ପ୍ଲାଣ୍ଟ ସହ ମ୍ୟାଟେରିଆଲ ରିକଭରି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୈନନ୍ଦିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ୨୫୦୦ ମହିଳାଙ୍କୁ ସ୍ବଚ୍ଛ ସାଥୀ ଓ ସୁପରଭାଇଜର୍‌ ଭାବେ ନିଯୁକ୍ତି ଦିଆଯାଇଛି। ସହରାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୪ହଜାରରୁ ଅଧିକ ସଫେଇବାଲା ସାମିଲ କରାଯାଇଛି। ତେଣୁ ଏଥର ଓଡ଼ିଶା ସର୍ବଭାରତୀୟ ସ୍ତରରେ ଭଲ ରୢାଙ୍କ ପାଇବା ସହ ବିଭିନ୍ନ ସହରକୁ ବି ଭଲ ରୢାଙ୍କ ମିଳିବ ବୋଲି ନଗର ଉନ୍ନୟନ ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର