ଜାନୁଆରି ୪ରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ : ଏଥର କେତେ ର‍୍ୟାଙ୍କ ପାଇବ ଭୁବନେଶ୍ୱର?

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ ଲିଗ୍‌ରେ ପଛରେ ପଡ଼ିଲାଣି ଓଡ଼ିଶାର ସହର
ଭଦ୍ରକକୁ ୮୬, ବ୍ରହ୍ମପୁରକୁ ୧୧୩, ଭୁବନେଶ୍ୱରକୁ ୧୬୬, କଟକକୁ ୨୪୦ ର‍୍ୟାଙ୍କ୍

ଭୁବନେଶ୍ୱର : ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ବଚ୍ଛ ସର୍ବେକ୍ଷଣ। ଏଥିରୁ ସାରା ଦେଶରୁ ୩୯୭୦ଟି ସହରାଞ୍ଚଳ ଭାଗ ନେଇଥିବାବେଳେ ଓଡ଼ିଶାର ପ୍ରାୟ ସମସ୍ତ ସହର ଭାଗ ନେଇଛନ୍ତି। ଏହି ସର୍ଭେ ଆରମ୍ଭ ହେବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ର ଦ୍ବିତୀୟ କ୍ବାର୍ଟରର ଲିଗ୍ ର‍୍ୟାଙ୍କ ପ୍ରକାଶ ପାଇଛି। ହେଲେ ଏଥିରେ ୧ଲକ୍ଷରୁ ୧୦ଲକ୍ଷ ଜନବସତି ସହର ଶ୍ରେଣୀରେ ଓଡ଼ିଶାର ସହରଗୁଡ଼ିକୁ ଭଲ ର‍୍ୟାଙ୍କ ମିଳିନି। ଭୁବନେଶ୍ବର ଓ କଟକକୁ ଏହି ଲିଗ୍‌ରେ ଭଲ ର‍୍ୟାଙ୍କ ମିଳିବ ବୋଲି ଆଶା ଥିଲେ ହେଁ ଭୁବନେଶ୍ୱରକୁ ୧୬୬ ଓ କଟକକୁ ୨୪୦ତମ ର‍୍ୟାଙ୍କ ମିଳିଛି। ‌

ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ର‍୍ୟାଙ୍କିଂରେ ଭଦ୍ରକ ପୌରପାଳିକାକୁ ୮୬ତମ ର‍୍ୟାଙ୍କ ମିଳିଥିବାବେଳେ, ବ୍ରହ୍ମପୁର ମହାନଗର ନିଗମକୁ ୧୧୩, ଭୁବନେଶ୍ବରକୁ ୧୬୬, ବାଲେଶ୍ବର ସହରକୁ ୧୮୦, ପୁରୀକୁ ୨୧୭, ରାଉରକେଲା ସହରକୁ ୨୩୬, କଟକକୁ ୨୪୦, ସମ୍ବଲପୁର ସହରକୁ ୨୬୭ ଏବଂ ବାରିପଦା ସହରକୁ ୩୨୪ ରୢାଙ୍କ ମିଳିଛି।
ଏହି ସର୍ବେକ୍ଷଣର ଦ୍ବିତୀୟ କ୍ବାର୍ଟର‌ରେ ଭୁବନେଶ୍ବରକୁ ୧୬୬ ର‍୍ୟାଙ୍କ ମିଳିବା ନେଇ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସ୍ବଚ୍ଛ ସର୍ବେକ୍ଷଣ ରୢାଙ୍କ ପ୍ରକାଶ ପାଇନି। କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପୌରସଂସ୍ଥାକୁ ଡିସେମ୍ବର ୨୫ସୁଦ୍ଧା ସ୍ବଚ୍ଛ ସର୍ବେକ୍ଷଣ ୱେବସାଇଟ୍‌ରେ ବିଭିନ୍ନ ପର୍ଯ୍ୟାୟରେ ଡକୁମେଣ୍ଟ ଅପଲୋଡ୍‌ କରିବାକୁ କୁହାଯାଇଥିଲା। ଏହି ଡକୁମେଣ୍ଟକୁ ଭିତ୍ତିକରି ର‍୍ୟାଙ୍କ ଦିଆଯାଇଛି। ଏଥିରେ କେବଳ ସହରାଞ୍ଚଳଗୁଡ଼ିକର ପରିମଳ ନେଇ ଥିବା ଭିତ୍ତିଭୂମିକୁ ଦେଖାଯାଇଛି। କେଉଁ ସହର କେତେ ସ୍ବଚ୍ଛ ଏଥିରୁ ଜଣାପଡ଼ିବନି। ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ଭେ ପରେ କେଉଁ ସହର କେତେ ସ୍ବଚ୍ଛ ଜଣାପଡ଼ିବ।

ଅପରପକ୍ଷେ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଏପ୍ରିଲ, ୨୦୧୯ରୁ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ତିନିଟି ତୈୟମାସିକ (କ୍ବାର୍ଟର) ଲିଗ୍‌ ମାଧ୍ୟମରେ ର‍୍ୟାଙ୍କ ପ୍ରକାଶ ପାଇଛି। ଏଥିରୁ ଏପ୍ରିଲରୁ ଜୁନ୍‌ ପ୍ରଥମ କ୍ବାର୍ଟର, ଜୁଲାଇରୁ ସେପ୍ଟେମ୍ବର ଦ୍ବିତୀୟ କ୍ବାର୍ଟର ଏବଂ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ତୃତୀୟ କ୍ବାର୍ଟର ଥିଲା। ପ୍ରଥମ ଦୁଇ କ୍ବାର୍ଟରର ର‍୍ୟାଙ୍କ ପ୍ରକାଶ ପାଇଛି। ଗତକାଲି ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବିଭିନ୍ନ ପୌରସଂସ୍ଥା ଅପଲୋଡ୍‌ କରିଥିବା ଡକୁମେଣ୍ଟକୁ ଭିତ୍ତିକରି ର‍୍ୟାଙ୍କ ପ୍ରଦାନ କରାଯାଇଛି। ଏଥିରେ ଇନ୍ଦୋର ପ୍ରଥମ ସ୍ଥାନରେ ଥିବାବେଳେ ରାଜକୋଟ ଦ୍ବିତୀୟ ସ୍ଥାନରେ ଏବଂ ନଭିମୁମ୍ବାଇ ତୃତୀୟ ସ୍ଥାନରେ ରହିଛି।

ଅପରପକ୍ଷେ ପୂର୍ବରୁ ପ୍ରଥମ କ୍ବାର୍ଟରରେ (ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ) ପ୍ରକାଶ ପାଇଥିବା ର‍୍ୟାଙ୍କିଂରେ ବ୍ରହ୍ମପୁରକୁ ୧୭୦ର‍୍ୟାଙ୍କ ମିଳିଥିବାବେଳେ, ରାଉରକେଲାକୁ ୨୩୧, କଟକକୁ ୨୪୩, ସମ୍ବଲପୁରକୁ ୨୮୦, ଭୁବନେଶ୍ବରକୁ ୩୧୧, ପୁରୀକୁ ୩୧୫, ବାରିପଦାକୁ ୩୨୪, ବାଲେଶ୍ବରକୁ ୩୩୪ ଏବଂ ଭଦ୍ରକକୁ ୩୫୩ ର‍୍ୟାଙ୍କ ମିଳିଥିଲା। ଭଦ୍ରକ ପୌରପାଳିକା କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସବୁ ସହରକୁ ମାତ୍‌ ଦେଇ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ସ୍ବଚ୍ଛ ସର୍ବେକ୍ଷଣ ୨୦୧୯ରେ ବ୍ରହ୍ମପୁରକୁ ୨୧୬ ର‍୍ୟାଙ୍କ ମିଳିଥିବାବେଳେ ଭୁବନେଶ୍ବରକୁ ୨୮୮, ବାଲେଶ୍ବରକୁ ୨୮୯, କଟକକୁ ୩୭୪, ରାଉରକେଲାକୁ ୩୫୩ ର‍୍ୟାଙ୍କ ମିଳିଥିଲା।

ସମ୍ବନ୍ଧିତ ଖବର