ଆଜିଠୁ ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ : ପଛରେ ପଡ଼ିଯିବ ଓଡ଼ିଶା!

ଭୁବନେଶ୍ୱର : ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିସନ ଅଭିଯାନରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮। ଏଥିରେ ସାରା ଦେଶରେ ୪୦୪୧ଟି ସହର ଭାଗ ନେଉଥିବାବେଳେ ରାଜ୍ୟର ୧୧୨ଟି ସହର ଏଥିରେ ସାମିଲ୍‌ ହୋଇଛନ୍ତି। ହେଲେ ଯେଉଁ ଯେଉଁ ଉପାଦାନକୁ ନେଇ ସର୍ଭେ ହେବାର ଅଛି ତାହାକୁ ଦେଖିଲେ ଓଡ଼ିଶାର ୧୦୦ରୁ ଅଧିକ ସହର ପ୍ରଥମ ଏକ ହଜାର ସ୍ୱଚ୍ଛ ସହର ଭିତରେ ରହିବା ସମ୍ଭାବନା କ୍ଷୀଣ। ଏହାବାଦ୍‌ ଗତଥର ସ୍ୱଚ୍ଛ ସର୍ବେକ୍ଷଣରେ ୯୪ତମ ସ୍ଥାନରେ ଥିବା ଭୁବନେଶ୍ୱର ଗତବର୍ଷ ତୁଳନାରେ ଏଥର ବିଶେଷ କିଛି ଉନ୍ନତି କରିନଥିବାରୁ ଶ୍ରେଷ୍ଠ ୧୦୦ରୁ ବାଦ୍‌ ପଡ଼ିଯିବା ଆଶଙ୍କା ସୃଷ୍ଟି ହେଲାଣି। ଅଧିକାଂଶ ସହରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଜାତୀୟ ସ୍ତରରେ ଓଡ଼ିଶା ଲଜ୍ଜିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜାନୁଆରି ୪ରୁ ମାର୍ଚ୍ଚ ୧୦ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱଚ୍ଛ ସର୍ଭେରେ ପ୍ରଥମ କରି ଦେଶର ସମସ୍ତ ସହରାଞ୍ଚଳକୁ ସାମିଲ୍‌ କରାଯାଇଛି। ଏହି ସର୍ଭେରେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ ଦ୍ୱାରା ୩୦% ମାର୍କ ମିଳିବାକୁ ଥିବାବେଳେ ସହରବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ୩୫% ଏବଂ ନାଗରିକ ମତାମତରୁ ୩୫% ମାର୍କ ମିଳିବ ବୋଲି ସ୍ଥିର ହୋଇଛି। ଗତବର୍ଷ ମୋଟ୍‌ ୨୦୦୦ ମାର୍କକୁ ନେଇ ସହରଗୁଡ଼ିକର ର‍୍ୟାଙ୍କିଂ ହୋଇଥିବାବେଳେ ଚଳିତବର୍ଷ ମୋଟ୍‌ ୪ହଜାର ମାର୍କକୁ ନେଇ ର‍୍ୟାଙ୍କିଂ ହେବ।

ରାଜ୍ୟର ସମସ୍ତ ସହରାଞ୍ଚଳର ସ୍ଥିତି ଏପରି ହୋଇଛି ଯେ, ଯଦି ମିଳୁଥିବା ସୁବିଧା ସୁଯୋଗକୁ କାଗଜପତ୍ରରେ ଦେଖାଇ ମୋଟ୍‌ ୩୫% ମାର୍କରୁ ଭଲ ମାର୍କ ସଂଗ୍ରହ କରନ୍ତି, କିନ୍ତୁ କେନ୍ଦ୍ରୀୟ ଟିମ୍‌ ସର୍ଭେରେ ଅସଲ ଚିତ୍ର ପଦାକୁ ଆସିଯିବ। କେନ୍ଦ୍ରୀୟ ଟିମ୍‌ ଆସିଲେ କିପରି ସବୁ ଉପାଦାନ ପୂରଣ କରାଯାଉଛି ସେଥିପାଇଁ ପୌରସଂସ୍ଥାଗୁଡ଼ିକ ଏବେ ଡଷ୍ଟବିନ୍‌ କିଣା ପ୍ରକ୍ରିୟା ଜୋର୍‌ କରିଛନ୍ତି। ଏହାପରେ ଏହାକୁ ବିଭିନ୍ନ ସ୍ଥାନରେ ଲଗାଯିବ। ସେହିପରି ସଫେଇ କର୍ମଚାରୀଙ୍କୁ ୟୁନିଫର୍ମ ସହ ପ୍ରତି ଘରୁ ଆବର୍ଜନା ସଂଗ୍ରହ କରିବାକୁ ଯୋଜନା ହୋଇଛି। କିନ୍ତୁ ବାସ୍ତବ ଚିତ୍ର ଯାହା ଅଛି ସେଥିରେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ ଏବଂ ନାଗରିକ ମତାମତରୁ ମୋଟ୍‌ ୬୫% ମାର୍କ ମିଳିବାକୁ ଥିବାବେଳେ ଏଥିରେ ଅଧିକାଂଶ ସହର ମାତ୍‌ ଖାଇଯିବା ଜଳଜଳ ଦିଶୁଛି।

ଲୋକଙ୍କୁ ମିଳୁଥିବା ସୁବିଧା ସୁଯୋଗ ପାଇଁ ଯେଉଁ ୩୫% ମାର୍କ ରହିଛି ସେଥିରୁ ଚଳିତବର୍ଷ ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ ପାଇଁ ୩୦% ମାର୍କ, ଆଇଇସିରେ ୫%, ସିବିରେ ୫% ମାର୍କ ମିଳିବ। କଠିନ ଓ ତରଳ ବର୍ଜ୍ୟବସ୍ତୁ ବିଶୋଧନ ଓ ନିଷ୍କାସନ ଉପରେ ୨୫% ମାର୍କ ରଖାଯାଇଛି। ନୂଆ ଉପାୟ ଅବଲମ୍ବନ ପାଇଁ ୫%, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ, ପରିବହନ ଓ ପରିଚାଳନା ପାଇଁ ୩୦% ମାର୍କ ରହିଛି। ସେହିପରି ଚଳିତବର୍ଷ ଉପରୋକ୍ତ ମାର୍କିଂରେ ଶୌଚାଳୟକୁ ପାଣି ସଂଯୋଗ, ତରଳ ବର୍ଜ୍ୟବସ୍ତୁ ପରିଚାଳନା, କମ୍ୟୁନିଟି ଓ ପବ୍ଲିକ ଟଏଲେଟ୍‌ ପରିଚାଳନା ଓ ମରାମତି ପାଇଁ କିଏ କିପରି କେତେ ଫି’ ସଂଗ୍ରହ କରୁଛନ୍ତି, ବିଜ୍ଞାପନ ଦେଉଛନ୍ତି କି ନାହିଁ ଏବଂ ବାଣିଜ୍ୟିକ କାର୍ଯ୍ୟକ୍ରମ କରିଛନ୍ତି ତାହାକୁ ମାର୍କିଂ କରିବା ସମୟରେ ବିଚାରକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ହେଲେ ୫ଟି ମହାନଗର ନିଗମ ଏବଂ ୯ଟି ଅମୃତ ସହରକୁ ଛାଡ଼ିଦେଲେ କୌଣସି ସହରାଞ୍ଚଳରେ ପ୍ରତି ଘରୁ ଆବାର୍ଜନ ସଂଗ୍ରହ ହେଉନି। ଏପରିକି କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ପୃଥକ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରାୟ ୨୫ଟି ବସ୍ତିକୁ ଛାଡ଼ିଦେଲେ ଅନ୍ୟ କୌଣସି ସହର ବାହାରେ ମଳତ୍ୟାଗମୁକ୍ତ ଅଞ୍ଚଳ ହୋଇନି। ଆବଶ୍ୟକୀୟ କମ୍ୟୁନିଟି ଟଏଲେଟ୍‌, ପବ୍ଲିକ ଟଏଲେଟ୍‌ ନାହିଁ। ଏପରିକି ଯେଉଁ ସହରାଞ୍ଚଳରେ ରାସ୍ତା ସଫେଇ ହେଉଛି ସେଥିପାଇଁ ଅଧିକାଂଶ ସ୍ଥାନରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି।

ଏହାବାଦ୍‌ କୌଣସି ସହରାଞ୍ଚଳରେ (୫ଟି ଯାକ ମହାନଗର ନିଗମ) ବି କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ କି ତରଳ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ ନାହିଁ। ଯେଉଁଥିପାଇଁ ସବୁ ସହରର ପ୍ରାୟ ୪୦୦ରୁ ଅଧିକ ମାର୍କ ଏକସଙ୍ଗେ କଟିଯିବ। ଏହାବାଦ୍‌ କେଉଁଠି ବି ଜୈବ ଓ ଅଜୈବ ଆବର୍ଜନା ପୃଥକ କରିବା ପାଇଁ ବ୍ୟବସ୍ଥା ନାହିଁ। କେବଳ ଭୁବନେଶ୍ୱରରେ ଏହା ଆରମ୍ଭ ହୋଇଥିବା କୁହାଯାଉଥିଲେ ହେଁ ଏହା ଆଜିଯାଏ ଆରମ୍ଭ ହୋଇପାରିଲାନି। ଏପରିସ୍ଥଳେ ଭୁବନେଶ୍ୱର ସମେତ ୫ମହାନଗର ନିଗମ, ସମସ୍ତ ଅମୃତ ସହର ଗତବର୍ଷ ତୁଳନାରେ ଭଲ ର‍୍ୟାଙ୍କ ପାଇଁ ସମ୍ଭାବନା କ୍ଷୀଣ ହୋଇଛି। ଛୋଟ ଛୋଟ ସହରକୁ ଏଥର ସର୍ଭେରେ ସାମିଲ୍‌ କରାଯାଇଥିବାରୁ ଏଥରର ଟକ୍କର କଡ଼ାକଡ଼ି ହେବା ପ୍ରାୟ ନିଶ୍ଚିତ ହୋଇଗଲାଣି।

ସୂଚନାଯୋଗ୍ୟ ଯେ, ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୭ରେ ସ୍ମାର୍ଟ ସିଟି ତାଲିକାରେ ଏକ ନମ୍ବର ଥିବା ଭୁବନେଶ୍ୱର ୯୪ତମ ସ୍ଥାନରେ ଥିଲା। ଓଡ଼ିଶାର ଅନ୍ୟ ସହର ମଧ୍ୟରେ ରାଉରକେଲା ୧୬୮ତମ, ବ୍ରହ୍ମପୁର ୧୮୭ତମ, ବାଲେଶ୍ୱର ୧୯୦ତମ, ପୁରୀ ୧୯୪ତମ, କଟକ ୨୦୪ତମ, ବାରିପଦା ୨୬୧ତମ, ସମ୍ବଲପୁର ୩୨୨ତମ, ଭଦ୍ରକ ୩୪୯ତମ ସ୍ଥାନରେ ଥିଲେ।

ସମ୍ବନ୍ଧିତ ଖବର