ପ୍ରକାଶ ପାଇଲା ସ୍ୱଚ୍ଛ ସର୍ବେକ୍ଷଣ ତାଲିକା : ଅଷ୍ଟମ ସ୍ଥାନରେ ଓଡ଼ିଶା

ଇନ୍ଦୋର ଦେଶର ସବୁଠୁ ସ୍ୱଚ୍ଛ ସହର

ଦ୍ରୁତ ଅଗ୍ରଗାମୀ ରାଜ୍ୟ ତାଲିକାରେ ଓଡ଼ିଶା ପ୍ରଥମ
ରାଜ୍ୟ‌ରେ ସବୁଠୁ ସ୍ୱଚ୍ଛ ବ୍ରହ୍ମପୁର, ଅଭିନବ ପଦକ୍ଷେପ ପାଇଁ ପୁରସ୍କୃତ

ଭୁବନେଶ୍ୱର : କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ୪୨୪୨ଟି ସହରକୁ ନେଇ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ର ଫଳାଫଳ ଆଜି ଘୋଷଣା ହୋଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ ସହର ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲେ ହେଁ ସହର ମଧ୍ୟରେ ମଧ୍ୟ ପ୍ରଦେଶର ଇନ୍ଦୋର ପୂର୍ବବର୍ଷ ଗୁଡ଼ିକ ଭଳି ଏଥର ସବୁଠୁ ସଫା ସହର ହୋଇଛି। ୧୦୦ରୁ ଅଧିକ ପୌରାଞ୍ଚଳ ଥିବା ରାଜ୍ୟ ଶ୍ରେଣୀରେ ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୮ମ ସ୍ଥାନରେ ରହିଛି। ଓଡ଼ିଶାକୁ ୧୩୫୩ ମାର୍କ ମିଳିଛି। ଗତବର୍ଷ ଓଡ଼ିଶା ୧୭ତମ ସ୍ଥାନରେ ଥିବାବେଳେ ଏଥର ୧୩୫୩.୨୨ ମାର୍କ ରଖି ୮ମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଏହି ତାଲିକାରେ ରାଜସ୍ଥାନ, ତାମିଲନାଡୁ, କର୍ଣ୍ଣାଟକ, ବିହାର ଭଳି ରାଜ୍ୟକୁ ପଛରେ ପକାଇ ଆଗରେ ରହିଛି ଓଡ଼ିଶା। କେବଳ ଏତିକି ନୁହେଁ ରାଜ୍ୟରେ ସ୍ବଚ୍ଛତା ପାଇଁ ବହୁ ପଦକ୍ଷେପ ନିଆଯାଇଥିବା‌ରୁ ଜାତୀୟ ସ୍ତରରେ ଦ୍ରୁତ ଅଗ୍ରଗାମୀ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ ପୁରସ୍କାର ହାସଲ କରିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କେନ୍ଦ୍ର ସହରାଞ୍ଚଳ ବ୍ୟାପର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଓଡ଼ିଶା ରାଜ୍ୟ ଶ୍ରେଣୀରେ ଉପରକୁ ଉଠିଥିବା ବେଳେ ବିଭିନ୍ନ ସହର ମଧ୍ୟ ପୂର୍ବବର୍ଷ ତୁଳନାରେ ଭଲ ରୢାଙ୍କ ପାଇଛନ୍ତି। ଏଥର ୬ହଜାର ମାର୍କକୁ ନେଇ ପ୍ରତିଯୋଗିତା ହୋଇଥିବା ବେଳେ ବ୍ରହ୍ମପୁର ୩୭୧୮.୫୫ ମାର୍କ ରଖି ୬୩ତମ ସ୍ଥାନରେ ରହିଛି। ବ୍ରହ୍ମପୁର ରାଜ୍ୟର ସବୁଠୁ ସ୍ବଚ୍ଛ ସହରର ମାନ୍ୟତା ପାଇଛି। ଗତବର୍ଷ ୨୧୬ତମ ସ୍ଥାନରେ ଥିବା ବ୍ରହ୍ମପୁର ଏଥର ୬୩ତମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଅଭିନବ ଯୋଜନା କରି ବ୍ରହ୍ମପୁର ସ୍ବଚ୍ଛ ସହର ପାଲଟିଯାଇଥିବାରୁ ବ୍ରହ୍ମପୁର ମହାନଗର ନିଗମକୁ ପୁରସ୍କୃତ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିସନର ଏହି ପୁରସ୍କାର ଗ୍ରହଣ କରିଥିଲେ।

ସେହିପରି ରାଉରକେଲା ୧୫୬ତମ ସ୍ଥାନରେ ଥିବାବେଳେ ବାରିପଦା ୧୯୫ତମ, କଟକ ୨୩୨ତମ, ଭୁବନେଶ୍ବର ୨୩୩ତମ, ପୁରୀ ୨୫୬ତମ, ସମ୍ବଲପୁର ୨୬୫, ଭଦ୍ରକ ୨୬୬ତମ ଏବଂ ବାଲେଶ୍ବର ୩୪୭ତମ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ମୋଟ୍ ୫ହଜାର ମାର୍କକୁ ନେଇ ସର୍ଭେ ହୋଇଥିବା ବେଳେ ବ୍ରହ୍ମପୁର ୨୨୦୫.୩୨ମାର୍କ ରଖି ୨୧୬ତମ ସ୍ଥାନରେ, ଭୁବନେଶ୍ବର ୧୮୭୮.୪୩ ମାର୍କ ରଖି ୨୮୮ତମ ସ୍ଥାନରେ, ବାଲେଶ୍ବର ୧୮୭୧.୮୫ମାର୍କ ରଖି ୨୮୯ତମ, ବାରିପଦା ୧୭୦୩.୫୩ ମାର୍କ ରଖି ୩୧୬ତମ, ସମ୍ବଲପୁର ୧୬୭୪.୮୯ମାର୍କ ରଖି ୩୨୩ତମ, ପୁରୀ ୧୫୭୯.୦୮ମାର୍କ ରଖି ୩୩୯ତମ, ରାଉରକେଲା ୧୫୧୨.୮୫ମାର୍କ ରଖି ୩୫୩ତମ, କଟକ ୧୪୦୨.୦୯ମାର୍କ ରଖି ୩୭୪ତମ, ଭଦ୍ରକ ୯୮୨.୩୯ ମାର୍କ ରଖି ୪୧୮ତମ ସ୍ଥାନରେ ରହିଥିଲେ। ଏଥର ବାଲେଶ୍ବରକୁ ଛାଡ଼ି ସବୁ ସହର ଭଲ ରୢାଙ୍କ ପାଇଛନ୍ତି। ଏଥର ପୌର ସଂସ୍ଥାର ତଥ୍ୟ, ଜିଓ ଟ୍ୟାଗ୍‌ ଫଟୋ, ନାଗରିକ ମତାମତକୁ ନେଇ ମାର୍କ ଦିଆଯାଇଥିଲା। ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ଗତ ୫ବର୍ଷ ହେଲା ଆୟୋଜନ ହେଉଥିବା ବେଳେ ଓଡ଼ିଶାକୁ ଏଥର ଦ୍ରୁତ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କାର ମିଳିଛି। ସ୍ବଚ୍ଛ ଓଡ଼ିଶା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଥିବାରୁ ଚଳିତବର୍ଷ ଏହି ସମ୍ମାନ ମିଳିଛି। ତେଣୁ ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ସ୍ବଚ୍ଛ ଓଡ଼ିଶା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ମ୍ୟାଟେରିଆଲ ରିକଭରି ଫାସିଲିଟି ଆଦି ବିକେନ୍ଦ୍ରୀକୃତ ବ୍ୟବସ୍ଥା ମାଧ୍ୟମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ତରଳ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ମୋ ଖତ ଯୋଜନାରେ ଜୈବିକ ଖତ ପ୍ରସ୍ତୁତି, ବିକେନ୍ଦ୍ରୀକୃତ ମଳ ପରିଚାଳନା ଓ ଏସ୍‌ଏଚ୍‌ଜିର ମହିଳାମାନଙ୍କୁ ସାମିଲ୍‌ କରାଯାଇଥିବାରୁ ଓଡ଼ିଶାକୁ ଏହି ସଫଳତା ମିଳିଛି।

ସ୍ୱଚ୍ଛତା ସର୍ଭେରେ ଦେଶର ଶ୍ରେଷ୍ଠ ୧୦ ସହର
ର‍୍ୟାଙ୍କ  ସହର   ପ୍ରାପ୍ତ ନମ୍ବର
୧. ଇନ୍ଦୋର  ୫୬୪୭.୫୬
୨. ସୁରତ ୫୫୧୯.୫୯
୩. ନଭିମୁମ୍ବାଇ ୫୪୬୭.୮୯
୪. ଅମ୍ବିକାପୁର ୫୪୨୮.୩୧
୫. ମହୀଶୂର ୫୨୯୮.୬୧
୬. ବିଜୟୱାଡା ୫୨୭୦.୩୨
୭. ଅହମ୍ମଦାବାଦ ୫୨୦୭.୧୩
୮. ନୂଆଦିଲ୍ଲୀ ୫୧୯୩.୨୭
୯. ଚନ୍ଦ୍ରପୁର ଏମ୍ ୫୧୭୮.୯୩
୧୦. ଖରଗୋନ୍ ୫୧୫୮.୩୬

ସମ୍ବନ୍ଧିତ ଖବର