ସ୍ୱଚ୍ଛ ସର୍ଭେକ୍ଷଣ ତାଲିକା ପ୍ରକାଶ ପାଇଲା : ଓଡ଼ିଶା ୨୨ତମ ସ୍ଥାନରେ, ଭୁବନେଶ୍ୱର ୨୪୫କୁ ଖସିଲା

ଭୁବନେଶ୍ୱର : ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିସନ ଅଭିଯାନରେ ଜାନୁଆରି ୪ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହୋଇଥିବା ସ୍ୱଚ୍ଛ ସର୍ଭେକ୍ଷଣ-୨୦୧୮ର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଆଜି ପ୍ରକାଶ ପାଇଛି। ଏଥିରେ ରାଜ୍ୟ ଅନୁଯାୟୀ, ଏକ ଲକ୍ଷରୁ ଉର୍ଦ୍ଧ୍ୱ ସହର ଏବଂ ଏକ ଲକ୍ଷରୁ କମ୍‌ ସହରଗୁଡ଼ିକର ର‍୍ୟାଙ୍କ ପ୍ରକାଶ ପାଇଛି। ରାଜ୍ୟ କ୍ୟାଟେଗୋରିରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୨୨ତମ ସ୍ଥାନରେ ରହିଛି। ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ସର୍ଭେରେ ସାମିଲ୍‌ ହୋଇଥିବାବେଳେ ଦେଶର ୪,୨୦୩ଟି ସହର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନରେ ଥିବାବେଳେ ଭୋପାଳ ଦ୍ୱିତୀୟ ସ୍ଥାନରେ ରହିଛି। ଭୁବନେଶ୍ୱର ୨୪୫ତମ ସ୍ଥାନରେ ରହିଛି। ସ୍ୱଚ୍ଛ ସର୍ଭେକ୍ଷଣ-୨୦୧୭ରେ ୯୪ତମ ସ୍ଥାନରେ ଥିବା ଭୁବନେଶ୍ୱର ଏଥର ମୋଟ୍‌ ୪ହଜାର ମାର୍କରୁ ୧୮୮୭.୮୨ମାର୍କ ରଖି ୨୪୫ତମ ସ୍ଥାନରେ ରହିଛି। ଭୁବନେଶ୍ୱର ଓଡ଼ିଶାର ସବୁଠୁ ସ୍ୱଚ୍ଛ ସହର ମାନ୍ୟତା ପାଇଥିଲେ ହେଁ ଗତ ବର୍ଷ ଠାରୁ ବହୁତ କମ୍‌ ର‍୍ୟାଙ୍କ ପାଇଛି। ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି କୁହାଯାଉଛି।

ସେହିପରି ୧ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ବାଲେଶ୍ୱର ସହର ୧୬୭୦.୦୫ ମାର୍କ ରଖି ୩୦୧ତମ, ରାଉରକେଲା ସହର ୧୬୫୭.୪୩ ମାର୍କ ରଖି ୩୦୭ତମ, ବ୍ରହ୍ମପୁର ୧୬୫୭.୩ ମାର୍କ ରଖି ୩୦୮ତମ, ବାରିପଦା ସହର ୧୪୪୯.୧୨ମାର୍କ ରଖି ୩୫୭ତମ, ଭଦ୍ରକ ମ୍ୟୁନିସପାଲଟି ୧୨୭୭.୬୫ମାର୍କ ରଖି ୩୮୩ତମ, ପୁରୀ ମ୍ୟୁନିସପାଲଟି ୧୨୪୦.୪୪ ମାର୍କ ରଖି ୩୯୧ତମ, କଟକ ୧୧୮୯.୮୩ ମାର୍କ ରଖି ୪୦୨, ସମ୍ବଲପୁର ସହର ୧୦୪୦.୯୫ ମାର୍କ ରଖି ୪୩୧ତମ, ହିନ୍ଦୋଳ ଏନ୍‌ଏସି ୮୯୭.୯ ମାର୍କ ରଖି ୪୪୯ତମ ଏବଂ ଚାନ୍ଦବାଲି ଏନ୍‌ଏସି ୫୮୬.୭୧ ମାର୍କ ରଖି ୪୭୯ତମ ସ୍ଥାନରେ ରହିଛି।

ଯେତେବେଳେ କି ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିବାବେଳେ ରାଉରକେଲା ୧୬୮ତମ, ବ୍ରହ୍ମପୁର ୧୮୭ତମ, ବାଲେଶ୍ୱର ୧୯୦ତମ, ପୁରୀ ୧୯୪ତମ, କଟକ ୨୦୪ତମ, ବାରିପଦା ୨୬୧ତମ, ସମ୍ବଲପୁର ୩୨୨ତମ, ଭଦ୍ରକ ୩୪୯ତମ ସ୍ଥାନରେ ଥିଲେ। ସେହିପରି ୧ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଓଡ଼ିଶାର ୧୦୧ଟି ସହର ସ୍ଥାନ ପାଇଥିବାବେଳେ ଏଥିରେ ରମ୍ଭା ଏନ୍‌ଏସି ୧୭୮୮ ମାର୍କ ରଖି ୧୮୭ତମ ସ୍ଥାନରେ ରହିଛି। ଏହି ତାଲିକାରେ ସବା ଶେଷ ସ୍ଥାନରେ ବେଲଗୁଣ୍ଠା ଏନ୍‌ଏସି ରହିଛି। ଏହା ୪୯୦ମାର୍କ ରଖି ୪୫୯ତମ ସ୍ଥାନରେ ରହିଛି। ଚଳିତବର୍ଷ ମୋଟ୍‌ ୪ହଜାର ମାର୍କ ପାଇଁ ସର୍ଭେ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ ଦ୍ୱାରା ୩୦% ମାର୍କ, ସହରବାସୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉପରେ ୩୫% ଏବଂ ନାଗରିକ ମତାମତରୁ ୩୫% ମାର୍କ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର