ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲାର ଗ୍ରାମାଞ୍ଚଳରେ ବାହ୍ୟ ଶୌଚମୁକ୍ତ ଗାଁ, ପଞ୍ଚାୟତର ସ୍ଲୋଗାନ କେବଳ କାନ୍ଥବାଡ଼ରେ ସୀମିତ ରହିଯାଇଛି। ସ୍ବଚ୍ଛ ଭାରତ ମିଶନରେ ଗାଁରେ ଦିଆଯାଇଥିବା ଆବର୍ଜନା ଗାଡ଼ି, ନିର୍ମାଣ ହୋଇଥିବା ନାଳ ପୋତି ହୋଇପଡ଼ିଛି। ନୂଆ ଶୌଚାଳୟ ନିର୍ମାଣ ହେଉନାହିଁ କି ନିର୍ମିତ ଶୌଚାଳୟ, ଆବର୍ଜନା ପ୍ରକ୍ରିୟାକରଣ କୁଣ୍ଡ ବ୍ୟବହାର ହେଉନାହିଁ। ବିଭାଗୀୟ ତଥ୍ୟାନୁସାରେ ୨୦୨୨ ନଭେମ୍ବର ପରଠାରୁ ଜିଲ୍ଲାର ଗ୍ରାମାଞ୍ଚଳରେ ଏହି ଅଭିଯାନରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ।
ଖୋର୍ଦ୍ଧା ଜିଲ୍ଲାରେ ୧୩୬୨ଟି ଗାଁରେ ରହୁଛନ୍ତି ୨ଲକ୍ଷ ୮୯ହଜାର ୭୦୩ ପରିବାର। ୨୦୨୨ ନଭେମ୍ବର ମାସ ସୁଦ୍ଧା ଜିଲ୍ଲାର ୨ଲକ୍ଷ ୮ହଜାର ୫୭୮ଟି ଘରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଥିଲା। ଅର୍ଥାତ୍ ପ୍ରାୟ ୮୧ ହଜାର ପରିବାର ନିମନ୍ତେ ଶୌଚାଳୟ ନିର୍ମାଣ ହୋଇପାରିନଥିଲା। ତେବେ ଏହା ମଧ୍ୟରେ ୧ ବର୍ଷ ବିତିଯାଇଛି କିନ୍ତୁ ଏହା ପରଠାରୁ ଜିଲ୍ଲାରେ କୌଣସି ଶୌଚାଳୟ ନିର୍ମାଣ ହୋଇନାହିଁ। ସ୍ବଚ୍ଛଭାରତ ମିଶନର ତଥ୍ୟାନୁସାରେ, ଜିଲ୍ଲାରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ କାମର ସଂପୂର୍ଣ୍ଣତା ୬୭ ପ୍ରତିଶତରେ ଅଟକି ଯାଇଛି। ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସଦ୍ୟତମ ସୂଚନାନୁସାରେ, ୨୦୨୨ ନଭେମ୍ବର ମାସରେ ଜିଲ୍ଲାରେ ବାହ୍ୟ ଶୌଚମୁକ୍ତ ଗାଁ (ଓଡିଏଫ୍) ୫୮୧ ରହିଥିଲା। ଗତ ୧ ବର୍ଷ ମଧ୍ୟରେ ଏଥିରେ କେବଳ ୪ଟି ଗାଁ ଯୋଡ଼ି ହୋଇଛନ୍ତି, ଅର୍ଥାତ୍ ସରକାରୀ ନଥିପତ୍ର ଅନୁସାରେ ଜିଲ୍ଲାରେ ବର୍ତମାନ ୫୮୪ଟି ଓଡିଏଫ୍ ରହିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଯାଞ୍ଚରେ କେବଳ ୫୧୯ଟିକୁ ଓଡିଏଫ୍ ଘୋଷଣା କରାଯାଇଥିବା ବେଳେ ନିର୍ଦ୍ଧାରିତ ମାନକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ହୋଇଥିବା ୬୫ଟି ଗାଁ କଟି ଯାଇଛି।
କେନ୍ଦ୍ର ସରକାରଙ୍କ ତଥ୍ୟାନୁସାରେ, ଓଡିଏଫ୍ ଗାଁ ଗଠନରେ ବାଲିପାଟଣାରେ ୯୭ ପ୍ରତିଶତ ଅଗ୍ରଗତି କରିଥିବା ବେଳେ ଭୁବନେଶ୍ବର ବ୍ଲକରେ ୮୬.୯୬ ପ୍ରତିଶତ, ଖୋର୍ଦ୍ଧାରେ ୮୫.୭୧ ପ୍ରତିଶତ, ବୋଲଗଡ଼ରେ ୭୯.୪୯ ପ୍ରତିଶତ, ବାଲିଅନ୍ତାରେ ୭୪.୬୦ ପ୍ରତିଶତ, ଟାଙ୍ଗୀରେ ୭୨.୮୮ ପ୍ରତିଶତ, ଜଟଣୀରେ ୫୪.୭୬ ପ୍ରତିଶତ, ବେଗୁନିଆରେ ୫୩.୮୫ ପ୍ରତିଶତ, ଚିଲିକାରେ ୪୫.୬୧ ପ୍ରତିଶତ ଓ ବାଣପୁରରେ ୪୫.୬୯ ପ୍ରତିଶତ ଅଗ୍ରଗତି ରହିଛି। ସେହିଭଳି ନଭେମ୍ବର ୨୦୨୨ ବେଳକୁ ଜିଲ୍ଲାରେ ୧୩୯ଟି ସାମୂହିକ ଶୌଚାଳୟ ରହିଥିଲା। ୬୬୬ ଆବର୍ଜନା ଗୋଟାଇବା ଗାଡ଼ି ରହିଥିଲା, ୬୩୮ଟି ଗାଁରେ ନାଳ ନିର୍ମାଣ କରାଯାଇଥିଲା ଓ୬୩୧ଟି ଗାଁରେ ଆବର୍ଜନା ପ୍ରକ୍ରିୟାକରଣ କୁଣ୍ଡ ନିର୍ମାଣ କରାଯାଇଥିଲା। ଗତ ୧ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ ବରଂ ନିର୍ମିତ ହୋଇଥିବା ଗ୍ରାମାଞ୍ଚଳର ଅଧିକାଂଶ ନାଳ ପୋତି ହୋଇପଡ଼ିଛି। ଏହା ସହ ଗ୍ରାମାଞ୍ଚଳର ପାଇପ ବିଛାଇବା ବେଳେ ନାଳଗୁଡ଼ିକ ନଷ୍ଟ ହୋଇଥିବା ବିଭାଗର ଅଧିକାରୀ କହିଛନ୍ତି। ଗାଁରେ ନିର୍ମାଣ କରାଯାଇଥିବା ସ୍ବତନ୍ତ୍ର ଆବର୍ଜନା ପ୍ରକ୍ରିୟାକରଣ କୁଣ୍ଡ, ଆବର୍ଜନା ସଂଗ୍ରହ ଗାଡ଼ି ମଧ୍ୟ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏନେଇ ଜିଲ୍ଲା ପରିଷଦର (ପୂର୍ବ ଗ୍ରାମ୍ୟ ଉନ୍ନୟନ ବିଭାଗ)ର କୌଣସି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।