ଆଜିଠାରୁ ଭୁବନେଶ୍ୱରରେ ‘ସ୍ୱଦେଶୀ ମେଳା’

ଭୁବନେଶ୍ୱର : ରାଉରକେଲାରେ ଗତ ୨୨ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ସ୍ୱଦେଶୀ ମେଳା ଚଳିତ ବର୍ଷ ଭୁବନେଶ୍ୱରର ରସୁଲଗଡ଼ ଦୁର୍ଗାମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ମେଳା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୧୬ ତାରିଖରେ ଉଦ୍‌ଯାପିତ ହେବ। ଚାଇନା ଦ୍ରବ୍ୟକୁ ବର୍ଜନ କରି ସ୍ୱଦେଶୀ ଦ୍ରବ୍ୟର ବହୁଳ ମାତ୍ରାରେ ବ୍ୟବହାର ସହିତ ଭାରତୀୟମାନଙ୍କ ମଧ୍ୟରେ ସ୍ୱଦେଶୀ ସଚେତନତା ସୃ୍‌ଷ୍ଟି କରିବା ସ୍ୱଦେଶୀ ମେଳାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କଠାରୁ ପ୍ରକାଶ।

ଏଠାରେ ସୂଚନାଯୋଗ୍ୟ ସ୍ୱଦେଶୀ ମେଳା ରାୟପୁର, ରାଞ୍ଚି, ଟାଟା, ଭୋପାଳ, ଦିଲ୍ଲୀ ସମେତ ଦେଶର ବିଭିନ୍ନ ବଡ଼ ବଡ଼ ସହରମାନଙ୍କରେ ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ଭବନେଶ୍ୱରରେ ୧୧ ଦିନ ଧରି ଚାଲିବାକୁ ଥିବା ଏହି ବୃହତ ସ୍ୱଦେଶୀ ବାଣିଜ୍ୟ ମେଳାରେ ଇଣ୍ଡିଆନ୍‌ ଅଏଲ୍‌, ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ସହିତ ଦେଶର ନାମୀଦାମୀ କମ୍ପାନି ଗଦ୍‌ରେଜ୍‌, ଟାଟା, ଏୟାର୍‌ଟେଲ୍‌, ତନିସ୍କ ପ୍ରଭୃତି ସେମାନଙ୍କର ଦ୍ରବ୍ୟ ବିକ୍ରୟ ପାଇଁ ଷ୍ଟଲ୍‌ ନେଇଛନ୍ତି। ଏହା ବ୍ୟତୀତ ନାମୀଦାମୀ ମସଲା କମ୍ପାନି, ଇଲେକ୍ଟି୍ରକାଲ୍‌ ଓ ଇଲେକ୍ଟ୍ରୋନିକ୍‌ କମ୍ପାନିର ଦ୍ରବ୍ୟ ସହିତ ଅତ୍ୟାଧୁନିକ ପର୍ଣ୍ଣିଚର, ହ୍ୟାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡଲୁମ୍‌, ଘରସଜା ସାମଗ୍ରୀ, ମହିଳାଙ୍କ ପାଇଁ ସୌନ୍ଦର୍ଯ୍ୟ ସାମଗ୍ରୀ, ପିଲାମାନଙ୍କ ପାଇଁ ମନପସନ୍ଦର ଖେଳଣା ମଧ୍ୟ ମେଳାରେ ଉପଲବ୍ଧ ହେବ।

କେବଳ ସେତିକି ନୁହେଁ, ସ୍ମାର୍ଟ ସିଟିର ସ୍ମାର୍ଟ ଜନତାଙ୍କ ପେଟ ପୂଜା ପାଇଁ ସୁସ୍ୱାଦୁ ରାଜସ୍ଥାନୀ ଖାଦ୍ୟ, ବାରିପଦା ମଟନ୍‌-ମୁଢ଼ି, କେନ୍ଦ୍ରାପଡ଼ାର ରସାବଳି ସହିତ ଅନ୍ୟାନ୍ୟ ଚଟପଟି ଖାଦ୍ୟ ସହିତ ପ୍ରତିଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଜନସାଧାରଣଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ଆୟୋଜକମାନଙ୍କଠାରୁ ପ୍ରକାଶ। ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସ୍ୱଦେଶୀ ମେଳାରେ ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ କରାଯାଇଛି ବୋଲି ନଗର ସଂଯୋଜକ ବିଜୟ ରାଉତରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର