ଗୋଟିଏ ଦିନରେ ତିନି ସ୍ୱାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ବର : ଗୋଟିଏ ଦିନରେ ବିଧାନସଭାରେ ତିନି ତିନିଟି ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରିଛନ୍ତି ବିଧାୟକ। ତିନିଟି ଯାକ ସ୍ବାଧିକାର ନୋଟିସ ବିରୋଧୀ କଂଗ୍ରେସ ଦଳ ଦେଇଛି। ବିଜେପି ମୁଖପାତ୍ର ଓ ରାଜ୍ୟ ସରକାରଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏହି ସ୍ବାଧିକାର ଭଙ୍ଗ ନୋଟିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସଭ୍ୟମାନେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ସେ ନୋଟିସ ପାଇଥିଲେ, ଗୃହରେ ସଭ୍ୟଙ୍କ ମତ ଶୁଣିଲେ। ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ତାଙ୍କ ନିଷ୍ପତ୍ତି ଶୁଣାଇବେ।

ଆଜି ପ୍ରଶ୍ନକାଳ ସରିବା ପରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବିଜେପି ମୁଖପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରିଥିଲେ। କହିଥିଲେ ଯେ ନିକଟରେ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷଙ୍କୁ ସୁପ୍ରିମ କୋର୍ଟ ଦୋଷୀ ବୋଲି କହିଛନ୍ତି। ଯେଉଁ କାରଣ ଲାଗି ସେ କ୍ଷେତ୍ରରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିଲେ, ଏଠାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ଗୃହରେ ଆଲୋଚନାରେ ଭାଗ ନେବା ବେଳେ ବିଧାୟକମାନେ ନିର୍ଭିକ ଭାବେ ସେମାନଙ୍କ ମତ ପୋଷଣ କରିଥାନ୍ତି। ଶଙ୍କରାଚାର୍ଯ୍ୟଙ୍କ ସଂପର୍କରେ ଯେଉଁ ଆଲୋଚନା ସେ ଗୃହରେ କରିଥିଲେ, ସେଥିରେ କିଛି ଆପତ୍ତିଜନକ କଥା ନଥିଲା, ସେଥିପାଇଁ ବାଚସ୍ପତି ସମ୍ଭବତଃ କୌଣସି ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେଇନାହାନ୍ତି। ଅଥଚ ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କୁ ଅପମାନ କରାଯାଇଛି। ଅର୍ଥାତ୍ ଏହାର ଭୁଲ ତର୍ଜମା କରାଯାଇଛି। ଅତଏବ ଏଥିରେ ତାଙ୍କର ସ୍ବାଧିକାର ଭଙ୍ଗ ହୋଇଛି। ଏଣୁ ବାଚସ୍ପତି ଏହାକୁ ଗ୍ରହଣ କରି ସ୍ବାଧିକାର କମିଟିକୁ ପଠାଇବାକୁ ସେ ଦାବି କରିଥିଲେ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲେ। ବଲାଙ୍ଗୀର ଜିଲ୍ଲା ତୁରେଇକେଲାରେ ଜଳସେଚନ ନେଇ ମନ୍ତ୍ରୀ ଦେଇଥିବା ପୃଥକ୍ ପୃଥକ୍ ଉତ୍ତରକୁ ନେଇ ସେ ଆପତ୍ତି ଉଠାଇଥିଲେ। ନଭେମ୍ବର ୧୪ ତାରିଖ ଗୋଟିଏ ଦିନରେ ଦୁଇଟି ଭିନ୍ନ ପ୍ରଶ୍ନରେ ଗୋଟିଏ ବିଭାଗ କିଭଳି ଦୁଇଟି ଭିନ୍ନ ଉତ୍ତର ଦେବ ବୋଲି ପଚାରିଥିଲେ ଶ୍ରୀ ସାଲୁଜା। କହିଥିଲେ ଯେ ପ୍ରଥମତଃ, ଗୋଟିକରେ ମଗାଯାଇଥିବା ପୂର୍ଣ୍ଣାଙ୍ଗ ତଥ୍ୟ ଦିଆଯାଇନାହିଁ। ଦ୍ବିତୀୟରେ ପୁଣି ମନ୍ତ୍ରୀ ଗୋଟିକରେ କହିଛନ୍ତି, ତୁରେଇକେଲାରେ ୨୭% ଜଳସେଚନ ହୋଇଛି, ଅନ୍ୟଟିରେ କହିଛନ୍ତି ଯେ ୨୬.୯୩%। ମନ୍ତ୍ରୀମାନେ ଆବଶ୍ୟକ ପ୍ରସ୍ତୁତି କରି ଗୃହକୁ ଆସୁନାହାନ୍ତି ବୋଲି ବିଧାୟକ ଅଭିଯୋଗ କରିବା ସହିତ ସଂପୃକ୍ତ ମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଯେ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାର ସ୍ବାଧିକାର ଭଙ୍ଗ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବ ଆଗତ କରିବା ବେଳେ ମୋକିମ୍ କହିଥିଲେ ଯେ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ୪୫ ହଜାର ୯୬୫ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହୋଇଥିବା କହିଥିଲେ। ହେଲେ ସୂଚନା ଅଧିକାରୀ ଆଇନ ଆଧାରରେ ମିଳିଥିବା ତଥ୍ୟ ଅନୁଯାୟୀ ୧୦ଟି ଜିଲ୍ଲାରେ ୧ ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ଥିବା କୁହାଯାଇଛି। ଜିଲ୍ଲା କୃଷି ଅଧିକାରୀମାନେ ଏହି ତଥ୍ୟ ଦେଇଛନ୍ତି। କେବଳ ସୋନପୁର ଜିଲ୍ଲାରେ ୩୭ ହଜାର ୭୫୯ ଜଣ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ଏଣୁ କୋଉ ତଥ୍ୟ ଠିକ, ଆଇଟିଆଇ ତଥ୍ୟ ନା ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ବୋଲି ମୋକିମ ପ୍ରଶ୍ନ କରିଥିଲେ। ଯଦି ସୂଚନା ଅଧିକାର ତଥ୍ୟ ଠିକ୍ ଥାଏ, ତେବେ କୃଷି ମନ୍ତ୍ରୀ ଦୋଷ ସ୍ବୀକାର କରିବା ସହିତ ଇସ୍ତଫା ଦେବା ଦରକାର ବୋଲି ମୋକିମ୍ କହିଥିଲେ।

ସମ୍ବନ୍ଧିତ ଖବର