ପୁଣି ଚର୍ଚ୍ଚାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା : ଅନୁକମ୍ପା ରାଶି ଫେରାଇବାକୁ ପୁଲିସ୍‌ର ନୋଟିସ୍

ଟଙ୍କା ଖର୍ଚ୍ଚ କରିଦେଇଛୁ, ଫେରାଇବା ସାମର୍ଥ୍ୟ ନାହିଁ: ପୁଅବୋହୂ
ଟଙ୍କା ପାଇଁ ବାଧ୍ୟ କଲେ ଆତ୍ମାହୁତି ଦେବାକୁ ଚେତାବନୀ

ଫୁଲବାଣୀ : ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା। ସ୍ବାମୀଜୀଙ୍କ ପୁତ୍ରଙ୍କୁ ଦିଆଯାଇଥିବା ଅନୁକମ୍ପା ରାଶି ଫେରାଇବାକୁ କନ୍ଧମାଳ ପୁଲିସ୍‌ ନୋଟିସ୍‌ ଦେଇଛନ୍ତି। କନ୍ଧମାଳ ଏସ୍‌.ପି ଗତ ୨୦୧୫ ମସିହାରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ପୁତ୍ର ଲୋକନାଥ ନାଥଙ୍କୁ ଅନୁକମ୍ପା ରାଶି ବାବଦରେ ୨ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ। ମାତ୍ର, ଭୁଲବଶତଃ ତାଙ୍କୁ ଏହି ଟଙ୍କା ଦିଆଯାଇଛି ବୋଲି କହି ତୁରନ୍ତ ଟଙ୍କା ଫେରାଇବାକୁ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁତ୍ର ଲୋକନାଥଙ୍କୁ କନ୍ଧମାଳ ଏସ୍‌.ପିଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ୍‌ (ନଂ-୧୧୧୭, ତା.୧/୧୨/୨୦୧୫ରିଖ) କରାଯାଇଛି। ନୋଟିସ୍‌ ନେଇ ଏବେ ସ୍ଥିତି ଜଟିଳ ହୋଇଛି। ଅନୁକମ୍ପା ରାଶି ଖର୍ଚ୍ଚ କରିଦେଇଥିବା ଏବଂ ଦାରିଦ୍ର୍ୟ କାରଣରୁ ଟଙ୍କା ଫେରାଇବାର ସାମର୍ଥ୍ୟ ନ ଥିବା ଲୋକନାଥ କହିଛନ୍ତି। ଏମିତିକି ବାଧ୍ୟକଲେ ଏସ୍‌ପିଙ୍କ ଅଫିସ୍‌ ସାମ୍ନାରେ ଆତ୍ମାହୁତି ଦେବେ ବୋଲି ପତ୍ନୀ ବାସନ୍ତୀ ନାଥଙ୍କ ସହ ସେ ଚେତାବନୀ ଦେଇଛନ୍ତି।

ଗତ ୨୦୦୮ ମସିହାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମରେ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ସେତେବେଳେ ଏହି ଘଟଣା ରାଜ୍ୟ ତଥା ଦେଶବିଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହାକୁ ନେଇ କନ୍ଧମାଳ ଜିଲ୍ଲାରେ ଦଙ୍ଗା ସ୍ଥିତି ଉପୁଜିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣ ପାଣ୍ଠିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବିଧବା ପତ୍ନୀ ରାଧିକା ନାଥଙ୍କୁ ପ୍ରଦାନ କରାଯାଇଥିଲା। ଏହାର ଏକ ବର୍ଷ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରାଧିକାଙ୍କୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରା ଯାଇଥିଲା। ରାଧିକା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ଏବଂ ଏହି ସହାୟତା ରାଶି ତାଙ୍କର ଚିକିତ୍ସା ଖର୍ଚ୍ଚରେ ବିନିଯୋଗ ହୋଇ ଯାଇଥିଲା। ତେବେ, ୨୦୧୫ ମସିହାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁତ୍ର ଲୋକନାଥଙ୍କୁ କନ୍ଧମାଳ ଏସ୍‌.ପି ପୁନର୍ବାର ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସୂଚନା ଅନୁସାରେ, ଏହି ଅର୍ଥ ପ୍ରଦାନ ପାଇଁ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଳଚେର ତହସିଲ୍‌ଦାର୍‌ଙ୍କୁ ଏକ ଚିଠି କରାଯାଇଥିଲା। ସେତେବେଳେ ଲୋକନାଥ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିଜସ୍ବ ଗ୍ରାମ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗରେ ରହୁଥିଲେ। ତାଳଚେର ତହସିଲ୍‌ଦାର୍‌ ସେଠାକୁ ଯାଇ କନ୍ଧମାଳ ଏସ୍‌.ପିଙ୍କ ପକ୍ଷରୁ ଲୋକନାଥଙ୍କୁ ୨ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ। ମାତ୍ର ଏହି ଚେକ୍‌ ପ୍ରଦାନ କରାଯିବାର ୪ ମାସ ପରେ କନ୍ଧମାଳ ଏସ୍‌.ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକନାଥଙ୍କ ଘର ଠିକଣାରେ ଏକ ନୋଟିସ୍‌ ପହଞ୍ଚିଥିଲା। ଭୁଲ୍‌ବଶତଃ ଲୋକନାଥଙ୍କ ନାମରେ ୨ ଲକ୍ଷ ଟଙ୍କାର ଏକ ଚେକ୍‌ ଦିଆଯାଇଛି ଏବଂ ତୁରନ୍ତ ଏ ଟଙ୍କାକୁ ଫେରାଇ ଦେବାକୁ କନ୍ଧମାଳ ଏସ୍‌ପି ଏହି ନୋଟିସ୍‌ରେ ଲୋକନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।

‌ଲୋକନାଥଙ୍କ କହିବାନୁସାରେ, କନ୍ଧମାଳ ଏସ୍‌ପିଙ୍କ ନୋଟିସ୍‌ ପରେ ସେ ଧାର୍‌ଉଧାର କରି ୧ ଲକ୍ଷ ଟଙ୍କା ଫେରାଇ ପାରିଥିଲେ। ତାଙ୍କ ମା’ ରୋ‌ଗରେ ପୀଡ଼ିତ ଥିବାରୁ ଏବଂ ଦାରିଦ୍ର୍ୟ କାରଣ ଯୋଗୁ ଖର୍ଚ୍ଚ ହୋଇଯାଇଥିବାରୁ ଅବଶିଷ୍ଟ ୧ ଲକ୍ଷ ଟଙ୍କା ଫେରାଇବା ପାଇଁ ସମର୍ଥ ହୋଇପାରିନଥିଲେ। ଏହାସତ୍ତ୍ବେ ବି ଏସ୍‌ପିଙ୍କ ପକ୍ଷରୁ ବାରମ୍ବାର ଧମକପୂର୍ଣ୍ଣ ନୋଟିସ୍‌ ଆସୁଥିବା ଲୋକନାଥ କହିଛନ୍ତି।

ମିଳିଥିବା ସୂଚନା ଅନୁସ‌ାରେ, ଗତ ୨୦୨୦ ମସିହା ମାର୍ଚ୍ଚ ୩୦ରେ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ଲୋକନାଥଙ୍କୁ ନୋଟିସ୍‌ ପଠାଯାଇଥିଲା। ମାତ୍ର କରୋନା ମହାମାରୀ ଲକ୍‌ଡାଉନ୍‌ ଯୋଗୁଁ ଲୋକନାଥ ହାଜର ହୋଇ ପାରି ନଥିଲେ। ପୁନର୍ବାର ୨୦୨୧ ମାର୍ଚ୍ଚ ୧୮ ତାରିଖ ଅର୍ଥାତ ଆଜି ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ କନ୍ଧମାଳ ଏସ୍‌.ପିଙ୍କ କାର୍ଯ୍ୟାଳୟରୁ ଏକ ଚିଠିଯାଇଥିଲା। ଚିଠି ଅନୁସାରେ ଆଜି ଲୋକନାଥ ଏବଂ ବାସନ୍ତୀ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ଏ ସମ୍ପର୍କରେ ଲୋକନାଥ କହିଛନ୍ତି, ସେମାନେ କନ୍ଧମାଳ ଏସ୍‌.ପିଙ୍କୁ ହାତ ପତାଇ ଟଙ୍କା ମାଗି ନଥିଲେ। ବରଂ କନ୍ଧମାଳ ଏସ୍‌ପି, ତାଳଚେର ତହସିଲଦାର ଏବଂ ଅନୁଗୁଳ ଏସ୍‌ପିଙ୍କ ଜରିଆରେ ତାଙ୍କୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ବାକି ୧ ଲକ୍ଷ ଟଙ୍କା ଫେରସ୍ତ କରିବା ତାଙ୍କ କ୍ଷମତା ବାହାରେ। ସେ ବର୍ତ୍ତମାନ ଦାରିଦ୍ର୍ୟରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ଟଙ୍କା ଫେରାଇ ପାରିବେ ନାହିଁ। ଯଦି କନ୍ଧମାଳ ଏସ୍‌.ପି ବେଶି ବାଧ୍ୟ କରନ୍ତି ତେବେ ସେ ଏବଂ ତାଙ୍କ ପତ୍ନୀ କନ୍ଧମାଳ ଏସ୍‌.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଆଜି ଚେତାବନୀ ଦେଇଛନ୍ତି।

ଅପରପ‌କ୍ଷେ କନ୍ଧମାଳ ଏସ୍‌.ପି ଭିନୀତ ଅଗ୍ରୱାଲ୍‌ କହିଛନ୍ତି, ଏହା ଏକ ପୁରୁଣା ମାମଲା। ଏ ନେଇ ତାଙ୍କ ପାଖରେ ଅଧିକ ତଥ୍ୟ ନାହିଁ। ଘଟଣା ସମ୍ପର୍କରେ ଅବଗତ ହେଲା ପରେ ଯାହା କିଛି କହିବେ ବୋଲି ଏସ୍‌.ପି କହିଛନ୍ତି।

ସମ୍ବନ୍ଧିତ ଖବର