ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା : ୫ ଜଣଙ୍କୁ ଜାମିନ ମିଳିଲା, ବାଲିଗୁଡା କାରାଗାରରୁ ୩ ଜଣ ବାହାରିଲେ

ଭୁବନେଶ୍ବର/ତୁମୁଡିବନ୍ଧ : ବହୁ ଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ୫ ଜଣ ଅପରାଧୀଙ୍କୁ ସୁପ୍ରିମ କୋର୍ଟ ଜ‌ାମିନ ପ୍ରଦାନ କରିଛନ୍ତି। ବିଚାରପତି ଏ ଏମ୍ ଖାନଵିଲକର ଓ ବିଚାରପତି ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୨୬ ତାରିଖରେ ସେମାନଙ୍କୁ ସର୍ତମୂଳକ ଜାମିନରେ ଯିବା ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ େମାଟ ୭ ଜଣଙ୍କ ଭିତରୁ ଗତ ଜୁଲାଇ ମାସରେ ୨ ଜଣଙ୍କୁ ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଗତ ଦଶବର୍ଷ ଧରି ଜେଲରେ ରହି ଆସିଥିବା ପରିପ୍ରେକ୍ଷୀରେ ଅଦାଲତ ଜାମିନ ପ୍ରଦାନ କରିବାକୁ ସେମାନେ କୋର୍ଟରେ ଆବେଦନ କରିଥିଲେ।

୨୦୧୩ ମସିହାରେ ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ୭ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାକୁ ନେଇ କନ୍ଧମାଳରେ ସମ୍ପ୍ରଦାୟିକ ଦଙ୍ଗା ହୋଇଥିଲା।

ଅନ୍ୟପକ୍ଷରେ ଏହି ମାମଲାରେ ଅଭିଯୁକ୍ତ ଥିବା ୭ ଜଣ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିବା ନେଇ ମାନବାଧିକାର କର୍ମୀ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ଅଭିଯୁକ୍ତ ବଡ଼ମାଞ୍ଝୀ ମୁଣ୍ଡା, ଭାସ୍କର ସନାମାଝୀ ଓରଫ୍ ସୁନାମାଝୀ, ଦୁରିଓ ଓରଫ୍ ଦୁର୍ଯ୍ୟୋଧନ ସୁନାମାଝୀ, ସନାତନ ବଡ଼ମାଝୀ ଏବଂ ବୁଦ୍ଧଦେବ ନାଏକ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ। ପୂର୍ବରୁ ଏସବୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ କିନ୍ତୁ ମନା କରିଦେଇଥିଲେ।

ତେବେ ଆବେଦନକାରୀଙ୍କ ପକ୍ଷରୁ ଦାୟର ଅପିଲ ମାମଲାର ବିଚାର କରି ସୁପ୍ରିମକୋର୍ଟ ପୂର୍ବରୁ ହାଇକୋର୍ଟଙ୍କ ଜାମିନ ପ୍ରଦାନ ନିର୍ଦେଶକୁ ରଦ୍ଦ କରିଥିଲେ। ଏଥିସହିତ ନିର୍ଦେଶ ଦେଇଥିଲେ େଯ ୫ ଜଣ ଅଭିଯୁକ୍ତଙ୍କୁ ଫୁଲବାଣୀ ଅତିରିକ୍ତ ଦୌରାଜଜ ସର୍ତମୂଳକ ଜାମିନ ପ୍ରଦାନ କରିବେ। ଏହି ଜାମିନ୍‌ ଆଦେଶ ବଳରେ ଆଜି ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ଆଜୀବନ ସଜା କାଟୁଥିବା ଦୁର୍ଯ୍ୟୋଧନ ସୁନାମାଝି, ଭାସ୍କର ସୁନାମାଝି ଓ ମୁଣ୍ଡା ବଡ଼ମାଝି କାରାଗାରରୁ ବାହାରିଛନ୍ତି। ଅନ୍ୟ ୨ ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ୍‌ ଓ ସନାତନ ବଡ଼ମାଝୀ ଏମ.ରାମପୁର ଜେଲ୍‌ରୁ ଜାମିନ୍‌ରେ ଆସିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର