ବଲାଙ୍ଗୀର: ବଲାଙ୍ଗୀର ସହରରେ ଜଳାଶୟଗୁଡ଼ିକର ସ୍ଥିତି ଅତି ସାଂଘାତିକ। ୧୭ଟି ଜଳାଶୟରୁ ସବୁ ବ୍ୟବହାର ଅନୁପଯୋଗୀ। ପ୍ରତିଟି ଜଳାଶୟ କେଉଁ କାଳରୁ ପ୍ରଦୂଷିତ ହୋଇସାରିଲାଣି। ଏଭଳି କିଛି ଜଳାଶୟ ରହିଛି, ଯାହାର ପାଣି ପଶୁପକ୍ଷୀ ବି ପିଇବା ଅନୁପଯୋଗୀ ବୋଲି ବିଶେଷଜ୍ଞ ରିପୋର୍ଟ ଦେଇଛନ୍ତି। ସହରର ସବୁ ଆବର୍ଜନା ଜଳାଶୟରେ ପଡ଼ୁଛି। ନାଳନର୍ଦ୍ଦମା ପାଣି ସିଧା ଯାଇ ପୋଖରୀରେ ପଡ଼ୁଛି। କଠିନ ବର୍ଜ୍ୟ ଜଳାଶୟରେ ଭାସୁଛି। ଆକଳନ ଅନୁଯାୟୀ, ବଲାଙ୍ଗୀର ସହରରେ ଦୈନିକ ୨ଟନ୍ କଠିନ ବର୍ଜ୍ୟ ବାହାରୁଛି। ଏଥିରୁ ପାଖାପାଖି ଗୋଟିଏ ଟନ୍ ହେଲା ପ୍ଲାଷ୍ଟିକ୍ ଓ ପଲିଥିନ୍। ପ୍ଲାଷ୍ଟିକ୍ ବର୍ଜ୍ୟରୁ ସିଂହଭାଗ ମିଶୁଛି ପୋଖରୀ ଏବଂ ଅନ୍ୟ ଜଳାଶୟରେ। ଯାହାର କୁପ୍ରଭାବ ବାରି ହେଲାଣି। ପୂର୍ବରୁ ସହରର ପ୍ରତି ଜଳାଶୟରେ ପଦ୍ମ ଓ କଇଁ ଫୁଲର ସମ୍ଭାର ଥିଲା। ପୋଖରୀ ମାଟିରେ ପ୍ଲାଷ୍ଟିକ୍ ବର୍ଜ୍ୟ ଭର୍ତ୍ତି ଥିବାରୁ ପଦ୍ମ, କଇଁ ଗଛ ବଢ଼ି ପାରୁନାହିଁ। ଏପରିକି ଜଳାଶୟ ଭିତରୁ ମିଳୁଥିବା କନ୍ଦମୂଳ ବି ଲୋପ ପାଇଛି।
ପରିବେଶବିତ୍ଙ୍କୁ ବି ଏହି ସ୍ଥିତି ଚିନ୍ତାରେ ପକାଇଛି। ପୋଖରୀରେ ଲୌହକଣିକା ଏବଂ ଫ୍ଲୋରାଇଡ୍ର ମାତ୍ରା ସାମାନ୍ୟଠାରୁ ବହୁଗୁଣା ଅଧିକ ସ୍ତରକୁ ପହଞ୍ଚିଛି। ନାଇଟ୍ରେଟ୍ର ପରିମାଣ ଅଧିକ ଥିବାରୁ ଜଳ ଜୀବ ବି ସଙ୍କଟ ଭିତରେ। ଚାଷବାସରେ ମାତ୍ରାଧିକ ରସାୟନିକ ସାର ସିଞ୍ଚନ ଦ୍ବାରା ଉଭୟ ଭୂପୃଷ୍ଠ ଏବଂ ଭୂତଳ ଜଳ ପ୍ରଦୂଷିତ ହୋଇଛି। ଏଥିସକାଶେ ଜିଲ୍ଲାରେ ଜଳବାହିତ ରୋଗୀଙ୍କ ସଂଖ୍ୟା ବେଶୀ ବୋଲି ମଧ୍ୟ ଯୁକ୍ତି ଉଠୁଛି। କେବଳ ପାଣି ନୁହଁ, ମାଟି ବି ପ୍ରଦୂଷିତ ହୋଇ ଚାଲିଛି। ବିଲରେ ମାତ୍ରାଧିକ କୀଟନାଶକ ସିଞ୍ଚନ ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଇବା ସହ ବିଷାକ୍ତ ହୋଇଯାଉଛି। ସେହିପରି ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।