ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ଅବବାହିକାରେ ଏବର୍ଷ ଧ୍ରୁବହଂସଙ୍କ ସମାଗମ ଦେଖିବାକୁ ମିଳିଛି। ମଙ୍ଗୋଲିଆରୁ ପ୍ରାୟ ୧୨ଦିନର ଯାତ୍ରାପରେ ଏଠାରେ ପ୍ରାୟ ୧ହଜାର ପକ୍ଷୀ ପହଞ୍ଚିଛନ୍ତି।
ମଙ୍ଗୋଲିଆର ବାର୍ ହେଡେଡ୍ ଗୁଜ୍କୁ ଓଡ଼ିଶାରେ ଗୟଳ ହଂସ ବା ଧ୍ରୁବହଂସ ବୋଲି କୁହାଯାଏ। ଏମାନଙ୍କ ରଙ୍ଗ ଧଳା ରହିଥିବା ବେଳେ ଡେଣାରେ କଳା ରଙ୍ଗର ଧାଡ଼ି ରହିଥାଏ। ଧ୍ରୁବ ହଂସ ସର୍ବାଧିକ ଉଚ୍ଚତାରେ ଉଡ଼ି ଗୋଟିଏ ସ୍ଥାନରୁ ଅନ୍ୟ ଜଗାକୁ ଯାତ୍ରା କରିଥା’ନ୍ତି। ମଙ୍ଗୋଲିଆ ସମେତ ଆଫଗାନିସ୍ତାନ, କଜାଖସ୍ତାନ, ଲଦାଖରେ ମଧ୍ୟ ଏମାନେ ଦେଖାଯାଆନ୍ତି। ଶୀତଋତୁରେ ସେଠାକାର ତାପମାତ୍ରା ଶୂନ ଡିଗ୍ରିରୁ ତଳକୁ ଖସି ଆସିଛି। ସେଥିପାଇଁ ଏହି ଧ୍ରୁବହଂସ ଖାଦ୍ୟ ଅନ୍ବେଷଣରେ ଗତ ପ୍ରାୟ ୭ ବର୍ଷ ହେଲା ଓଡ଼ିଶା ଉପକୂଳ ଚିଲିକା, ଭିତରକନିକା ଓ ଋଷିକୁଲ୍ୟା ଅବବାହିକାକୁ ଆସିବାକୁ ପସନ୍ଦ କରିଥା’ନ୍ତି। ଓଡ଼ିଶା ଉପକୂଳକୁ ଆସିବା ପାଇଁ ଏମାନଙ୍କୁ ପ୍ରାୟ ପ୍ରାୟ ୧୦/୧୨ ଦିନ ସମୟ ଲାଗିଥାଏ ବୋଲି ପକ୍ଷୀ ଗବେଷକ ତଥା ଅର୍ଥନୀତି ବିଭାଗର ରିଡର୍ ଗହର୍ ଆବେଦିନ୍ ସୂଚନା ଦେଇଛନ୍ତି। ଗୋଟିଏଦିନରେ ଏହି ପକ୍ଷୀ ସର୍ବାଧିକ ୧୬ଶହ କିମି ଯାତ୍ରା କରିଥାନ୍ତି। ଅମ୍ଳଜାନ ଗ୍ରହଣ କରିବା କ୍ଷମତା ଅଧିକ ରହିଥିବାରୁ ଏହି ପକ୍ଷୀ ବହୁ ଉଚ୍ଚତାରେ ଉଡ଼ି ପାରନ୍ତି।
ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ତଥା ଗବେଷକ ରବୀନ୍ଦ୍ରନାଥ ସାହୁଙ୍କ ସୂଚନା ଅନୁସାରେ, ଗତ ଦୁଇଦିନ ମଧ୍ୟରେ ପ୍ରାୟ ୧ହଜାର ପକ୍ଷୀ ଆସିଛନ୍ତି।