‘ନେତାମାନେ ଛଳ ବଳରେ କେବଳ ନିର୍ବାଚନ ଜିତୁଛନ୍ତି’

ସ୍ୱର୍ଗଦ୍ୱାରରେ ମହୋଦଧି ଆଳତି ସମାରୋହ

ପୁରୀ: ଦିଶାହୀନ ଶାସନତନ୍ତ୍ର ଯଦି ଠିକଣା ସମୟରେ ନିଜକୁ ଶୋଧନ ନ କରନ୍ତି ତେବେ ସମସ୍ତ ରାଜନୈତିକ ଦଳକୁ ରସାତଳକୁ ପକାଇ ଭାରତରେ ଧର୍ମନିୟନ୍ତ୍ରିତ, ପକ୍ଷପାତରହିତ ସନାତନ ଶାସନତନ୍ତ୍ର ପ୍ରତିଷ୍ଠା କରିବେ ବୋଲି ଚେତାବନୀ ଦେଇଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ପବିତ୍ର ପୌଷ ପୂର୍ଣ୍ଣିିମା ଅବସରରେ ଆଜି ସଂଧ୍ୟାରେ ସ୍ୱର୍ଗଦ୍ଵାର ଠାରେ ତୀର୍ଥରାଜ ଶ୍ରୀ ମହୋଦଧିଙ୍କ ଆରତି ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ଜଗଦଗୁରୁ କହିଲେ ଯେ ସମସ୍ତ ତୀର୍ଥର ମିଳନ ସ୍ଥଳ ହେଉଛି ସମୁଦ୍ର ବା ତୀର୍ଥରାଜ ମହୋଦଧି। ଏହାକୁ ଏକ ତୀର୍ଥର ଆଖ୍ୟା ଦିଆଯାଇଛି। କିନ୍ତୁ ଏଠାରେ ମଦ୍ୟପାନ ଓ ଅଶ୍ଳୀଳ କାର୍ଯ୍ୟ ଯୋଗୁ ଆମେ ତୀର୍ଥରାଜଙ୍କୁ ଅପମାନିତ କରୁଛେ। ସନାତନ ଧର୍ମ ନଷ୍ଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ଵ। ତୀର୍ଥରାଜଙ୍କୁ ଅପବିତ୍ର କରୁଥିବା ଅପସଂସ୍କୃତି ପାଇଁ ଜଗଦ୍‌ଗୁରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିିଛନ୍ତି। ରାଜନେତାମାନେ ଛଳ ବଳରେ କେବଳ ନିର୍ବାଚନ ଜିତୁଛନ୍ତି। ଏଥିରେ ରାଷ୍ଟ୍ରର ଶୋଷଣ ହେଉଛି। ମିଛ ଘୋଷଣା କରି ଭୋଟ ଗୋଟାଉଛନ୍ତି। ସେମାନେ ରାଜନୀତି ଛାଡ଼ି ଭଜନ କୀର୍ତ୍ତନ କରନ୍ତୁ। ନିଜର ହୃଦୟକୁ ଶୋଧନ କରନ୍ତୁ।

ତୀର୍ଥରାଜ ମହୋଦଧି ଆରତି ପରିଚାଳନା ସମିତି ପକ୍ଷରୁ ଆୟୋଜିତ ସମୁଦ୍ର ଆଳତିର ୧୧ ବର୍ଷ ପୂର୍ତ୍ତିି ଅବସରରେ ସଚ୍ଚିଦାନନ୍ଦ ମହାରାଜ, ଅରୂପ ପଟ୍ଟନାୟକ, ପ୍ରତାପ ଷଡ଼ଙ୍ଗୀ, ବଦ୍ରୀ ପଟ୍ଟନାୟକ, ଅସୀମାନନ୍ଦ, ସ୍ୱାମୀ ପ୍ରଜ୍ଞାନାନନ୍ଦ ଜୀ ମହାରାଜା, କିଶନଲାଲ ଭରତିଆ, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଶରତ କର, ପ୍ରଫୁଲ୍ଲ ରଥ, ରଘୁନାଥ ମିଶ୍ର, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର