ପୁରୀ : ସ୍ବର୍ଗଦ୍ବାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସହାୟତାରେ ପୁରୀ ପ୍ରଶାସନ ଆଜି ସକାଳୁ ସ୍ବର୍ଗଦ୍ବାରକୁ ଲାଗି ରହିଥିବା ଜବଦରଦଖଲକୁ ଉଚ୍ଛେଦ କରିଛି। ଦୁଇଟି ଲୁଗା ଦୋକାନ, ଦୁଇଟି କ୍ୟାବିନ ଓ ସ୍ବର୍ଗଦ୍ବାର ପାର୍ଶ୍ବରେ ଥିବା ଗାନେରିୱାଲା ଧର୍ମଶାଳାକୁ ମଧ୍ୟ ଭାଂଗି ଦେଇଛନ୍ତି। ଗତ ୧୯୨୭ରେ ଏହା ପ୍ରତିଷ୍ଠା ହୋଇଥିଲା।
ପ୍ରଶାସନର ସ୍ବର୍ଗଦ୍ବାର ବିକାଶ ପାଇଁ ଏ ପ୍ରକାର ଆଭିମୁଖ୍ୟକୁ ସ୍ଥାନୀୟ ଲୋକ କଡ଼ା ସମାଲୋଚନା କରିଛନ୍ତି। ସ୍ବର୍ଗଦ୍ବାର ଜମିକୁ ଚଂଚକତା କରି ବହୁ ପ୍ରଭାବଶାଳୀ ଲୋକ ମାଡ଼ିବସିଛନ୍ତି। ଏ ନେଇ ସରକାରଙ୍କ ପାଖରେ ବଳିଷ୍ଠ ପ୍ରମାଣ ଥାଇ ବି ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ସ୍ବର୍ଗଦ୍ବାର ଭିତରୁ ବିଜୁ ବାବୁଙ୍କ ସମାଧି ଉଚ୍ଛେଦ କରାଯାଇଥିଲେ ମଧ୍ୟ ଚଂଚକତା କରି ଜମି ନେଇଥିବା ହୋଟେଲ ମାଲିକଙ୍କୁ ପ୍ରଶାସନ ମାଫ୍ କରିଦେଇଛି। ସ୍ବର୍ଗଦ୍ବାର ବିକାଶ ପାଇଁ ଅତି କମ୍ରେ ୫ ଏକର ଜମିର ଆବଶ୍ୟକତା ଥିବା ବେଳେ ପ୍ରଶାସନ ତରବରିଆ ଭାବେ ମାତ୍ର ୪୬ ଡେସିମିଲ ଜମିରେ ବିକାଶ କାମ ଆରମ୍ଭ କରିଛି।