‘ସ୍ବର୍ଗଦ୍ବାର’ର ନବକଳେବର ଖୁବ୍‌ଶୀଘ୍ର : ନକ୍ସା ଅନୁମୋଦନ ‌ପରେ ଆରମ୍ଭ ହେବ କାମ, ବମ୍ବେର ଘରୋଇ କମ୍ପାନି ତିଆରି କରୁଛି ଡିଜାଇନ୍

ପୁରୀ : ହିନ୍ଦୁମାନଙ୍କ ବିଶ୍ବାସର ପ୍ରତୀକ ସ୍ୱର୍ଗଦ୍ୱାରର ହେବ ନବକଳେବର। ଏଥିପାଇଁ ପୁରୁଣା ଡିପିଆର(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ)କୁ ବଦଳାଇ ତିଆରି ଚାଲିଛି ନୂଆ ଡିପିଆର୍। ବମ୍ବେର ଏକ ଘରୋଇ କମ୍ପାନି ଏହାର ନକ୍ସା ପ୍ରସ୍ତୁତ କରୁଛି। ଯାହା ଅନୁମୋଦନ ଅପେକ୍ଷାରେ ରହିଛି। ଆଗାମୀ ୧୦ ଦିନ ଭିତରେ ଏହି ନକ୍ସା ପ୍ରଶାସନର ହସ୍ତଗତ ହେବ। ଯଦି ଏହି ନକ୍ସା ପସନ୍ଦ ହୁଏ, ଖୁବଶୀଘ୍ର କାମ ଆରମ୍ଭ ହେବ ଓ ସ୍ବର୍ଗଦ୍ବାର ନୂଆ ରୂପ ନେବ। ନଚେତ୍ ପୁରୁଣା ଡିପିଆର୍ ଅନୁଯାୟୀ ସ୍ବର୍ଗଦ୍ବାର କାମ ଖୁବଶୀଘ୍ର ଆରମ୍ଭ ହେବ। ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ପୁରୀ ପୌରସଂସ୍ଥା। ଫଳରେ ବହୁଦିନରୁ ସ୍ବର୍ଗଦ୍ବାର ଉନ୍ନତିକରଣକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହେବାକୁ ଯାଉଛି।

ସ୍ୱର୍ଗଦ୍ୱାର ହିନ୍ଦୁମାନଙ୍କ ଧାର୍ମିକ ଭାବନା ସହିତ ଜଡ଼ିତ। ଏଠାରେ ଶବଦାହ କଲେ ମୃତ ବ୍ୟକ୍ତିଙ୍କୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଅନେକ ସମୟରେ ଶବଦାହ ପାଇଁ ଆସୁଥିବା ଲୋକେ ସ୍ୱର୍ଗଦ୍ୱାରରେ ଶୋଷଣର ଶିକାର ହେଉଛନ୍ତି। ଲୋକଙ୍କୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ପାଇଁ ପୁରୀ ପୌରସଂସ୍ଥା ଅତୀତରେ ଏହାର ନବକେଳବର ପାଇଁ ଚିନ୍ତା କରିଥିଲା। ଏ ନେଇ ଏକ ଡିପିଆର୍‍(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ବି ପ୍ରସ୍ତୁତ ହୋଇଥିଲା। ସ୍ୱର୍ଗଦ୍ୱାର ଚାରିପାଖରେ ପାଚେରି ବୁଲାଇବା ସହ ଶବଦାହ ପାଇଁ ପିଣ୍ଡି ବ୍ୟବସ୍ଥା ଯୋଜନା କରାଯାଇଥିଲା। ପୁରୁଣା ଢାଞ୍ଚାକୁ ବଦଳାଇ ନୂଆ ଢାଞ୍ଚାରେ ୪୨ଟି ପିଣ୍ଡି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଶୋଷଣ ସହ ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ସ୍ୱର୍ଗଦ୍ୱାର ଭିତର ଓ ଚାରିପାଖରେ ୧୪ରୁ ଅଧିକ ସିସିଟିଭି ଲଗାଇବା ସହିତ ସୁରକ୍ଷା କର୍ମୀ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଥିଲା। କେବଳ ସେତିକି ନୁହେଁ, ଶବଦାହର ଲାଇଭ୍ ଷ୍ଟ୍ରିମିଂ ଯୋଜନା ବି ରହିଥିଲା। ଶ୍ରାଦ୍ଧକ୍ରିୟା ପାଇଁ ଥିବା ପୁରୁଣା ଘର ଯଥେଷ୍ଟ ନଥିବାରୁ ଏହାକୁ ବୃଦ୍ଧି ପାଇଁ ଯୋଜନା ରହିଥିଲା। ଯେଉଁମାନେ ଶବଦାହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କ କାମ ତଦାରଖ ପାଇଁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରିଥିଲା ପୌରସଂସ୍ଥା। କିନ୍ତୁ ସେ ସମୟରେ ପୌରସଂସ୍ଥା ପାଖରେ ଯଥେଷ୍ଟ ଟଙ୍କା ନଥିବାରୁ ଏହି କାମ ଅଟକି ରହିଥିଲା।

ତେବେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପରେ ସ୍ବର୍ଗଦ୍ବାରର ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଲୋକେ ଶବଦାହ ପାଇଁ ଖରାତରାରେ ସିଝୁଛନ୍ତି। ବର୍ଷାଦିନେ ବର୍ଷାରୁ ରକ୍ଷା ପାଇଁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ। ଏଭଳି ପରିସ୍ଥିତିରେ ତୁରନ୍ତ ସ୍ବର୍ଗଦ୍ବାରର ନବକଳେବର ପାଇଁ ଯୋଜନା ପ୍ରସ୍ତୁତ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ବର୍ତ୍ତମାନ ପୌରସଂସ୍ଥାର ମୁଖ୍ୟ ଥିବାରୁ ତୁରନ୍ତ ଏହି କାମ ଶେଷ କରିବା ଦିଗରେ ତତ୍ପରତା ଦେଖାଇଛନ୍ତି। ଏ ସଂପର୍କରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ବମ୍ବେର ଏକ କମ୍ପାନି ସ୍ବର୍ଗଦ୍ବାର ଉନ୍ନୟନ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛି। ସଂପୃକ୍ତ ସଂସ୍ଥା ବି କେଉଁଭଳି ଉନ୍ନୟନ କାର୍ଯ୍ୟ କରିବ, ସେ ଉପରେ ପ୍ରସ୍ତାବ ରଖିସାରିଛି। ଏ ଭିତରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଂପୃକ୍ତ ସଂସ୍ଥା ସହ ଦୁଇ ଥର ବୈଠକ ଶେଷ ହୋଇଛି। ପ୍ରସ୍ତାବ ଅନୁଯାୟୀ ସଂପୃକ୍ତ ସଂସ୍ଥାକୁ ସ୍ବର୍ଗଦ୍ବାରର ନକ୍ସା ତିଆରି କରି ଦେବାକୁ କୁହାଯାଇଛି। ଆଗାମୀ ୧୦ ଦିନ ଭିତରେ ସଂପୃକ୍ତ ସଂସ୍ଥା ସ୍ବର୍ଗଦ୍ବାରର ନକ୍ସା ପ୍ରସ୍ତୁତ କରିଦେବ। ଏହି ନକ୍ସା ଅନୁଧ୍ୟାନ କରାଯିବ। ମଞ୍ଜୁରି ମିଳିଲେ ନକ୍ସା ଅନୁଯାୟୀ ସଂପୃକ୍ତ ଘରୋଇ ସଂସ୍ଥା ସ୍ବର୍ଗଦ୍ବାରର କାମ ଆରମ୍ଭ କରିବ। ଯଦି ନକ୍ସା ଅନୁମୋଦନ ନ ହୁଏ, ତେବେ ପୁରୁଣା ଡିପିଆର ଅନୁଯାୟୀ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର