ପୁରୀ: ପୁରୀ ଜିଲ୍ଲା ବାହାର ଲୋକଙ୍କୁ ମନା ହେଲା ସ୍ବର୍ଗଦ୍ବାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଏଭଳି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଏଣିକି କେବଳ ପୁରୀ ଜିଲ୍ଲାବାସୀ ହିଁ ନିଜ ଆତ୍ମୀୟଙ୍କ ଶବସତ୍କାର ସ୍ବର୍ଗଦ୍ବାରକୁ ଯାଇ କରି ପାରିବେ । ଅନ୍ୟ କୌଣସି ଜିଲ୍ଲାବାସୀଙ୍କୁ ଏହି ଅନୁମତି ମିଳିବ ନାହିଁ । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ଏହି ନିୟମକୁ ପାଳନ କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି । ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।
ମଙ୍ଗଳବାର ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଆଗରୁ ଲୋକେ ନିଜ ଆତ୍ମୀୟଙ୍କ ଶବ ସତ୍କାର ପାଇଁ ପୁରୀ ସ୍ବର୍ଗଦ୍ବାରକୁ ଆଣୁଥିଲେ ଏବଂ ମହୋଦଧିରେ ଅସ୍ତି ବିସର୍ଜନ କରୁଥିଲେ। କିନ୍ତୁ କରୋନା କାଳରେ ଏଭଳି ହେବା ଦ୍ବାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଯଦି ମୃତ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବେ ବା ମୃତ ବ୍ୟକ୍ତିଙ୍କ ସହ ଆସିଥିବା ଲୋକଙ୍କ ମଧ୍ୟରେ କେହି କରୋନା ଆକ୍ରାନ୍ତ ଥିବେ, ତେବେ ସେମାନେ ଏଠାକୁ ଆସି ଏକାଠି ହେବା ଦ୍ବାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିକୁ ଉପୁଜିବାରୁ ରୋକିବା ପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଜନସାଧାରଣ ଏଥିଲାଗି ସହଯୋଗ କରିବାକୁ ଅନୁରୋଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/puri-swargadwara-07_Thuumb.jpg)