ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ, ୯୦ ପ୍ରତିଶତ କମିଛି ଶବଦାହ

ପୁରୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯିବା ସହ ପାଣି ସ୍ପ୍ରେ କରାଯାଇଛି | ଦମକଳ ବାହିନୀ ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରାଯିବା ପାଇଁ ୨ରୁ ଅଧିକ ଗାଡି ନିୟୋଜିତ ହୋଇଛି | ସ୍ୱର୍ଗଦ୍ୱାର ପରିସର, ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଏହା ସଂଲଗ୍ନ ରାସ୍ତା ଓ ବେଳାମାର୍ଗକୁ ସାନିଟାଇଜ କରାଯାଇଛି | ସେହିପରି ଶବଦାହ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉଛି |

କରୋନା କଟକଣାକୁ ନଜରରେ ରଖି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି | ସ୍ୱର୍ଗଦ୍ୱାରରେ ପୁଲିସ ମୁତୟନ ଥିବାବେଳେ ମୃତ ବ୍ୟକ୍ତିଙ୍କ ନାମ, ସମ୍ପର୍କୀୟଙ୍କ ନାମ ରଖାଯିବା ପରେ ଶବଦାହ ପାଇଁ ଅନୁମତି ଦିଆଯାଉଛି | ସେହିପରି ଶବଦାହ ସମୟରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଭିଡ଼ ନ କରିବେ ତାହା ଉପରେ ପ୍ରଶାସନ ନଜର ରଖିଛି |

ଶବଦାହ ସମୟରେ ଯେଭଳି ଅଧିକ ସଂଖ୍ୟାରେ ସମ୍ପର୍କୀୟ ରୁଣ୍ଡ ନ ହେବେ ସେଥିପାଇଁ ପୁଲିସ ପକ୍ଷରୁ ବାରଣ କରାଯାଉଛି | ପୂର୍ବରୁ ଦିନକୁ ପ୍ରାୟ ୮୦ରୁ ୧୦୦ ଶବଦାହ କରାଯାଉଥିବାବେଳେ ବର୍ତ୍ତମାନ ୧୦ରୁ ୧୫ଟି ଶବଦାହ କରାଯାଉଛି | ଲକଡାଉନ କଟକଣା ପାଇଁ ବହୁ ସଂଖ୍ୟାରେ ଲୋକ ସ୍ୱର୍ଗଦ୍ୱାରକୁ ଆସୁନଥିବାରୁ ପାଖାପାଖି ୯୦ ପ୍ରତିଶତ ଶବଦାହ ସଂଖ୍ୟା କମିଛି |

ସମ୍ବନ୍ଧିତ ଖବର