ସ୍ୱର୍ଗଦ୍ୱାର ସୁପରିଚାଳନା ଦାୟିତ୍ବ ‘ସ୍ୱର୍ଗଦ୍ୱାର ସେବା ସମିତି’କୁ ହସ୍ତାନ୍ତର ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର

ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।

ସୂଚନାଯୋଗ୍ୟ ଯେ ସ୍ୱର୍ଗଦ୍ୱାର ସେବା ସମିତି ସୋସାଇଟି ରେଜିଷ୍ଟ୍ରେସନ ଆଇନ ଅନୁଯାଇ ଏକ ପଞ୍ଜିକୃତ ଅନୁଷ୍ଠାନ ଯାହା ସ୍ୱର୍ଗଦ୍ୱାର ସୁପରିଚାଳନା ପାଇଁ ଆଗକୁ କାର୍ଯ୍ୟ କରିବ। ଏହି ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି। ଅଧକ୍ଷ ଭାବରେ ଜିଲ୍ଲାପାଳ ରହିଥିବା ବେଳେ, ଉପଜିଲ୍ଲାପାଳ ଆବାହକ ସମ୍ପାଦକ ଭାବରେ ରହିଛନ୍ତି । ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ, ଜେନେରାଲ ମ୍ୟାନେଜର (ଓଡ଼ିଶା ବନ ଉନୟନ), ପୌର ନିର୍ବାହୀ ଅଧିକାରୀ ଅନ୍ୟତମ ସଦସ୍ୟ ଭାବରେ ରହିବେ । ଜିଲ୍ଲା ପ୍ରୋଟୋକାଲ ଅଫିସର ଏହାର କୋଷାଧ୍ୟକ ଭାବରେ କାର୍ଯ୍ୟ କରିବେ । ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ୩ଜଣ ବ୍ୟକ୍ତିବିଶେଷ ମଧ୍ୟ ଏହି ସମିତିର ସଦସ୍ୟ ରହିବେ । ସେମାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ ।

ପ୍ରକାଶଯୋଗ୍ୟ ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟସରକାର ୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହାର ବିକାଶ ପ୍ରକ୍ରିୟା ଜିଲ୍ଲାପାଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଦୃତ ଗତିରେ ଚାଲିଛି । ଏହାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଇବା ସହିତ ଶବକୁ ସମାନ ଏବଂ ଶବ ସହ ଆସୁଥିବା ପରିଜନମାନଙ୍କୁ ଯେପରି ଉତ୍ତମ ସେବା ପାଇଁ ପାରନ୍ତି ସେଥିପାଇଁ ସ୍ୱର୍ଗଦ୍ୱାର ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଗାମୀ ସମୟରେ ତାର ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ। ସ୍ୱର୍ଗଦ୍ୱାର ସେବା ସମିତିର କାର୍ଯ୍ୟକାରୀ କମିଟି ସ୍ୱର୍ଗଦ୍ୱାରର ନୀତିଦିଦିନିଆ କାର୍ଯ୍ୟକୁ ତଦାରଖ କରିବେ । ସ୍ୱର୍ଗଦ୍ୱାର ସେବା ସମିତିକୁ ସ୍ୱର୍ଗଦ୍ୱାର ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବାରୁ ଖୁବ ଶୀଘ୍ର ପୁରୀ ପୌରପାଳିକା ଠାରୁ କାର୍ଯ୍ୟ ଭାର ଗ୍ରହଣ ପାଇଁ ପଦକ୍ଷପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବାସମିତି ର ଆବାହକ ସମ୍ପାଦକ ଶ୍ରୀ ଭଵତାରଣ ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର