ବାଲେଶ୍ବର: ସ୍ବରୂପ ରହିବେ ପ୍ରାର୍ଥୀ, ରବୀନ୍ଦ୍ର ଦେବେ ସମର୍ଥନ

ବାଲେଶ୍ବର ବିଜେଡି ଟିକେଟ୍‌ ପରିବର୍ତ୍ତନ ଲାଗି ଦାବି କରୁଥିଲେ ଗୋଟିଏ ଗୋଷ୍ଠୀ

ବାଲେଶ୍ବର: ବାଲେଶ୍ୱର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା ହେବା ପରେ ବାଲେଶ୍ୱର ବିଜେଡିରେ ଅସନ୍ତୋଷର ସ୍ୱର ଉଠିଥିଲା। ଆବଶ୍ୟକ ପଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁବାସିନୀ ଜେନା ଛିଡା ହେବେ ବୋଲି କିଛି ନେତା ଖୋଲାଖୋଲି ଧମକ ଦେଉଥିଲେ। ହେଲେ ବିଜେଡିର ନେତାଙ୍କ ଘନ ଘନ ମନ୍ତ୍ରଣା, ବୈଠକ ଓ ଆଲୋଚନା ତଥା ହସ୍ତକ୍ଷେପ ପରିସ୍ଥିତିରେ ସୁଧାର ଆସିଛି। ସ୍ବରୂପ ଦାସ ହିଁ ବିଜେଡିର ପ୍ରାର୍ଥୀ ରହିବେ ଓ ସମସ୍ତେ ତାଙ୍କୁ ସହଯୋଗ କରିବେ ବୋଲି ସହମତି ହୋଇଛି। ଖୋଦ୍ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ମଧ୍ୟାହ୍ନରେ ପ୍ରତାପ ଦେବଙ୍କ ଉପସ୍ଥିତିରେ କହିଥିଲେ ଯେ ବିଜୁ ଜନତା ଏକ ଶୃଙ୍ଖଳିତ ଦଳ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ମାନିବା ଆମ ସମସ୍ତଙ୍କର ଦାୟିତ୍ବ। ସେ ଯାହାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି, ତାଙ୍କୁ ଜିତାଇବା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ। ଏହି ସମୟରେ ସୁବାସିନୀ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସନ୍ଧ୍ୟାରେ ବାଲେଶ୍ବର ନିର୍ବାଚନ ପରିଚାଳନା ଦାୟିତ୍ବ ହାତେଇଥିବା ନେତା ଓ ମନ୍ତ୍ରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ସ୍ବରୂପଙ୍କୁ କିଭଳି ନିର୍ବାଚନରେ ବିଜୟୀ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ଏଥିସହିତ ଟିକେଟ୍‌କୁ ନେଇ ବାଲେଶ୍ବର ବିଜେଡିରେ ଥିବା ହାଇଡ୍ରାମାରେ ପରିସମାପ୍ତି ଘଟିଥିବା କୁହାଯାଉଛି।

ଆଲୋଚନା ଓ ନବୀନ ନିବାସରୁ ସଙ୍କେତ ପରେ ସୁଧାର ଆସିଲା
ଏକାଠି ହେଲେ ନେତା, ବିଧାୟକ ଓ ମନ୍ତ୍ରୀ, ରଣନୀତି ପ୍ରସ୍ତୁତ

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ପୂର୍ବତନ କାଉନସିଲର ତଥା ଟାଉନ୍‌ ବିଜେଡି ସଭାପତି ସ୍ବରୂପ ଦାସଙ୍କ ନାଁ ଘୋଷଣା ହେବା ପରେ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଗୋଷ୍ଠୀ ଏହାକୁ ପ୍ରବଳ ବିରୋଧ କରିଥିଲେ। ଆଜି ସକାଳେ ଶ୍ରୀ ଜେନା ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି କହିଥିବାରୁ ରାଜନୈତିକ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ସେପଟେ ଶ୍ରୀ ଜେନାଙ୍କ ସହ କଥା ହେବା ଲାଗି ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବ ବାଲେଶ୍ବର ଓଟିରୋଡ୍‌ସ୍ଥିତ ରବୀନ୍ଦ୍ରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ବାର ଆଲୋଚନା କରିଥିଲେ। ରବୀନ୍ଦ୍ରଙ୍କ କାର୍ଯ୍ୟାଳୟକୁ ପ୍ରତାପ ଦେବ ‌ଆସିଥିବା ଖବର ଶୁଣି ତାଙ୍କ ସମର୍ଥକମାନେ ସେଠାରେ ରୁଣ୍ଡ ହୋଇଥିଲେ। ଟି‌େକଟ୍‌ ବଣ୍ଟନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ବଛାଯାଇନାହିଁ। ଏହା ଏକ ଭୁଲ ନିଷ୍ପତ୍ତି। ତେଣୁ ନିଷ୍ପତ୍ତି ବଦଳାଇ ରବୀନ୍ଦ୍ର କିମ୍ବା ତାଙ୍କ ପତ୍ନୀ ସୁବାସିନୀଙ୍କୁ ଟିକଟ୍‌ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ନିଷ୍ପତ୍ତିର ପୁନର୍ବିଚାର ନହେଲେ ସେମାନେ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ। ବିଭିନ୍ନ ପଞ୍ଚାୟତର ନେତା ଓ କର୍ମୀ, ମହିଳା ଗୋଷ୍ଠୀ, ଯୁବଛାତ୍ର ସଂଗଠନର କର୍ମକର୍ତ୍ତା ଏକାଠି ହୋଇ ରବୀନ୍ଦ୍ର ଓ ସୁବାସିନୀଙ୍କ ସପକ୍ଷରେ ନାରାବାଜି କରିବା ଫଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ନବୀନ ନିବାସରୁ କିନ୍ତୁ ସ୍ପଷ୍ଟ ସଙ୍କେତ ଯାଇଥିଲା, କୌଣସି ପରିସ୍ଥିତିରେ ବିଜେଡି ଟିକେଟ୍ ପରିବର୍ତ୍ତନ ହେବନାହିଁ। ସମସ୍ତଙ୍କ ସହମତିରେ ଏହି ଟିକେଟ୍ ଦିଆଯାଇଛି। ଦୀର୍ଘ ୨ ଘଣ୍ଟା କାଳ ରବୀନ୍ଦ୍ରଙ୍କ ଘର ଓ ବାହାରେ ତାଙ୍କ ସମର୍ଥକମାନଙ୍କର ଏଭଳି ହାଇଡ୍ରାମା ଚାଲିବା ପରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ରବୀନ୍ଦ୍ର ବାହାରକୁ ଆସି ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖି ସ୍ବରୂପଙ୍କୁ ନିର୍ବାଚନରେ ଜିତାଇବାକୁ ଆହ୍ବାନ ଦେଇଥିଲେ। ନିଜ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ଏକଥା ବି କହିଥିଲେ, ‘ଆପଣମାନଙ୍କର ଭାବାବେଗ ଓ ଭଲ ପାଇବା ମୁଁ ବୁଝିପାରୁଛି। ସେ ବିଷୟରେ ପ୍ରତାପ ଦେବଙ୍କୁ ମଧ୍ୟ ଜଣାଇଛି।

ଏହାପରେ ପ୍ରତାପ ଦେବ ବାହାରକୁ ଆସିବା ପରେ ତାଙ୍କୁ ରବୀନ୍ଦ୍ରଙ୍କ ସମର୍ଥକମାନେ ତାଙ୍କ ନିଜେ ସେମାନଙ୍କୁ ଯେତେ ବୁଝାଇଥିଲେ ବି ସେମାନେ ଆଦୌ ବୁଝିନଥିଲେ। ପ୍ରତାପ ଦେବ ଗଣମାଧ୍ୟମକୁ କହିଥିଲେ, ‘ଦଳର ଆଭ୍ୟନ୍ତରଣ ପ୍ରସଙ୍ଗରେ କିଛି କହିବି ନାହିଁ କି ଦଳୀୟ ନିଷ୍ପତ୍ତି ସଂପର୍କରେ କୌଣସି ପ୍ରତିଶ୍ରୁତି ଦେଇପାରିବି ନାହିଁ। ଟିକ‌େଟ୍‌ ନପାଇବା ଯୋଗୁଁ ରବୀନ୍ଦ୍ର ଏବଂ ତାଙ୍କ ପତ୍ନୀ ସୁବାସିନୀ ଅସନ୍ତୋଷ ଥିବା ଜାଣି ସେମାନଙ୍କ ସହ ଆଲୋଚନା କରିବାକୁ ଆସିଥିଲି। ସେମାନେ ତାଙ୍କ କଥା କହିଛନ୍ତି।’ ଏହାପରେ ପ୍ରତାପ ଓ ରବୀନ୍ଦ୍ର ଏକାଠି ହୋଇ କାର୍ଯ୍ୟାଳୟରୁ ବାହାରିଥିଲେ। ସେପଟେ ନୂଆ ପ୍ରାର୍ଥୀଙ୍କୁ ନେଇ ଜିଲ୍ଲା ଓ ସଦର ନିର୍ବାଚନମଣ୍ଡଳୀର ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଗତକାଲି ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀର ‌ବିଧାୟକ ଓ ନେତାମାନେ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବାରୁ ସେ ସମସ୍ତଙ୍କୁ ନେଇ ନିର୍ବାଚନକୁ ଓହ୍ଲାଇବେ ବୋଲି ସ୍ବରୂପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଥାଉକି, ବିଜେଡିର ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଇତିମଧ୍ୟରେ ରାଜ୍ୟସ୍ତରୀୟ ନେତା, ବିଧାୟକ ଓ ମନ୍ତ୍ରୀମାନେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଡେରା ପକାଇ ସାରିଲେଣି।

ସମ୍ବନ୍ଧିତ ଖବର