ପ୍ରଫେସର ଡାକ୍ତର ସିବିକେ ମହାନ୍ତି। ରାଜ୍ୟର ଡାକ୍ତରୀ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ(ଡିଏମ୍‌ଇଟି)। କୋଭିଡ-୧୯ ମୁକାବିଲା ବ୍ୟବସ୍ଥାର ରାଜ୍ୟର ଅନ୍ୟତମ ପ୍ରମୁଖ ଅଧିକାରୀ। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ସେ ପ୍ରଥମେ ‘ସମ୍ବାଦ’କୁ ସଂପୂର୍ଣ୍ଣ ସାକ୍ଷାତକାରରେ ଯାହା କହିଥିଲେ, ମୋଟାମୋଟି ଭାବେ ସେହି ଅନୁଯାୟୀ ରୋଗର ପ୍ରଭାବ ଅନୁଭବ ହୋଇଆସିଛି। ବର୍ତ୍ତମାନର ସଂକ୍ରମଣ ସ୍ଥିତି, ଚିକିତ୍ସା ବ୍ୟବସ୍ଥା, ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଓ ଟିକାକୁ ନେଇ ସେ ଯାହା କୁହନ୍ତି....

Advertisment

ପ୍ରଶ୍ନ: ୭ ମାସ ବିତିଗଲାଣି। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିକୁ କିଭଳି ଆକଳନ କରାଯାଇ ପାରିବ?
ଉତ୍ତର: ନିଶ୍ଚିତ ଭାବେ ବର୍ତ୍ତମାନ କରୋନାର ପ୍ରକୋପ ହ୍ରାସ ପାଉଛି। ସଂକ୍ରମଣ ସଂଖ୍ୟା, ମୃତ୍ୟୁ ସଂଖ୍ୟା, ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ଅଥବା ଆଇସିୟୁର ଆବଶ୍ୟକତା ସଂଖ୍ୟା....ସବୁ କିଛି ହ୍ରାସ ପାଇବାରେ ଲାଗିଛି। ଅଗଷ୍ଟ-ସେପ୍ଟେମ୍ବରରେ ରାଜ୍ୟରେ ସ୍ଥିତି ଶୀର୍ଷକୁ ଛୁଇଁବା ପରେ ଏହା ଏବେ ନିମ୍ନଗାମୀ ହେଉଛି।

ପ୍ରଶ୍ନ: ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ପୁଣି ଫେରିବ, ପୁଣି ସଂକ୍ରମଣ ସଂଖ୍ୟା ଶୀର୍ଷ ଛୁଇଁବ, ଏଭଳି ଆଶଙ୍କା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସ୍ଥିତି ଫେରିବା ସହିତ ଏହା ଆହୁରି ଭୟଙ୍କର ହେଉଥିବା କୁହାଯାଉଛି। ଆମ ଦେଶ ବା ରାଜ୍ୟରେ ସେଭଳି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସ୍ଥିତି ଆସିବ କି?
ଉତ୍ତର: କୋଭିଡ-୧୯ ସଂପୂର୍ଣ୍ଣ ଭାବେ ଏକ ନୂଆ ରୋଗ। ଏ ରୋଗ ସଂପର୍କରେ କୌଣସି ବି କଥା ଶହେ ପ୍ରତିଶତ ଠିକ୍‌ରେ କହି ହେବ ନାହିଁ। ଆମେରିକା, ୟୁରୋପୀୟ ଦେଶ ଭଳି ଆମ ସ୍ଥିତି ହେବ କି ନହେବ, ସେ ସଂପର୍କରେ ବି ସ୍ପଷ୍ଟ ଭାବେ କହି ହେବ ନାହିଁ। ନଭେମ୍ବର-ଡିସେମ୍ବର ଶୀତ ମାସରେ ରୋଗର ପ୍ରକୋପ ଅଧିକ ରହିବ ବୋଲି ଆଶଙ୍କା କରି ଅନେକ କଥା କୁହାଯାଉଛି। କିନ୍ତୁ ଆମ କ୍ଷେତ୍ରରେ ଏହି ଦ୍ବିତୀୟ ପର୍ଯ୍ୟାୟ ବିଳମ୍ବିତ ହୋଇପାରେ, ନ ହୋଇ ବି ପାରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସତର୍କତା। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବ କି ନ ଆସିବ, ତାହା ଲୋକଙ୍କ ଉପରେ ନିର୍ଭର କରୁଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ନିୟମ ମାନିବା ଆଉ ହାତ ସାନିଟାଇଜ୍ କରିବା ବା ସଫା ରଖିବା। ଏହାକୁ ଖିଲାପ କଲେ ଯେ କୌଣସି ସମୟରେ ସଂକ୍ରମଣ ବଢି ପାରେ। କେରଳ ହେଉଛି ତାହାର ଉଦାହରଣ। ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ନିୟନ୍ତ୍ରଣରେ ସଫଳ ହେଲେ କିନ୍ତୁ ଟିକିଏ ଢିଲା ହେଲେ ତ ସଂକ୍ରମଣ ଶୀର୍ଷରେ ପହଞ୍ଚିଲା। ବର୍ତ୍ତମାନ ସମୟରେ ଆମ ପାଇଁ କମ୍ପ୍ଲାସେଣ୍ଟ (ଆତ୍ମସନ୍ତୋଷ) ହେବାର କୌଣସି ସୁଯୋଗ ନାହିଁ। ସାବଧାନତା, ସତର୍କତା ନିହାତି ଆବଶ୍ୟକ।

ପ୍ରଶ୍ନ: ‌କେତେକ ତଥ୍ୟ କହୁଛି ଯେ ‘ଓ’, ‘ବି’ ରକ୍ତ ଗ୍ରୁପର ବ୍ୟକ୍ତି ଏଥିରେ ବିଶେଷ ସଂକ୍ରମିତ ହେଉ ନାହାନ୍ତି। ଯଦି ବି‌ ହେଉଛନ୍ତି, ସେମାନଙ୍କ ‌ଉପରେ ରୋଗର ପ୍ରକୋପ ଅଧିକ ରହୁନି। କିନ୍ତୁ ‘ଏ’ ଓ ‘ଏବି’ ଗ୍ରୁପର ବ୍ୟକ୍ତି କରୋନାରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି...?
ଉତ୍ତର: ଚିକିତ୍ସା ବ୍ୟବସ୍ଥାର ଇତିହାସକୁ ଦେଖିଲେ ଜଣାଯାଏ ଯେ କୋଭିଡ-୧୯ କ୍ଷେତ୍ରରେ ଏତେ କମ୍‌ ସମୟରେ ଯେତେ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇ ସାରିଲାଣି, ତାହା ପୂର୍ବରୁ କେବେ କୌଣସି ରୋଗ କ୍ଷେତ୍ରରେ ହୋଇନାହିଁ। ତଥାପି ବି ଏ ରୋଗ ସଂପର୍କରେ କୌଣସି କଥାକୁ ଶହେ ପ୍ରତିଶତ ଠିକ ବୋଲି କହି ହେଉ ନାହିଁ। କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ‌ପ୍ରସ୍ତୁତ ହୋଇପାରି ନାହିଁ। କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ରୋଗର ଗତି କେଉଁଠି, କିଭଳି ରହୁଛି, ତାହାର ବି ସ୍ପଷ୍ଟ ଚିତ୍ର ମିଳି ପାରି ନାହିଁ। ଗବେଷଣାରୁ ନୂଆ ନୂଆ ତଥ୍ୟ ଆସୁଛି। ଅନୁଭବ ଆସୁଛି। ସେହିଥିରୁ ଚିକିତ୍ସା ବ୍ୟବସ୍ଥା ଆଗେଇ ଚାଲିଛି।

ପ୍ରଶ୍ନ: ଟିକା କେବେ ଆସିବ? ସାଧାରଣରେ ଏହାକୁ ନେଇ ଏବେ ସବୁଠୁ ଅଧିକ ଉତ୍ସୁକତା ସୃଷ୍ଟି ହୋଇଛି?
ଉତ୍ତର: ପୂର୍ବରୁ ଯେତେ ରୋଗର ସଫଳ ଚିକିତ୍ସା ପାଇଁ ଟିକା ବାହାରିଛି ସେଥିପାଇଁ ଅତି କମରେ ବର୍ଷେ, ଦେଢ ବର୍ଷ ଲାଗି ଯାଇଛି। ବିଶ୍ବରେ କୋଭିଡ-୧୯ ଆତଙ୍କ ଖେଳାଇବାକୁ ବି ଦଶ ମାସ ହେଇ ଗଲାଣି। ତେଣୁ ସାଧାରଣ ଭାବେ ‌ଟିକା ପାଇଁ ବି ଆଉ ୨ରୁ ୮ ମାସ ଆଶା କରିବା କଥା। କିନ୍ତୁ ଟିକା ଆସିଗଲା ପରେ ଯେ ସବୁ ସମାଧାନ ହେଇଯିବ, ତାହା ଭାବିବା ଭୁଲ। ଟିକା ଆସିଲା ପରେ ବି ତାହା କେତେ ସୁରକ୍ଷିତ ଆଉ ତାହାର ପ୍ରଭାବ କେତେ, ସେ ସଂପର୍କରେ ଆକଳନ କରିବାକୁ ସମୟ ଲାଗିବ।

ପ୍ରଶ୍ନ: ଥରେ କରୋନାରେ ସଂକ୍ରମିତ ହେଲେ, ଦ୍ବିତୀୟ ଥର ହେବାର ନାହିଁ ବୋଲି କୁହାଯାଉଥିବା ବେଳେ ଅନେକ କ୍ଷେତ୍ରରେ ଲୋକେ ଦ୍ବିତୀୟ ଥର ବି ସଂକ୍ରମିତ ହେଉଥିବା ତଥ୍ୟ ଆସୁଛି। କେଉଁଟା ଠିକ୍?
ଉତ୍ତର: କୋଭିଡରୁ ଥରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଦ୍ବିତୀୟ ଥର ସଂକ୍ରମିତ ହେବା ସଂଖ୍ୟା ଏଯାଏ ବିଶ୍ବରେ ଦୁଇ ଅଙ୍କ ଭିତରେ ସୀମିତ ରହିଛି। ସେପ୍ଟେମ୍ବର ସୁଦ୍ଧା ଏହି ସଂଖ୍ୟା ମାତ୍ର ୬ ଥିଲା। କିନ୍ତୁ ବ୍ୟକ୍ତି ଦ୍ବିତୀୟ ଥର ସଂକ୍ରମିତ ହେଉଥିବା ତଥ୍ୟ ରହିଛି। ଅନ୍ୟପଟେ କୋଭିଡର ପ୍ରଭାବ କାହା ଉପରେ କେତେ ଦିନ ରହୁଛି, ତାହା ବି ଠିକ୍‌ରେ କହି ହେଉନି। ବର୍ତ୍ତମାନ ରାଜ୍ୟରେ ସେରୋ ସର୍ଭେ କାର୍ଯ୍ୟକ୍ରମ ବ୍ୟାପକ ହେବ। କେତେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇପାରିଛି, ସେ ତଥ୍ୟ ଆସିବ। ଆଣ୍ଟିବଡିର ପ୍ରଭାବ ତିନି ମାସ ଯାଏ ରହୁଥିବା ପ୍ରାଥମିକ ବିଶ୍ଲେଷଣରୁ ଜଣାପଡିଛି। ଆମେ ଯେହେତୁ ଆମେରିକା, ୟୁରୋପୀୟ ଦେଶଙ୍କ ତୁଳନାରେ ରୋଗ ସଂକ୍ରମଣରେ ବିଳମ୍ବରେ ଚାଲିଛୁ, ସେଥିପାଇଁ ଆମ କ୍ଷେତ୍ରରେ ଏହି ଆଣ୍ଟିବଡି ସୃଷ୍ଟି ପ୍ରକ୍ରିୟା ଓ ତାହାର ପ୍ରଭାବ ସମୟ ଶୀତ ପର ପର୍ଯ୍ୟନ୍ତ ରହିବ ବୋଲି ଆଶା କରିବା କଥା। ବର୍ତ୍ତମାନର ତଥ୍ୟକୁ ଦେଖିଲେ ଦ୍ବିତୀୟ ଥର ସଂକ୍ରମଣ ଆଶଙ୍କା ଖୁବ୍ କମ। କିନ୍ତୁ ତାହା ବୋଲି ବେପରୱା ବା ଆତ୍ମସନ୍ତୋଷ ଲାଭ କରିବାର କୌଣସି ସୁଯୋଗ ଆମ ପାଇଁ ନାହିଁ।

ପ୍ରଶ୍ନ: ରାଜ୍ୟବାସୀଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ ମୋଟାମୋଟି ଭାବେ କୋଭିଡକୁ ନେଇ ଆପଣଙ୍କର କି ପରାମର୍ଶ ରହିବ?
ଉତ୍ତର: ଆମେ ଏକ ଲମ୍ବା ଯୁଦ୍ଧ ଜିତିବା ସ୍ଥିତିରେ ଅଛୁ। ରାଜ୍ୟ ସରକାର ନିଜର ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ କରି ସାରିଛନ୍ତି। ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛୁ। କିନ୍ତୁ ଏହାକୁ ନେଇ ଢିଲା ହୋଇଯିବା ବା ବେପରୱା ହୋଇଯିବାର କୌଣସି ସୁଯୋଗ ଏବେ ବି ଆମ ପାଇଁ ନାହିଁ। ନିଜେ ସୁରକ୍ଷିତ ରହିବା, ଅନ୍ୟକୁ ସୁରକ୍ଷିତ ରଖିବା। ମାସ୍କ, ଦୂରତା ଆଉ ସାନିଟାଇଜର... ଏହି ତିନିଟି ଜିନିଷକୁ ନେଇ ଆମକୁ ଆହୁରି ଲମ୍ବା ବାଟ ଚାଲିବାକୁ ପଡ଼ିବ।

ପ୍ରସ୍ତୁତି: କୃଷ୍ଣପ୍ରସାଦ ଦାସ