ସ୍ୱାସ୍ଥ୍ୟ ସମ୍ବାଦ : ବୟସ୍କଙ୍କୁ କରୋନା ବିପଦ ଅଧିକ କାହିଁକି?

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

ସାଧାରଣ ଭାବେ ବୟସ୍କ ବା ବରିଷ୍ଠ ନାଗରିକଙ୍କ ପ୍ରତି କୋଭିଡର ବିପଦ ସବୁଠୁ ଅଧିକ ରହୁଛି। ଉଭୟ ସଂକ୍ରମଣ ଆଶଙ୍କା ଓ ପ୍ରକୋପ ଦୃଷ୍ଟିରୁ ଦେଖିଲେ, ବରିଷ୍ଠ ନାଗରିକମାନେ ଅଧିକ ବିପଦର ସାମ୍ନା କରୁଛନ୍ତି।

ବୟସ ବଢ଼ିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଶରୀରରେ ତନ୍ତୁ ଦୁର୍ବଳ ହେବା ସହ ଜିନ୍‌ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ଶରୀର ରୋଗ ସଂକ୍ରମଣକୁ ପ୍ରତିରୋଧ କରିପାରେ ନାହିଁ।

ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ପ୍ରଭାବ କିଭଳି ରହୁଛି ତାହା ଆକଳନ କରିବା ଅନେକ ସମୟରେ ସହଜ ହେଉନାହିଁ। ଅନେକ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ ବି ସେମାନଙ୍କ ଶରୀରରେ ଲକ୍ଷଣ ବିଳମ୍ବରେ ଦେଖାଯାଉଛି। ଅନେକ ବ୍ୟକ୍ତିଙ୍କର ଆଦୌ ଜ୍ବର ଆସୁନାହିଁ। କିଛି ବ୍ୟକ୍ତିଙ୍କର ଅଳ୍ପ ଜ୍ବର ଆସୁଛି। ଆଉ ଅନେକଙ୍କର ଜ୍ବରର ମାତ୍ରା ଅଧିକ ରହୁଛି। କିନ୍ତୁ ଭିତରେ ଭିତରେ ସେମାନଙ୍କର କିଡ୍‌ନୀ, ଲିଭର, ଲଙ୍ଗ୍‌ସ (ଫୁସ୍‌ଫୁସ୍‌) ଶୀଘ୍ର କ୍ଷତିଗ୍ରସ୍ତ ହେବାରେ ଲାଗୁଛି। ଯାହା ଫଳରେ ସେମାନଙ୍କ ପାଇଁ ତୁରନ୍ତ ଆଇସିୟୁ ଓ ଭେଣ୍ଟିଲେଟର୍‌ ଆବଶ୍ୟକ ପଡ଼ୁଛି। ସମୟ ସମୟେ ଗୁରୁତର ସ୍ଥିତିରେ ଯାଇ ଲକ୍ଷଣ ଜଣାପଡ଼ିଲା ବେଳକୁ ବ୍ୟକ୍ତିଙ୍କ ଅବସ୍ଥା ବିଗିଡ଼ି ଯାଉଛି। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କାଶ ହେବା, ଛାତି ଯନ୍ତ୍ରଣା ହେବା, ଧଇଁସଇଁ ବା ପେଲା ଉଠିବା ଲକ୍ଷଣ ଇତ୍ୟାଦି ଅଧିକ ଦେଖାଯାଉଛି। ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ପରୀକ୍ଷା ରିପୋର୍ଟ ବି ଭୁଲ ଆସୁଛି। ସେମାନେ ସଂକ୍ରମିତ ହୋଇଥିଲେ ବି ରିପୋର୍ଟ ନେଗେଟିଭ୍‌ ରହୁଛି। କରୋନା ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଅମ୍ଳଜାନ ପରିମାଣ ଦ୍ରୁତ ଭାବେ ହ୍ରାସ ପାଇଥାଏ। ତେଣୁ ସେମାନଙ୍କ ଚିକିତ୍ସା ଅପେକ୍ଷାକୃତ କମ୍‌ ବୟସର ରୋଗୀଙ୍କ ତୁଳନାରେ ଅଧିକ କଷ୍ଟକର ହୋଇଥାଏ। ଯଦି ବୟସ୍କ ବ୍ୟକ୍ତିମାନେ ଡାଇବେଟିସ୍‌, ରକ୍ତଚାପ, କ୍ୟାନସର, ହୃଦ୍‌ରୋଗ, କିଡ୍‌ନୀ ଜନିତ ରୋଗରେ ପୀଡିତ ଥାଆନ୍ତି ତେବେ ସମସ୍ୟା ଅଧିକ ବଢ଼ିଯାଏ।

ବୟସ୍କ ବ୍ୟକ୍ତିମାନଙ୍କର କରୋନା ସଂକ୍ରମଣ ସମସ୍ୟା ବି ଅନେକ ସମୟରେ ଅପ୍ରତ୍ୟାଶିତ ରହୁଛି। କ୍ୟାନସର, ହୃଦ୍‌ଘାତ, ମସ୍ତିଷ୍କାଘାତ ଓ ଦୁର୍ଘଟଣାର ଶିକାର ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ସେମାନେ ହଠାତ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ୁଛି। ତେଣୁ ସେହିଭଳି ରୋଗୀମାନଙ୍କ ପ୍ରତି ଅଧିକ ବିପଦ ବଢ଼ିଯାଉଛି।

ବୟସ୍କ ବ୍ୟକ୍ତିମାନେ କ‌ରୋନାରେ ସଂକ୍ରମିତ ହେବା ବା ସେମାନଙ୍କ ଶରୀରରେ କରୋନାର ପ୍ରକୋପ ଅଧିକ ରହିବାର ନିର୍ଦ୍ଦିଷ୍ଟ କେତେକ କାରଣ ରହିଛି। ମଣିଷର ରକ୍ତରେ ଥିବା ଲିମ୍‌ଫୋସାଇଟ୍‌ର ରୋଗ ପ୍ରତିରୋଧକ ଶକ୍ତି ଥାଏ। ଏହି ଲି‌ମ୍‌ଫୋସାଇଟ୍‌ ଲୋହିତ ରକ୍ତକଣିକାର ଅଂଶବିଶେଷ। ମଣିଷର ଶରୀରରେ ଥିବା ଦୁଇ ପ୍ରକାରର ଲିମ୍‌ଫୋସାଇଟ୍‌ ମଧ୍ୟରୁ ଗୋଟିଏ ହେଉଛି ଟି’ ଲିମ୍େଫୋସାଇଟ୍‌ ଓ ଅନ୍ୟଟି ହେଉଛି ବି’ ଲିମ୍‌ଫୋସାଇଟ୍‌। ଟି’ ଲିମ୍‌ଫୋସାଇଟ୍‌ ବି ଦୁଇ ପ୍ରକାରର। ଟି’ ହେଲପର ସେଲ୍‌ ଶରୀରକୁ ରୋଗରୁ ଦ‌ୂରେଇ ରଖେ। କିନ୍ତୁ ଟି’ କିଲର୍‌ ସେଲ୍‌ ରୋଗ ସଂକ୍ରମଣକୁ ବଢ଼ାଇ ଦେଇଥାଏ। ଟି’ ହେଲ୍‌ପର୍‌ ସେଲ୍‌ ‌ଭୂତାଣୁ ଓ ଜୀବାଣୁ ସହ ଲଢ଼ି ଶରୀରକୁ ରୋଗରୁ ରକ୍ଷା କରିବାରେ କାର୍ଯ୍ୟ କରିଥାନ୍ତି। କିନ୍ତୁ ତାହା ବିଫଳ ହେଲେ ମଣିଷ ରୋଗରେ ଆକ୍ରାନ୍ତ ହୋଇପଡେ। ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହି ଟି’ ହେଲ୍‌ପର୍‌ ସେଲ୍‌ ପରିମାଣ କମ୍‌ ରହୁଥିବା ବେଳେ ଟି’ କିଲର୍‌ ସେଲ୍‌ ସଂଖ୍ୟା ଅଧିକ ରହୁଥିବାରୁ ସେମାନେ କରୋନା ଅଥବା ଅନ୍ୟ ରୋଗ ପ୍ରତି ଅଧିକ ସଂକ୍ରମଣ ପ୍ରବଣ। ଅନ୍ୟପଟେ ବି’ ଲିମ୍‌ଫୋସାଇଟ୍‌ ରକ୍ତରେ ସଂକ୍ରମଣ ପ୍ରତିରୋଧକାରୀ ହର୍ମୋନ୍‌ ପ୍ରସ୍ତୁତ କରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ବି’ ଲିମ୍‌ଫୋସାଇଟ୍‌ର ରୋଗ ପ୍ରତିରୋଧ ହର‌୍‌ମୋନ୍‌ ପ୍ରସ୍ତୁତ କରିବା କ୍ଷମତା ହ୍ରାସ ପାଇଥାଏ। ଫଳରେ ସେମାନେ ‌କରୋନା ହେଉ ବା ଅ‌ନ୍ୟ କୌଣସି ରୋଗ ହେଉ, ସେଥିରେ ଶୀଘ୍ର ସଂକ୍ରମିତ ହୋଇପଡ଼ନ୍ତି ଏବଂ ରୋଗର ପ୍ରକୋପ ମଧ୍ୟ ସେମାନଙ୍କ ଉପରେ ଅଧିକ ଅନୁଭୂତ ହୋଇଥାଏ। ଯେଉଁ ବୟସ୍କ ବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହୋଇ ମଧ୍ୟ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି ସେମାନଙ୍କ ରକ୍ତରେ ସାଧାରଣ ଭାବେ ଟି’ ହେଲ୍‌ପର୍‌ ସେଲ୍‌ ଅଧିକମାତ୍ରାରେ ରହିଥିବା ଏବଂ ବି’ ଲି‌ମ୍‌ଫୋସାଇଟ୍‌ ସକ୍ରିୟ ଥିବା ସାଧାରଣ ଭାବେ କହିହେବ।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ଶୁକ୍ରବାର)

ଜରାରୋଗ (ଜେରିଆଟ୍ରିକ୍‌) ବିଭାଗୀୟ ମୁଖ୍ୟ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର