ପଢନ୍ତୁ ‘ସ୍ୱାସ୍ଥ୍ୟ ସମ୍ବାଦ’, ‘ସମ୍ବାଦ’ ପୃଷ୍ଠାରେ ପ୍ରତ୍ୟେକ ଦିନ

ଭୁବନେଶ୍ୱର : କରୋନା ମହାମାରୀ ପ୍ରତ୍ୟେକ ମଣିଷର ବୃତ୍ତି ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଛି। ଏଭଳି କୌଣସି କ୍ଷେତ୍ର ନାହିଁ, ଯାହାକି ଏହି କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇନାହିଁ। କିନ୍ତୁ ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମଣିଷର ବର୍ତ୍ତମାନ ଓ ଭବିଷ୍ୟତ ସହିତ ଜଡ଼ିତ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଗକୁ କିଭଳି ମୋଡ଼ ନେବ, ସେ ନେଇ କେହି ଏଯାଏ ସ୍ପଷ୍ଟ ହୋଇପାରୁ ନାହାନ୍ତି। ରାଜ୍ୟର ପାଠପାଠିକାଙ୍କ ବିଶ୍ବାସ ଓ ଭରସାର ପ୍ରତୀକ ଭାବେ ବର୍ଷବର୍ଷ ଧରି ରାଜ୍ୟରେ ଏକ ନମ୍ବର ଖବରକାଗଜ ଭାବେ ରହି ଆସିଥିବା ‘ସମ୍ବାଦ’ ଏହି ସଂଗିନ ସମୟରେ ବି ତା’ର ସାମାଜିକ ଦାୟିତ୍ବବୋଧରୁ ଓହରି ଯାଇ ନାହିଁ। ଯେଉଁ ସମୟରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କର ପାଠପଢାରେ ଗୁରୁତର ସମସ୍ୟା ଦେଖା ଦେଇଛି, ସେହି ସମୟରେ ଗଲା ୬ ମାସ ଧରି ପ୍ରତ୍ୟେକ ଦିନ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ସମ୍ବାଦ’ ପୃଷ୍ଠାରେ ‘ଶିକ୍ଷା ସମ୍ବାଦ’ ଜରିଆରେ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ବାରା ପ୍ରସ୍ତୁତ ବିଷୟବସ୍ତୁ ଆଲୋଚନା ଓ ପରାମର୍ଶ ନିୟମିତ ଭାବେ ପ୍ରକାଶ ପାଇ ଆସୁଛି।

ଶିକ୍ଷା ସହିତ ସ୍ବାସ୍ଥ୍ୟକ୍ଷେତ୍ରରେ ନିଜର ଉତ୍ତରଦାୟିତ୍ବ ନିର୍ବାହ ପାଇଁ ‘ସମ୍ବାଦ’ ପକ୍ଷରୁ ନିୟମିତ ‘ସ୍ବାସ୍ଥ୍ୟ ସମ୍ବାଦ’ ସ୍ତମ୍ଭ ପ୍ରକାଶ ପାଇବାକୁ ଯାଉଛି। ଏହି ସ୍ତମ୍ଭରେ କରୋନା ଦ୍ବାରା ବିଶେଷ ଭାବେ ଯେଉଁ ରୋଗୀ ଅଥବା ବ୍ୟକ୍ତିମାନେ ପ୍ରଭାବିତ ହେଉଛନ୍ତି, ସେମାନଙ୍କ ପାଇଁ ପରାମର୍ଶ, ସତର୍କତା ଆଉ ଉପଚାର ବିଧି ପ୍ରତ୍ୟେକ ଦିନ ପ୍ରକାଶ ପାଇବ। ବାର୍ଦ୍ଧକ୍ୟଜନିତ ରୋଗ ବା ଜରା ରୋଗ (ଜେରିଆଟ୍ରିକ), ଯକୃତ (ଲିଭର) ଓ ପେଟ ଜନିତ ରୋଗ (ହେପାଟୋଲୋଜି), ସ୍ତ୍ରୀ ଓ ପ୍ରସୂତି ରୋଗ (ଗାଇନାକୋଲୋଜି), ରକ୍ତ ଶର୍କରା ବା ମଧୁମେହ ସମ୍ବନ୍ଧିତ ରୋଗ (ଏଣ୍ଡୋକ୍ରାଇନୋଲୋଜି), ହୃଦରୋଗ (କାର୍ଡିଓଲୋଜି), ଶିଶୁ ରୋଗ (ପେଡିଆଟ୍ରିକ), ମାନସିକ ରୋଗ (ସାଇକିଆଟ୍ରିକ) ତଥା କରୋନା ସମ୍ବନ୍ଧିତ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପଲମ୍ୟୁନାରି ମେଡିସିନ୍ ବିଭାଗର ବିଶେଷଜ୍ଞମାନେ ଏହି ସ୍ତମ୍ଭ ଜରିଆରେ ସେମାନଙ୍କର ପରାମର୍ଶ ଦେବେ। ‘ସମ୍ବାଦ’ର ପାଠକପାଠିକା ମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଆଶା।

ସମ୍ବନ୍ଧିତ ଖବର