ଓଡ଼ିଶାରେ ଆଉ ୪ଟି ହୋଟେଲ ଖୋଲିବ ସ୍ୱସ୍ତି ଗ୍ରୁପ୍‌

ନଭେମ୍ବରରୁ ପୁରୀ କାର୍ଯ୍ୟ ଆରମ୍ଭ, ୨୦୨୩ରେ ସରିବ; ଗୋପାଳପୁର, ଭିତରକନିକା, ସାତପଡ଼ାରେ ବି ହେବ

ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ ଓ ହୋଟେଲ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ସ୍ବସ୍ତି ଗ୍ରୁପ୍‌। ସଂସ୍ଥା ପକ୍ଷରୁ ଏବେ ଓଡ଼ିଶାରେ ୪ଟି ହୋଟେଲ ଖୋଲିଥିବା ବେଳେ ଖୁବ୍‌ଶୀଘ୍ର ଆଉ ୪ଟି ହୋଟେଲ ଖୋଲିବ। ପୁରୀ, ଗୋପାଳପୁର, ଭିତରକନିକା ଓ ସାତପଡ଼ାରେ ଏହି ହୋଟେଲଗୁଡ଼ିକ ଖୋଲିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସ୍ବସ୍ତି ଗ୍ରୁପ୍‌ର ଉପସଭାପତି ତଥା ସିଏଫ୍‌ଓ ପ୍ରିୟନାଥ ବେହେରା କହିଛନ୍ତି ଯେ ପୁରୀ‌‌‌‌ରେ ଖୁବ୍‌ଶୀଘ୍ର ଏକ ହୋଟେଲ ଖୋଲିବାକୁ ଯାଉଛି। ତାହାର ନାମକରଣ ସ୍ବସ୍ତି ପ୍ରିମିୟମ୍‌ ବ୍ରିଚ୍‌ ରିସୋର୍ଟସ, ପୁରୀ ରଖାଯିବ। ଆସନ୍ତା ନଭେମ୍ବରରେ ଏହି ହୋଟେଲର କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଶେଷ ଭାଗରେ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ବସ୍ତରୀୟ ହେବାକୁ ଥିବା ଏହି ପଞ୍ଚତାରକା ହୋଟେଲରେ ୧୨୫ଟି ରୁମ୍‌, ୬ ହଜାର ବର୍ଗଫୁଟ୍‌ର ଦୁଇଟି ସମ୍ମିଳନୀ କକ୍ଷ, ୪ଟି ଛୋଟ ହଲ୍‌, ଇନ୍‌ଡୋର୍‌ ଆକ୍ଟିଭିଟିଜ୍‌, ଜଳକ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଦୁଇ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ହୋଟେଲ ପାଇଁ ୧୦୦ କୋଟି ଟଙ୍କାରେ ବ୍ୟୟବରା‌ଦ କରାଯାଇଛି।

ହୋ‌ଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି ଯେ ଓଡ଼ିଶା ଭିତରେ ରହି ଆଗକୁ ବଢ଼ିବାକୁ ଆମେ ସବୁବେଳେ ପ୍ରୟାସ କରିଛୁ। ଏବେ ୪ଟି ହୋଟେଲରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ଦେଉଛୁ। ଆଗକୁ ପୁରୀ ପ୍ରକଳ୍ପ ‌ଖୋଲିବାକୁ ନିଷ୍ପତ୍ତି ହୋଇଛି। ଗୋପାଳପୁରରେ ଏବେ ଗୋଟିଏ ହୋଟେଲ ଚାଲିଛି। ତେବେ ସେଠାକୁ ଅତିଥିମାନଙ୍କ ପ୍ରବଳ ଆଗ୍ରହ ରହୁଥିବାରୁ ୬୦ରୁମ୍‌ ବିଶିଷ୍ଟ ଏକ ବୁଟିକ୍‌ ହୋଟେଲ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ପୁରୀ ପରେ ଗୋପାଳପୁର ହୋଟେଲ କାର୍ଯ୍ୟ ଆରମ୍ଭ ହେବ। ଏହାବ୍ୟତୀତ ଭିତରକନିକା ଓ ସାତପଡ଼ାରେ ବି ହୋଟେଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଉଭୟ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ସରିଛି। ଓଡ଼ିଶା ସରକାର ସମସ୍ତପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ସଫଳତାର ସହ ପ୍ରକଳ୍ପଗୁଡ଼ିକ ଆଗକୁ ନେବାକୁ ଯୋଜନା ରହିଛି।

କରୋନା ପରେ ମାସେ ହେଲା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବେଶ୍‌ ଆଗକୁ ବଢ଼ିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଏବେ କମ୍‌ ରହିଥିବାରୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି। ଦଶହରା ସମୟରେ ଓଡ଼ିଶାର ହୋଟେଲଗୁଡ଼ିକ ପ୍ରାୟତଃ ଭିଡ଼ ରହିଥିଲା। ତେବେ କରୋନା ସମୟରେ ବିମାନ ସେବା ଓ ଗମନାଗମନ ସୁବିଧା ବନ୍ଦ ରହିଥିବାରୁ ହୋଟେଲ ଶିଳ୍ପ ବହୁ ପରିମାଣରେ କ୍ଷତି ସହିଛି। ଆଗକୁ ରାଜସ୍ଥାନର ଜୟପୁର ଓ ଗୋଆକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ବେଶ୍‌ ଫଳପ୍ରଦ ହେବ। ଏଥିସହ ବାରଣାସୀ ଓ ବୁଦ୍ଧଗୟାକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛୁ। ଏହା ହୋଇପାରିଲେ ପର୍ଯ୍ୟଟନ ଶିଳ୍ପ ଆହୁରି ଆଗକୁ ବଢ଼ିପାରିବ।

ସମ୍ବନ୍ଧିତ ଖବର