ସମ୍ବଲପୁର: ସଫଟ୍ୱେର୍ ଇଂଜିନିୟର୍ ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସମ୍ବଲପୁର ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଏହି ଘଟଣା ନେଇ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ମୃତ ଶ୍ବେତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଉପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏଭଳି ସ୍ଥିତିରେ ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ବଂଶୀଧରନଗର ନିବାସୀ ସୌମ୍ୟଜିତ ସୋମବାର ରାତିରୁ କୁଆଡ଼େ ଚାଲି ଯାଇଥିବା ନେଇ ପାଖ ପଡ଼ୋଶୀରେ ଜୋର୍ ଚର୍ଚ୍ଚା ଚାଲିଛି।
ରବିବାର ରାତି ୧୦ଟା ୦୭ ମିନିଟ୍ରେ ତାଙ୍କ ଘରୁ ବାହାରି ଦୁଇଜଣ ଯୁବକ ବୁଲେଟ୍ ମଟର ସାଇକଲରେ କୁଆଡ଼େ ଯାଇଥିଲେ ଓ ୧୦ ମିନିଟ୍ ପରେ ଜଣେ ଫେରି ଆସି ଘରେ ପଶିବା ପରେ ଗେଟ୍ ବନ୍ଦ କରି ଦିଆଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସହରରେ ଘୂରି ବୁଲୁଛି। ପଛରେ ବସି ଯାଇଥିବା ଓ ଘରକୁ ଫେରି ନଥିବା ଯୁବକ ଜଣକ ସୌମ୍ୟଜିତ ଅଟନ୍ତି ଓ ତାଙ୍କୁ ତାଙ୍କ ବଡ଼ ଭାଇ ନେଇ କେଉଁଠି ଛାଡ଼ି ଆସିଥିବା ପଡ଼ୋଶୀମାନେ କହୁଥିଲେ ବି ଭିଡିଓରୁ କିଛି ସ୍ପଷ୍ଟ ଜଣାପଡ଼ୁ ନାହିଁ। ଅପରପକ୍ଷରେ ଶ୍ବେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକ ସୌମ୍ୟଜିତଙ୍କୁ ଦାୟୀ କରି ତାଙ୍କ ପିତା ଓ ଭାଇମାନେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ବି ଭୁବନେଶ୍ବର ପୁଲିସ୍ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଆସି ନଥିବା ଜଣାପଡ଼ିଛି।
କୁଚିଣ୍ଡା ଅଞ୍ଚଳର ମୂଳନିବାସୀ ତଥା ସମ୍ବଲପୁର ବଂଶୀଧର ନଗରରେ ଘର ତିଆରି କରି ରହୁଥିବା ସିଆଇଏସ୍ଏଫ୍ ଅଧିକାରୀ ତପନ ମହାପାତ୍ର ଓ ଜ୍ୟେତ୍ସ୍ନାରାଣୀ ମହାପାତ୍ରଙ୍କ ଦୁଇ ପୁଅ ମଧ୍ୟରେ ସୌମ୍ୟଜିତ ସାନ। ସେ ବୁର୍ଲା ଭିସୁଟ୍ରୁ ଇଂଜିନିୟରିଂ ପାସ୍ କରିବା ପରେ ୨୦୧୮ରେ ଭୁବନେଶ୍ବର ଇନ୍ଫୋସିସ୍ରେ ଚାକିରି କରିଥିଲେ। ସେଠାରେ ଚାକିରି କରୁଥିବାବେଳେ ଶ୍ବେତାଙ୍କ ସହ ତାଙ୍କର ପରିଚୟ ଓ ସଂପର୍କ ହୋଇଥିଲା। ଲକ୍ଡାଉନ୍ ସମୟରେ ସୌମ୍ୟଜିତ ଭୁବନେଶ୍ବରରୁ ସମ୍ବଲପୁର ଚାଲି ଆସିଥିଲେ ଓ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଯାଇଥିଲା। ସୌମ୍ୟଜିତଙ୍କ ବଡ଼ଭାଇ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ଚାକିରି କରନ୍ତି ଓ ସେ ମଧ୍ୟ ଅବିବାହିତ। ତାଙ୍କ ପରିବାରର ପାଖପଡ଼ୋଶୀଙ୍କ ସହ ଉତ୍ତମ ସଂପର୍କ ନଥିବା ଅଭିଯୋଗ ହୁଏ।
ଏପରିକି ପଡ଼ୋଶୀମାନେ ବି ଏକାଧିକ ବାର ବିଭିନ୍ନ ପ୍ରସଂଗକୁ ନେଇ ତାଙ୍କ ପରିବାର ବିରୋଧରେ ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘରକୁ ଯାଇ ପ୍ରତିକ୍ରିୟା ଲୋଡ଼ିଥିଲେ ବି କେହି ବାହାରି ନଥିଲେ କି କିଛି କହି ନଥିଲେ। ଦିନ ସାରା ସେମାନେ ଘର ବନ୍ଦ କରି ଭିତରେ ରହିଥିଲେ। ସୌମ୍ୟଜିତ ଘରେ ଅଛନ୍ତି ନା’ ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାଙ୍କ ପଡ଼ୋଶୀମାନେ ସେମାନଙ୍କ ପରିବାର ବିରୋଧରେ ଗଣମାଧ୍ୟମ ସାମ୍ନାରେ ବିଭିନ୍ନ ନକରାତ୍ମକ ପ୍ରତିକ୍ରିୟା ରଖିଥିଲେ।