ଅନୁଗୁଳ: ରାତି ପାହିଲେ ଚା’ ପାଇଁ ହେଉ କି ରୋଗୀକୁ ପାଉଁରୁଟି ଖାଇବାକୁ ହେଉ; ସମସ୍ତଙ୍କୁ ଲୋଡ଼ା ପଡ଼ୁଛି କ୍ଷୀର। ବଜାରର କ୍ଷୀରଗୁଣ୍ଡ ଅପେକ୍ଷା ଦେଶୀ କ୍ଷୀରର ଚାହିଦା ବଢ଼ୁଛି। ବଜାରରେ ମିଳୁଥିବା ବିଭିନ୍ନ ପ୍ୟାକେଟ୍‌ କ୍ଷୀର ବ୍ୟତୀତ ସ୍ଥାନୀୟ ଅଞ୍ଚଳର ଗୋପାଳକମାନେ ମଧ୍ୟ ଲୋକଙ୍କ ଚାହିଦା ମେଣ୍ଟାଇବାରେ ସହଯୋଗ ଦେଉଛନ୍ତି। ହିସାବ କହୁଛି, ଅନୁଗୁଳ ଜିଲ୍ଲାରେ ଦିନକୁ ପ୍ରାୟ ୩୦ହଜାର ଲିଟର କ୍ଷୀର ଆବଶ୍ୟକ। ଏହି ଲକ୍ଷ୍ୟ ହାସଲ ହେଉଥିବା କାରଣରୁ ଅନ୍ୟ ଜିଲ୍ଲା ଉପରେ କ୍ଷୀର ପାଇଁ ଅନୁଗୁଳ ଜିଲ୍ଲା ଆଉ ନିର୍ଭର କରୁନାହିଁ। ଅନୁଗୁଳ ସହର ସମେତ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକାଳ ହେଲା ବେଳକୁ କମ୍ପାନିମାନଙ୍କ ସ୍ବତନ୍ତ୍ର ଗାଡ଼ି ହୋଲସେଲ୍‌ ଓ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ କ୍ଷୀର ପହଞ୍ଚାଉଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ଅନୁଗୁଳ ସହର ସମେତ ଅନ୍ୟ ଅଞ୍ଚଳରେ ୩୦ହଜାର ଲିଟର କ୍ଷୀର ବିକ୍ରି ହେଉଛି। ଏହାବାଦ୍‌ ପନିର, ରାବିଡ଼ି, ଦହି ଆଦିରେ ଆଉ ୫ରୁ ୬ହଜାର କ୍ଷୀର ବ୍ୟବହାର ହେଉଥିବା ଜଣାପଡ଼ିଛି। ଓମ୍‌ଫେଡ ସହିତ ଅନ୍ୟ ୩/୪ଟି ଘରୋଇ କମ୍ପାନିର କ୍ଷୀର ଏହି ଚାହିଦା ପୂରଣ କରୁଛନ୍ତି। ତଥାପି ସ୍ଥାନୀୟ ଅଞ୍ଚଳର ଗୋପାଳକମାନେ ଦିନକୁ ୨ରୁ୪ ହଜାର ଲିଟର କ୍ଷୀର ବିକ୍ରି କରି ପାରୁଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଅନୁଗୁଳ ସହରରେ ଓମ୍‌ଫେଡ ସବୁଠାରୁ ଅଧିକ କ୍ଷୀର ଓ ଦୁଗ୍‌ଧଜାତ ସାମଗ୍ରୀ ବିକ୍ରି କରୁଛି। ଅନୁଗୁଳ ସହରରେ ଘରୋଇ କମ୍ପାନିମାନେ ଓମ୍‌ଫେଡକୁ ଟପି ପାରିନାହାନ୍ତି। ଦିନକୁ ଓମ୍‌ଫେଡ ପ୍ରାୟ ୧୧ହଜାର ଲିଟର କ୍ଷୀର ଓ ୫/୬ ହଜାର ଲିଟର ଅନ୍ୟାନ୍ୟ ଦୁଗ୍‌ଧଜାତ ସାମଗ୍ରୀ ବିକ୍ରି କରିପାରୁଛି। ସେହିପରି ଅନ୍ୟ ଘରୋଇ କମ୍ପାନିମାନେ ପ୍ରତିଯୋଗିତାମୂଳକ ଭାବେ ବେପାର ବଢ଼ାଇ ଚାଲିଛନ୍ତି। ଗତ ୫ବର୍ଷ ଭିତରେ ଓମ‌୍‌ଫେଡର ବେପାରରେ ସାମାନ୍ୟ ହ୍ରାସ ହୋଇଥିବା ଜଣାପଡ଼ିଛି। ୨୦୧୮/୧୯ ବେଳକୁ ଓମ୍‌ଫେଡ ଦିନକୁ ୧୫ହଜାର ଲିଟରରୁ ଊର୍ଦ୍ଧ୍ବ କ୍ଷୀର ବିକ୍ରି କରିପାରୁଥିଲାବେଳେ ଏବେ ତାହା ୧୧/୧୨ ହଜାର ଲିଟରକୁ ଖସି ଆସିଛି। ପୂର୍ବରୁ କଟକରୁ କ୍ଷୀର ଆସିଲେ ଅନୁଗୁଳର ଚାହିଦା ମେଣ୍ଟୁଥିଲା। ଏବେ ଆଉ ସେ ପୂର୍ବସ୍ଥିତି ନାହିଁ। ଅନୁଗୁଳର କ୍ଷୀର ଜିଲ୍ଲାର ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇପାରିଥିବା ଜଣାପଡ଼ିଛି।

ଅନ୍ୟପଟେ ସତେଜ ଓ ଭଲ କ୍ଷୀରକୁ ଲୋକେ ଖୋଜୁଛନ୍ତି। ସହରିଆମାନେ ପ୍ୟାକେଟ କ୍ଷୀର ତୁଳନାରେ ସିଧାସଳଖ ଚାଷୀ ପାଖରୁ କ୍ଷୀର ଆଣିବାକୁ ପସନ୍ଦ କରୁଛନ୍ତି। କ୍ଷୀର ଉତ୍ପାଦକ ସଂସ୍ଥାମ‌ାନେ ଯୋଗାଉଥିବା ପ୍ୟାକେଟ କ୍ଷୀର ଅପେକ୍ଷା ଚାଷୀଙ୍କ କ୍ଷୀରର ଦାମ୍‌ ଯଦିଓ ଅଧିକ ରହୁଛି କିନ୍ତୁ ସେଥିରେ କେମିକାଲ୍‌ କିମ୍ବା ଅନ୍ୟ ଦ୍ରବଣ ମିଶ୍ରଣର ଭୟ ନଥିବା ଖାଉଟି କହିଛନ୍ତି। କିନ୍ତୁ ଦୋକାନୀଙ୍କ ଠାରୁ ନେଇ ବିଭିନ୍ନ ଅଫିସ ଆଦିରେ ପ୍ୟାକେଟ କ୍ଷୀର ବହୁଳ ପରିମାଣରେ ବ୍ୟବହୃତ ହେଉଛି। ବଜାରରେ ଏବେ କ୍ଷୀର ଲିଟର ପିଛା ୩୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗୋ-ଚାଷୀଙ୍କ ସଂଖ୍ୟା ଅଧିକ ବଢ଼ି ପାରିଲେ କ୍ଷୀର ଉତ୍ପ‌ାଦନ ବି ଆହୁରି ବୃଦ୍ଧି ହୋଇପାରନ୍ତା ଓ ଅନୁଗୁଳ ଅନ୍ୟ ଜିଲ୍ଲାକୁ କ୍ଷୀର ପଠାଇପାରନ୍ତା ବୋଲି ମତପ୍ରକାଶ ପାଇଛି।