ଯୁଯୁମୁରା: ନୂଆ ବର୍ଷରେ କିଏ ପର୍ଯ୍ୟଟନସ୍ଥଳ ବୁଲିଛି ତ ଆଉ କିଏ ଖାଇ ପିଇ ମଉଜମସ୍ତି କରୁଥିବା ବେଳେ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ, ସମ୍ବଲପୁର ପକ୍ଷରୁ ନିଆରା ଢଙ୍ଗରେ ନବ ବର୍ଷ ପାଳନ କରାଯାଇଛି। ଗତ ୭ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ହାତୀବାରି କୁଷ୍ଠାଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମାଜର ମୁଖ୍ୟସ୍ରୋତଠାରୁ ବହୁ ଦୂରରେ ସବୁଜ ବନାନୀ ମଧ୍ୟରେ ଅବସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ମୁହଁରେ ନୂଆବର୍ଷରେ ଟିକିଏ ହସ ଫୁଟାଇବା ପାଇଁ ବିବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୁରୁ ତ୍ରିଲୋଚନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ବିଶିଷ୍ଟ କଣ୍ଠଶିଳ୍ପୀ ବିଭୂତି ପଟ୍ଟନାୟକ, ଦିଲୀପ ବାଗ, ରାଜକୁମାର ଜାଲ, ପ୍ରୀତିନନ୍ଦା ମିଶ୍ର, ପୂଜା ମୁଣ୍ଡା ପ୍ରମୁଖ ଗୀତକୁ ମନଭରି ଉପଭୋଗ କରିଥିଲେ।
‘ଲେ’ଲେ ବଉଳ’ ଗୀତଠାରୁ ଆରମ୍ଭକରି ‘ବରେଇପାଲି ନୂଆପରା ନ’, ‘କେଭେ ସୁଝିବା ବିହା ଲଗନ’ ଭଳି ଅନେକ ନୂଆପୁରୁଣା ସମ୍ବଲପୁରୀ ଗୀତର ତାଳେ ତାଳେ ଅନେକ ଅନ୍ତେବାସୀ ମନଭରି ନାଚି ଥିଲେ। ସଂଗୀତ କାର୍ଯ୍ୟକ୍ରମ ସହିତ ସଙ୍ଗଠନ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କୁ ନୂଆ ବସ୍ତ୍ର ପ୍ରଦାନ ସହ ସ୍ବାଦିଷ୍ଟ ବ୍ୟଞ୍ଜନ ପରସା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗପତି ଶୀଲା ଶିବ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଖୁସି ବାଣ୍ଟିଲେ ଖୁସି ମିଳେ ବୋଲି କହି ସ୍ବାଭିମାନ ସମ୍ବଲପୁରର କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ସମ୍ୱଲପୁର ପୌର ପରିଷଦର ପୂର୍ବତନ କାଉନ୍ସିଲର ଅଶ୍ଵିନୀ ସ୍ୱାଇଁ ସେବା କାର୍ଯ୍ୟ ଜାରି ରଖିବା ପାଇଁ ଆୟୋଜକମାନଙ୍କୁ ଆହ୍ବାନ ଦେଇଥିଲେ। ସଂଗଠନର ସଭାପତି ସଂଜୀବ କଂସାରିଙ୍କ ଅଧ୍ୟକ୍ଷତା ଏବଂ ସଂପାଦକ ଶିଶିର ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଦୁଇ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ, ଶୋଭନ ପଟ୍ଟନାୟକ ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଦେବନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମୀର ହୋତା, କୁନ୍ଦନ ପ୍ରଧାନ, ଅନୁପ ଲାଟା, ପୂର୍ବ ନାୟକ, ଆକାଶ ସାହୁ, ସତ୍ୟବାନ ବାଗ, ଉପେନ୍ଦ୍ର ରାଉତ, ସୁରେଶ ସାନବଡ଼, ସୁଧୀର ଦାସ, ମନୋଜ କୁମ୍ଭାର, ଦେବ ପ୍ରସାଦ ବାବୁ, ସୁକଦେବ ପଧାନ, ମଞ୍ଜୁଳତା ସାମନ୍ତରାୟ, ସଂଗୀତା ମୁଣ୍ଡା, ସୁକଦେବ ଷଣ୍ଢ, ଗୁଣନିଧି ରାଉତ, ସୁରଥ ରାଉତ, ଭବାନୀ ଅମାତ, ହରିଲାଲ, ବଳରାମ, ମହେଶ୍ୱର ପ୍ରମୁଖ ସହଯୋଗ କରିଥିଲେ। ସଂଗୀତ କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ସୁବାସ ଭୋଇ, ଭାଗିରଥୀ ସିଂହଦେଓ ଓ ଅମୀର ମହାନନ୍ଦ ସହଯୋଗ କରିଥିଲେ।