ନିରସ ହୋଇଯିବ ସ୍ୱାୟତ୍ତ ଶାସନ ଦିବସ

ଉଦ୍‌ଘାଟନ, ଶିଳାନ୍ୟାସ ପାଇଁ କିଛି ବି ପ୍ରକଳ୍ପ ନାହିଁ

କେବଳ ପତାକା ଉତ୍ତୋଳନରେ ଶେଷ ହେବ
ଦୁଇ ବର୍ଷ ତଳର ପ୍ରକଳ୍ପ ଅଧପନ୍ତରା ହୋଇପଡ଼ିଛି

ଭୁବନେଶ୍ବର : ପ୍ରତିବର୍ଷ ଅଗଷ୍ଟ ୩୧କୁ ସବୁ ପୌରସଂସ୍ଥା ସ୍ବାୟତ୍ତ ଶାସନ ଦିବସ ଭାବେ ପାଳନ କରନ୍ତି। ବର୍ଷ ତମାମ୍ କିଛି ନୂଆ ପ୍ରକଳ୍ପ ହେଉ କି ନହେଉ ଏହିଦିନ କିଛି ନା କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୁଏ। ବିଏମ୍‌ସି ଓ ସିଏମ୍‌ସି ଭଳି ପୌର ସଂସ୍ଥାରେ ତ ଦୁଇ ତିନି ଦିନ ଧରି ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ ଲାଗିରହେ। ରାଜ୍ୟ ସରକାର ମଧ୍ୟ ସାରା ରାଜ୍ୟର ସହରାଞ୍ଚଳ ପାଇଁ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରନ୍ତି। ହେଲେ ଚଳିତବର୍ଷ ସାରା ରାଜ୍ୟରେ ସ୍ବାୟତ୍ତ ଶାସନ ଦିବସରେ କିଛି ହେବନି। କେବଳ ପତାକା ଉତ୍ତୋଳନରେ କାର୍ଯ୍ୟକ୍ରମ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି।

ରାଜ୍ୟର ୧୧୪ଟି ସହରାଞ୍ଚଳର ବାସିନ୍ଦା ଚାତକ ଭଳି ଏହି ସ୍ବାୟତ୍ତଶାସନ ଦିବସକୁ ଚାହିଁ ରହିଥାନ୍ତି। ସେମାନଙ୍କ ଅଞ୍ଚଳ ପାଇଁ ପୌରସଂସ୍ଥା କ’ଣ କରୁଛି ତାହା ଉପରେ ନଜର ଥାଏ। ବଡ଼ ପ୍ରକଳ୍ପ ନହେଲେ ବି କେଉଁଠି ଡ୍ରେନ୍, ରାସ୍ତା, ପାର୍କ, ଆଲୋକୀକରଣ ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ହୋଇଯାଏ। ଏଥିପାଇଁ ସ୍ବାୟତ୍ତଶାସନ ଦିବସର ମାସେ/ଦୁଇ ମାସ ପୂର୍ବରୁ ଲୋକଙ୍କ ଦାବି ମୁତାବକ ତାଲିକା ବି ପ୍ରସ୍ତୁତ ହୁଏ। କର୍ପୋରେଟର/କାଉନସିଲର୍‌ମାନେ ସେମାନଙ୍କ ଅଞ୍ଚଳରେ କିଛି ନା କିଛି ପ୍ରକଳ୍ପର ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ କରନ୍ତି।

କିନ୍ତୁ ପ୍ରାୟ ତିନି ବର୍ଷ ହେଲା ପୌର ନିର୍ବାଚନ ନହେବା ଏବେ ସହରାଞ୍ଚଳବାସୀଙ୍କ ପାଇଁ ମହଙ୍ଗା ପଡ଼ିଛି। ନିର୍ବାଚିତ କର୍ପୋରେଟର/କାଉନସିଲର୍‌ ନଥିବାରୁ ଲୋକଙ୍କ ଦାବି ବି କେହି ଉପସ୍ଥାପନ କରିବାକୁ ନାହାନ୍ତି। ଲୋକମାନେ ଯଦି ସମସ୍ୟା ନେଇଯାଉଛନ୍ତି କରୋନା ଆଳରେ ପୌରସଂସ୍ଥାର ଅଧିକାରୀମାନେ ଭେଟୁନାହାନ୍ତି।

କେବଳ ଏତିକି ନୁହେଁ ନଗର ଉନ୍ନୟନ ବିଭାଗ ବି ଏଥର କରୋନାକୁ ଆଳ କରି କୌଣସି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରୁନି। ଗତବର୍ଷ ଯେଉଁଭଳି କରୋନାକୁ ଆଳ କରିଥିଲା ଏଥର ବି ସେୟା କରିଛି। ଗତବର୍ଷଠାରୁ ଏଥର ସ୍ଥିତି ଭିନ୍ନ ଥିବାବେଳେ ସମସ୍ତ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ନଗର ଉନ୍ନୟନ ବିଭାଗ କରୋନାରେ ଅଟକିଯାଇଛି। ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍ କହିଛନ୍ତି ଯେ ଏଥର କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବନି। ପୌରସଂସ୍ଥାଗୁଡ଼ିକ ନିଜ ନିଜ ସ୍ତରରେ ଯାହା କରିବେ।

ନଗର ଉନ୍ନୟନ ବିଭାଗ ପାଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସୁଯୋଗ ଥିଲେ ବି କାହିଁକି କରାଯାଉନି ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଓଡ଼ିଶାର ସବୁ ସହରର ରୢାଙ୍କ ତାଲିକାରେ ବହୁ ପଛରେ ରହୁଥିଲେ ହେଁ ଆସନ୍ତା ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇପାରିଥାନ୍ତା। ମିସନ୍ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ପୌର ସଂସ୍ଥାର ଅଧିକାଂଶ କାର୍ଯ୍ୟ କରିବାକୁ ନିକଟରେ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏନେଇ ମଧ୍ୟ କିଛି ପ୍ରକଳ୍ପର ଶୁଭାରମ୍ଭ, ହୋଇପାରିଥାନ୍ତା। କିନ୍ନରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପୌରସଂସ୍ଥାର ବିଭିନ୍ନ ପ୍ରକଳ୍ପରେ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏନେଇ ବି କୌଣସି ପ୍ରକଳ୍ପର ଲୋକାର୍ପଣ ହୋଇପାରିଥାନ୍ତା, ସବୁ ସହରରେ ଜଳବନ୍ଦୀ ସମସ୍ୟା ଥିବାରୁ ସବୁ ସହରରେ ଡ୍ରେନ୍ ନିର୍ମାଣ ପାଇଁ କିଛି ପ୍ୟାକେଜ୍ ଘୋଷଣା କରାଯାଇପାରିଥାନ୍ତା। ଏସବୁ ବାଦ୍ ଏବେ ସହରାଞ୍ଚଳରେ ଖୋଲା ସ୍ଥାନରେ ପାର୍କ, ଖେଳପଡ଼ିଆ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିବାରୁ ନଗରଉନ୍ନୟନ ବିଭାଗ ଏହାକୁ ନେଇ ପ୍ରକଳ୍ପ ଆରମ୍ଭ କରିପାରିଥାନ୍ତା। କିନ୍ତୁ ଏନେଇ ବିଭାଗୀୟ ଅଧିକାରୀମାନଙ୍କ ପାଖରେ କିଛି ଯୋଜନା ନାହିଁ। ଆଉ ମିଳିମିଶି ସ୍ବାୟତ୍ତଶାସନ ଦିବସକୁ ନିରସ କରିଦେଲେ।

ଅପରପକ୍ଷେ ଦୁଇ ବର୍ଷ ତଳେ ୨୦୩୫ଟି ୱାର୍ଡରେ ୱାର୍ଡ ଅଫିସ୍ ନିର୍ମାଣ କରିବାକୁ ନଗର ଉନ୍ନୟନ ବିଭାଗ ଘୋଷଣା କରିଥିଲା। ଏହାପରେ କିଛି ୱାର୍ଡ‌େର ୱାର୍ଡ ଅଫିସ୍ ନିର୍ମାଣ ହୋଇଥିଲା। ହେଲେ ବର୍ଷକ ମଧ୍ୟରେ ସବୁ ୱାର୍ଡ ଅଫିସ୍‌ ନିର୍ମାଣ କରିବାକୁ ଘୋଷଣା କରିଥିବା ନଗର ଉନ୍ନୟନ ବିଭାଗ ଅଧାରୁ ଅଧିକ ୱାର୍ଡ ଅଫିସ୍ ନିର୍ମାଣ କରିପାରିଲାନି। ଏହାବାଦ୍ ୩୪୨ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଶିଳାନ୍ୟାସ ହୋଇଥିଲେ ହେଁ ୨୦୦ରୁ ଅଧିକ ପ୍ଲାଣ୍ଟ ନିର୍ମାଣ ହୋଇନି। ଯେଉଁଥିପାଇଁ ନଗର ଉନ୍ନୟନ ବିଭାଗ ଏବେ ନୂଆ ପ୍ରକଳ୍ପ ଆରମ୍ଭ କରିବା ମୁଡ୍‌ରେ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର