ଆଜି ସ୍ୱାୟତ୍ତ ଶାସନ ଦିବସ : ଅମୃତ ସହରରେ ନାହାନ୍ତି ସ୍ଥାୟୀ ନିର୍ବାହୀ ଅଧିକାରୀ

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ରାଜ୍ୟରେ ୩ୟ ହେବା ଆଣିଛି ସଫଳତା
ବଢ଼ିଛି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଭାଗିଦାରୀତା
ପ୍ରତିଷ୍ଠା ହେବ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର୍
ଏବେ ବି ରହିଛି ପାର୍କିଂ ସ୍ଥାନର ଅଭାବ
କ୍ରମବର୍ଦ୍ଧିଶ୍ନୁ ଜନସଂଖ୍ୟା ଅନୁସାରେ ବିକାଶ ଧୀର
ଅମୃତ ଯୋଜନାରେ ଆଜି ଉଦ୍‌ଘାଟନ ହେବ ୨ ପାର୍କ

ବାରିପଦା : ରାଜ୍ୟର ଅନ୍ୟତମ ସର୍ବପୁରାତନ ବାରିପଦା ପୌରପାଳିକା ରାତି ପାହିଲେ ପାଳନ କରିବ ସ୍ୱାୟତ୍ତ ଶାସନ ଦିବସ। ୧୯୦୫ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏହି ପୌରପାଳିକାକୁ ପ୍ରତିଷ୍ଠା କରିଥିଲେ। ୨୮ ୱାର୍ଡ ବିଶିଷ୍ଟ ଏହି ପୌରପାଳିକାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ପ୍ରଥମ ଉପାଧ୍ୟକ୍ଷ। ମାତ୍ର ପରିତାପର ବିଷୟ ଏହାଯେ ଗତ ୫ବର୍ଷ ହେବ ଏଠାରେ ଜଣେ ହେଲେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେଉନାହାନ୍ତି। କାମଚଳା ନିର୍ବାହୀ ଅଧିକାରୀଙ୍କୁ ନେଇ ଚାଲିଛି ପୌରପରିଷଦ। ଯାହାକି ଏହି ପରିଷଦର ଗାରିମାକୁ କ୍ଷୂର୍ଣ୍ଣ କରୁଥିବା ମତପ୍ରକାଶ ପାଇଛି। ସମୟ ଅନୁସାରେ କ୍ରମଶଃ ବୃଦ୍ଧିପାଉଛି ଏହି ସହର। ବର୍ଦ୍ଧିତ ଜନସଂଖ୍ୟା ଅନୁସାରେ କିନ୍ତୁ ବିକାଶର ପ୍ରକ୍ରିୟା ଧୀର ବୋଲି ଅଭିଯୋଗ ହୁଏ। ସହରର ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥଳ ନଥିବାରୁ ଜନସାଧାରଣ ନାହିଁନଥିବା ହଇରାଣ ହେଉଛନ୍ତି। ଏହି କାରଣରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହାକି ବାରିପଦାର ଏକ ନିତ୍ୟ ନୈମିତିକ ସମସ୍ୟା ପାଲଟି ଗଲାଣି।

ସେହିପରି ତକତପୁର, ଦେବେନ୍ଦ୍ରପୁର, ରଘୁନାଥପୁର, ମୁର୍ଗାବାଡ଼ି ଆଦି ଅଞ୍ଚଳକୁ ବାରିପଦା ସହର କ୍ରମଶଃ ସମ୍ପ୍ରସାରିତ ହେଉଛି। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଖେଳପଡ଼ିଆ, କଲ୍ୟାଣମଣ୍ଡପ, ପାର୍କ, ଶ୍ମଶାନ ଆଦି ନିର୍ମାଣର ଆବଶ୍ୟକତା ଅନୁଭୁତ ହେଲାଣି। ୨୦ଟି ୱାର୍ଡ ଥିବା ବାରିପଦା ପୌରପରିଷଦ ୯୦ଦଶକରେ ୨୫ଟି ଏବଂ ପରବର୍ତ୍ତୀ ସମୟରେ ଆଉ ୩ଟି ବଢ଼ି ୱାର୍ଡ ସଂଖ୍ୟା ୨୮ରେ ପହଞ୍ଚିଛି। ତେବେ ନୂଆ କରି ହୋଇଥିବା ଏହି ୮ଟି ୱାର୍ଡରେ ଏଯାବତ ମୌଳିକ ସୁବିଧା ପହଞ୍ଚିପାରିନି। ନୂଆକରି ହୋଇଥିବା ଉକ୍ତ ୱାର୍ଡଗୁଡ଼ିକର ବିକାଶକୁ ଯେପରି ଅଗ୍ରାଧିକାର ଦେବା କଥା ସେପରି ହୋଇନଥିବା ଅଭିଯୋଗ ହୁଏ। ବାରିପଦା ସହରରେ କ୍ରୀଡ଼ାର ବିକାଶ ଏବଂ ପ୍ରଚାରପ୍ରସାର ନିମନ୍ତେ ବାରିପଦା ଷ୍ଟାଡିୟମ୍ ପରେ ମଧୁବନ ମିନି ଷ୍ଟାଡିୟମ୍ ରହିଛି। ମାତ୍ର ମଧୁବନ ମିନିଷ୍ଟାଡିୟମରେ କେବଳ ପାଚେରୀକୁ ଛାଡ଼ି ଅନେକ କିଛି ଅଧା ଅଧୁରା ହୋଇ ରହିଛି। ୱାକିଂ ଟ୍ରାକ୍, ଖେଳପଡ଼ିଆର ଉନ୍ନତୀକରଣ ନହେବା ଫଳରେ ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ପୌରପରିଷଦ ପକ୍ଷରୁ ଏହି ଷ୍ଟାଡିୟମର ରକ୍ଷଣାବେକ୍ଷଣ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ ପାଲଟିଯାଇଛି। ଗ୍ୟାଲେରୀ ନିର୍ମାଣରେ ହୋଇଥିବା ବୈଷୟିକ ତ୍ରୁଟି ଏବଂ ଅଦୂରଦର୍ଶିତା କାରଣରୁ ଉକ୍ତ ଷ୍ଟାଡିୟମରେ ଫୁଟବଲ ଖେଳ ମଧ୍ୟ ହୋଇପାରୁନାହିଁ।

ବାରିପଦା ପୌରାଞ୍ଚଳ ଅଧିନରେ ରାଜାରାଜୁଡ଼ା ଅମଳରୁ ରହିଆସିଥିବା ୯ଟି ବଡ଼ ଜଳାଶୟ(ବନ୍ଧ) ଏବଂ ୭ଟି କ୍ଷୁଦ୍ର ଜଳାଶୟ ଏବେବି ଅବହେଳିତ ହୋଇପଡ଼ିରହିଛି। ଏଗୁଡ଼ିକର ବିକାଶ ନେଇ ଯୋଜନା ରହିଥିଲେ ମଧ୍ୟ କେବଳ ଫଳକରେ ସୀମିତ ରହିଛି। ତେବେ ବାରିପଦା ପୌରପରିଷଦର ସାମଗ୍ରୀକ ବିକାଶ ନେଇ ପ୍ରଶାସନ ଗୁରୁତ୍ବର ସହିତ ବିଚାର କରିବା ଆବଶ୍ୟକ ବୋଲି ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି(ବାଦଲ) ପ୍ରକାଶ କରିଛନ୍ତି। ତେବେ ଅନେକ ସମସ୍ୟା ମଧ୍ୟରେ କିନ୍ତୁ ବାରିପଦା ପୌରପରିଷଦ ସ୍ବଚ୍ଛତା କ୍ଷେତ୍ରରେ କିନ୍ତୁ ସଫଳତା ହାସଲ କରିଛି। ଅମୃତ ସହର ମଧ୍ୟରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ ତାଲିକାରେ ବାରିପଦା ପୌରାଞ୍ଚଳ ରାଜ୍ୟରେ ୩ୟ ସ୍ଥାନ ହାସଲ କରିଛି। ସମଗ୍ର ଦେଶରେ ଏହା ୧୯୫ତମ ସ୍ଥାନରେ ରହି ସଫଳତା ଆଣିଛି। ସେହିପରି ବର୍ଯ୍ୟ ପରିଚାଳନ କ୍ଷେତ୍ରରେ ମଧ୍ୟ ବାରିପଦା ପୌରପରିଷଦ ବେଶ୍ ଅଗ୍ରଗତି ହାସଲ କରିଛି। ରଘୁନାଥପୁର ଏବଂ ମଧୁବନରେ ଏଯାବତ ଦୁଇଟି ଅଣୁ ଜୈବ ଖତ ପ୍ରସ୍ତୁତ କେନ୍ଦ୍ର (ଏମସିସି) ପ୍ରତିଷ୍ଠା ହୋଇ କାର୍ଯ୍ୟକାରୀ ହେଲାଣି। ସହରରେ ଏହିପରି ଆହୁରି ୪ଟି ଏମସିସି ପ୍ରତିଷ୍ଠା ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରିବା ଚୋପା, ବାସି ଖାଦ୍ୟ ଭଳି ଓଦା ବର୍ଯ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ଏଥିରୁ ଜୈବିକ ଖତ ପ୍ରସ୍ତୁତ କରାଯାଉଛି। ଯାହାକି କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ଉପଯୋଗ କରାଯିବ। ଏହି ଜୈବିକ ଖତ ବିକ୍ରୟରୁ ମିଳୁଥିବା ଅର୍ଥ ଏମସିସି ପରିଚାଳନା କରୁଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ଯିବ। ସେହିପରି ବାରିପଦାରେ ୬ଟି ଏମଆରଏଫସି (ମ୍ୟାଟେରିଆଲ ରିକଭରୀ ଫାସିଲିଟି ସେଣ୍ଟର) ମଧ୍ୟ ପ୍ରତିଷ୍ଠା କରାଯିବ। ଏବେ ଗୋଟିଏ ଏମଆରଏଫସି କାର୍ଯ୍ୟକାରୀ ହେଲାଣି। ପ୍ଲାଷ୍ଟିକ୍ ବର୍ଯ୍ୟ, ବିକ୍ରି ହେଉନଥିବା କାଚ ଭଳି କଠିନ ବର୍ଯ୍ୟକୁ ଏହା ମାଧ୍ୟରେ ପୃଥକୀକରଣ କରାଯିବ। ଏଗୁଡ଼ିକୁ ପୁନଃପ୍ରକ୍ରିୟାକରଣ ମାଧ୍ୟମରେ ଆଉଥରେ ବିକ୍ରି ଉପଯୋଗୀ କରାଯିବ। ସେହିପରି ପ୍ଲାଷ୍ଟିକ୍ ବର୍ଯ୍ୟକୁ ପ୍ରକ୍ରିୟାକରଣ କରାଯାଇ ଓସିଏଲ୍ ସିମେଣ୍ଟ୍ କାରଖାନାକୁ ଯୋଗାଇ ଦିଆଯିବ।

ନାରୀ ସଶକ୍ତିକରଣ ଦିଗରେ କିନ୍ତୁ ବାରିପଦା ପୌରପାଳିକାର ରହିଛି ମହତ୍ତ୍ବପୂର୍ଣ୍ଣ ଅବଦାନ। କାରଣ ଏମସିସି, ଏମଆରଏଫସି, ଅର୍ବାନ୍ ୱେଜ୍ ଏମ୍ଲୟମେଣ୍ଟ୍ ଇନିସିଏଟିଭ୍ ମାଧ୍ୟମରେ ସହରାଞ୍ଚଳରେ ହେଇଥିବା କର୍ମ ନିଯୁକ୍ତି ସୃଷ୍ଟି ଯୋଜନାକୁ ମଧ୍ୟ ମହିଳା ଏସ୍ଏଚଜିଗୁଡ଼ିକ ପରିଚାଳନା କରୁଛନ୍ତି। ଆଗାମୀ ଦିନରେ ବିଭିନ୍ନ ବସ୍ତିଗୁଡ଼ିକରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର୍ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏହାଦ୍ବାରା ବସ୍ତିବାସିନ୍ଦାଙ୍କୁ ସେମାନଙ୍କର ବିଭିନ୍ନ ରୋଜଗାର ସୃଷ୍ଟି ଭଳି କାର୍ଯ୍ୟ ନିମନ୍ତେ ସ୍ଥାନ ଯୋଗାଇଦିଆଯିବ। ଏମସିସି ଏବଂ ଏମଆରଏଫସି ଆଗାମୀ ଦିନରେ ବାରିପଦାକୁ ସ୍ୱଚ୍ଛତା ଦିଗରେ ଆହୁରି ଅଧିକ ଆଗକୁ ନେବ। ଦିନ ଆସିବ ସୃଷ୍ଟି ହେଉଥିବା ବର୍ଯ୍ୟ ରଖିବାକୁ ଆଉ ଜାଗା ନଥିବ। ପରବର୍ତ୍ତୀ ପିଢ଼ୀ ଏନେଇ ବହୁତ ହଇରାଣ ହେବେ। ତେଣୁ ବାରିପଦାକୁ ପରିଷ୍କାର ରଖିବାକୁ ଏହି ପ୍ରକଳ୍ପଗୁଡ଼ିକର ଉପଯୋଗିତା ବହୁତ ବେଶୀ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ବାରିପଦା ଉପଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ ପ୍ରକାଶ କରିଛନ୍ତି।

କୋଭିଡ୍ କଟକଣା କାରଣୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମ ନାହିଁ। ତେବେ ଅମୃତ ଯୋଜନାରେ ବାରିପଦା ସହରରେ ଲୋକମାନଙ୍କ ପାଇଁ ଦୁଇଟି ନୂଆ ପାର୍କର ଉଦ୍‌ଘାଟନ ହେବ ବୋଲି ଶ୍ରୀମତୀ ରେଡ୍ଡୀ ସୂଚନା ଦେଇଛନ୍ତି। ଷ୍ଟେସନ ବଜାର ଏବଂ ବାଗଡିହାରେ ହୋଇଥିବା ଦୁଇ ପାର୍କ ଉଦ୍‌ଘାଟିତ ହେବାର ସୂଚନା ମିଳିଛି। ତେବେ ଲଗାଣ ବର୍ଷା କାରଣରୁ ବାରିପଦାରେ ହୋଇଥିବା ଗତ ବନ୍ୟା କିନ୍ତୁ ପୌରପରିଷଦର ବିଫଳତାକୁ ପଦାରେ ପକାଇଛି। ପ୍ରସ୍ତୁତି ଅଭାବ ଏବଂ ସରକାରୀ ଯାଗାର ଅବରୋଧ ପାଇଁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଜଳ ନିଷ୍କାସନ ହେଉଥିବା ବିଭିନ୍ନ ନାଳକୁ ପୋତି କିଛି ମୁଷ୍ଟିମେୟ ବ୍ୟକ୍ତି ନିର୍ମାଣ କାର୍ଯ୍ୟ କରିଥିବାରୁ ଏହା ବାଧାପ୍ରାପ୍ତ ହେଉଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଶ୍ରୀମତୀ ରେଡ୍ଡୀ କହିଛନ୍ତି। ବାରିପଦାକୁ ଏକ ସରସ ସୁନ୍ଦର ସହର ଭାବେ ଗଢ଼ିତୋଳିବାର ସ୍ୱପ୍ନ ଦେଖାଇଥିଲା ପ୍ରଶାସନ। ଏହା ମଧ୍ୟରେ ନିର୍ବାଚିତ ଜନପ୍ରତିନିଧିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ପୌରପରିଷଦ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣରେ ଅଛି। ତେଣୁ ଏହି ପୌରାଞ୍ଚଳର ବିକାଶକୁ ପ୍ରଶାସନ ଅଗ୍ରାଧିକାର ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର