ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର‌ରେ ଅବ୍ୟବସ୍ଥା: ସୁଇପର କରୁଛନ୍ତି ହାଡ଼ଭଙ୍ଗା ଚିକିତ୍ସା!

ସିଡିଏମ୍‌ଓ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସଫେଇ କର୍ମଚାରୀ। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ୬ ମାସରୁ ଅଧିକ ସମୟ ଧରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତରଖାନାର ସୁଇପର୍‌।

ଗତକାଲି ବାଇକ୍‌ରୁ ପଡ଼ି ସ୍ଥାନୀୟ ସାରଣା ଗାଁର ବୃଦ୍ଧ ଗଣେଶ ମହାନ୍ତିଙ୍କ ହାତ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କ ପୁଅ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ। ଏକ୍ସରେ କରିବା ପରେ ଡାକ୍ତରଖାନାର କ୍ଷତ ବିଶୋଧନ ଗୃହରେ ଥିବା ସୁଇପର୍‌ ସୁବାସ ବିଶ୍ୱାସ ତାଙ୍କ ହାତ ପ୍ଲାଷ୍ଟର କରିବା ସହିତ ଖର୍ଚ୍ଚ ବାବଦକୁ ୫୦୦ ଟଙ୍କା ନେଇଥିଲେ ବୋଲି ଗଣେଶଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ କଥାକୁ ସୁଇପର ସୁବାସ ସ୍ବୀକାର ମଧ୍ୟ କରିଛନ୍ତି। ସେ କହିଛନ୍ତି, କର୍ମଚାରୀ ଅଭାବରୁ ମେଡିକାଲ ଅଫିସର ତାଙ୍କୁ ରୋଗୀ ଚିକିତ୍ସା କରିବାକୁ କହୁଛନ୍ତି। ମୁଁ କ’ଣ ବା କରିପାରିବି। ୫ ଶହ ଟଙ୍କା ଚିକିତ୍ସା ଜିନିଷ କିଣିବା ପାଇଁ ନେଇଥିଲି। ଅନ୍ୟପକ୍ଷରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ବିଷ୍ଣୁ ସାହୁ ସୁବାସଙ୍କୁ ଚିକିତ୍ସା କରିବାକୁ କହିନଥିବା ସ୍ପଷ୍ଟ କରିଛନ୍ତି। ଜଣେ ସୁଇପରଙ୍କୁ କିପରି ରୋଗୀ ଚିକିତ୍ସା କରିବାକୁ କୁହାଯିବ ବୋଲି ଡାକ୍ତର ସାହୁ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପାତ୍ର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା ସତ ହୋଇଥିବ ତେବେ ସୁଇପର ଓ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଏହି ଡାକ୍ତରଖାନାରେ ଜନୈକ ପ୍ରସୂତିଙ୍କଠାରୁ ଡାକ୍ତର ଲାଞ୍ଚ ନେବା, ବିଦ୍ୟୁତ ନ ଥିବାରୁ ମୋବାଇଲ ଟର୍ଚ୍ଚରେ ଅପରେସନ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ର। କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କେମିତି ଚାଲିଛି, ତାହା ଉପରୋକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର