କେନ୍ଦୁଝର/କୁଟୁଗାଁ : ଡାକ୍ତର ଆସିନଥିବାରୁ ସୁଇପର ହୋଇଗଲେ ଡାକ୍ତର। ରୋଗୀଙ୍କ ନାମ ପଞ୍ଜୀକରଣ ସହିତ ଔଷଧ ଦେବା ଏବଂ ବ୍ୟାଣ୍ଡେଜ୍ ଆଦି କରି କାମ ଚଳାଇ ଦେଲେ। ଖାଲି ସେତିକି ନୁହେଁ, ଦିନତମାମ ଯେତେ ରୋଗୀ ଆସିଲେ, ସୁଇପର ଜଣଙ୍କ ଯାହା ଜାଣିଥିଲେ ସମସ୍ତଙ୍କୁ ଔଷଧ ଦେଇ ବିଦା କରିଥିଲେ। ତେବେ ଦୁର୍ଭାଗ୍ୟକୁ ରୋଗୀଙ୍କ ମଧ୍ୟରୁ ଜଣେ ଚେତାଶୂନ୍ୟ ହେବା ପରେ କଥା ପଦାକୁ ଆସିଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଜାମୁଦାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଥିବା ଏହି ଘଟଣା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଏକ ଜ୍ୱଳନ୍ତ ଉଦାହରଣ।
ସୂଚନା ଅନୁସାରେ, ଜାମଦାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଣ୍ଟ, ଜଣେ ଏଏନ୍ଏମ୍ ଏବଂ ଜଣେ ସୁଇପର ନିଯୁକ୍ତ ଅଛନ୍ତି। ଗତ କିଛି ବର୍ଷ ହେଲା ଏଠାରେ ଏଏନ୍ଏମ୍, ଆଟେଣ୍ଡାଣ୍ଟ ପଦବି ଫାଙ୍କା ପଡିଥିବାବେଳେ ସ୍ଥାୟୀ ଡାକ୍ତର କେହି ନାହାନ୍ତି। ଏଥିପାଇଁ ବ୍ଲକ ମହକୁମାରେ ଥିବା ଡାକ୍ତର ଅଶୋକ କୁମାର ବେହେରାଙ୍କୁ ସପ୍ତାହକୁ ୪ ଦିନ ଏଠାକୁ ଆସିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ଆଜି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଆସିନଥିଲେ କି ଫାର୍ମାସିଷ୍ଟଙ୍କୁ ଦେଖିବାକୁ ମିଳିନଥିଲା। ଏଭଳି ପରିସ୍ଥିତିରେ ମଧ୍ୟାହ୍ନରେ ନିକଟସ୍ଥ ଗୁମୁରା ପଞ୍ଚାୟତ ସରାଶପଶି ଗ୍ରାମର ମଙ୍ଗୁଳ ଚରଣ ମହାନ୍ତଙ୍କ ପୁଅ ବିଶ୍ୱଜିତ୍ ମହାନ୍ତ (୭) ଚିକିତ୍ସିତ ହେବାକୁ ଡାକ୍ତରଖାନା ଆସିଥିଲେ। ଡାକ୍ତର କିମ୍ବା ଫାର୍ମାସିଷ୍ଟ ଉପସ୍ଥିତ ନ ଥିବାରୁ ସେଠାରେ ଉପସ୍ଥିତ ଥିବା ଡାକ୍ତରଖାନାର ସୁଇପର ସୁଦର୍ଶନ ଦାସ ପ୍ରଥମେ ରୋଗୀ ନାମ ପଞ୍ଜୀକରଣ କରି ଔଷଧ ଦେଇଥିଲେ ଏବଂ ପରେ ବିଶ୍ୱଜିତଙ୍କ ଗୋଡରେ ଡ୍ରେସିଂ କରିଥିଲେ। ତେବେ ଏହି ସମୟରେ କୌଣସି କାରଣରୁ ବିଶ୍ୱଜିତ୍ ଅଚେତ ହୋଇ ଯାଇଥିଲେ। ଅବଶ୍ୟ କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା। ଏହା ପରେ ଘଟଣାଟି ପ୍ରଘଟ ହୋଇଥିଲା।
ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ସୁଇପର ଜଣକ ନିୟମିତ ଭାବେ ରୋଗୀ ଚିକିତ୍ସା କରନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କବିନ୍ଦ୍ର ପ୍ରସାଦ ସାହୁଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଡାକ୍ତରଙ୍କ ଅନୁପସ୍ଥିତିରେ ଯଦି ସୁଇପର ଚିକିତ୍ସା କରିଥିଲେ ତାହା ଅତି ସାଂଘାତିକ କଥା। ତଦନ୍ତ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/jamdapal-1.jpg)