ବାରିପଦା: ମୟୂରଭଞ୍ଜର ଚାଷୀଙ୍କୁ ନୂଆ ଦିଶା ଦେଖାଇଛି ମିଠାଆଳୁ। ୨ ବର୍ଷ ପୂର୍ବେ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ ହୋଇଥିଲା। ଏହା ସଫଳ ହେବା ସହ ମିଠାଆଳୁର ଚାହିଦା ବଢ଼ିବାରୁ ଏଥିପ୍ରତି ଅଧିକ ଚାଷଙ୍କ ଆଗ୍ରହ ପ୍ରକାଶ ପାଉଛି। କେଶରୀ ଆଳୁ ଭାବେ ପରିଚିତ ମିଠାଆଳୁର ଦର ସାଧାରଣ ଆଳୁଠାରୁ ଅଧିକ। ତେବେ ଏହା ବେଶ୍‌ ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଦର ଅଧିକ ହୋଇଥିଲେ ବି ଲୋକମାନେ ଏହାକୁ କିଣିବାକୁ ପଛାଉ ନାହାନ୍ତି।

Advertisment

ମିସନ୍‌ ଜୀବିକା କାର୍ଯ୍ୟକ୍ରମ‌ ଜରିଆରେ ଏହି ମିଠାଆଳୁ ଚାଷ ପ୍ରଥମେ ସାରସକଣା ବ୍ଲକ୍‌ କିସାନପୁର ଓ କୁଲଡ଼ିଆ ଗାଁରେ ପରୀକ୍ଷା ମୂଳକ ଭାବେ ଗତବର୍ଷ ଆରମ୍ଭ କରାଯାଇଥିଲା। ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିହନ ଓ ସାର ବାବଦକୁ ୪୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା। ପ୍ରଥମ ବର୍ଷ ୮୦ ଜଣ ଚାଷୀ ପ୍ରାୟ ୪୦ ଏକର ଜାଗାରେ ଏହି ମିଠାଆଳୁ ଚାଷ କରିଥିଲେ। ଏକରରୁ ୩୦ କୁଇଣ୍ଟାଲ ମିଠାଆଳୁ ଉତ୍ପାଦନ ହୋଇଥିଲା ବେଳେ କୁଇଣ୍ଟାଲ ପିଛା ୨ ହଜାର ୩୦୦ ଟଙ୍କାରେ ବିକ୍ରି ମଧ୍ୟ ହୋଇଥିଲା। ସବୁ ଖର୍ଚ୍ଚବାର୍ଚ୍ଚ ଯାଇ ଚାଷୀମାନେ ଏକର ପିଛା ୪୦ ହଜାର ଟଙ୍କା ଲାଭ ପାଇଥିଲେ। ସ୍ଥାନୀୟ ବଜାରରେ ବିକ୍ରି ସହ ପଡ଼ୋଶୀ ବିହାର ଓ ଝାଡ଼ଖଣ୍ଡକୁ ମିଠାଆଳୁ ରତ୍ପାନୀ ହୋଇଥିଲା। ତେଣୁ ଚାଷୀମାନେ ଏଥର ଏହି ଚାଷ ପ୍ରତି ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ପ୍ରକାଶ କ‌ରିଛନ୍ତି।

ଚଳିତ ବର୍ଷ ଏହି ବ୍ଲକ୍‌ରେ ମୋଟ୍ ୬୫ ଏକର ଜମିରେ ମିଠାଆଳୁ ଚାଷ ହୋଇଥିଲା। ଚଳିତ ବର୍ଷ ଉତ୍ପାଦନ ପୂର୍ବ ଅପେକ୍ଷା ବଢ଼ିଛି ଓ ଏକର ପିଛା ୩୨ କୁଇଣ୍ଟାଲ ମିଠାଆଳୁ ଉତ୍ପାଦନ ହୋଇଛି। ସେହିପରି ଏଥର କୁଇଣ୍ଟାଲ ପିଛା ୨ ହଜାର ୮୦୦ ଟଙ୍କାରେ ବିକ୍ରି ହୋଇଛି ମିଠାଆଳୁ। ଏହି ଚାଷ କରି ଲାଭବାନ ହୋଇଥିବା ମଦନମୋହନ ଜେନା ଓ ଦ୍ରୌପଦୀ ମଲିକଙ୍କ କହିବା ଅନୁଯାୟୀ; ଏହି ଆଳୁକୁ କଞ୍ଚା ଖିଆଯାଏ। ଏଥିରେ ଭିଟାମିନ୍ ସି, ଡି, ଇ ରହିଛି। କେବଳ ଖରିଫ୍ ଋତୁରେ ଏହି ଚାଷ ହୋଇଥାଏ। ସାଧାରଣ ଆଳୁ ପରି ଏହି ମିଠାଆଳୁ ୩ ମାସରେ ଉତ୍ପାଦନ ହୋଇଥାଏ। ଏହି ମିଠାଆଳୁର ରୁଟି ମଧ୍ୟ ହୋଇପାରିବ। ଏଥି ନିମନ୍ତେ ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦେବା ଜରୁରୀ ବୋଲି କହନ୍ତି ଚାଷୀ। ମିସନ୍‌ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଚାଷୀଙ୍କୁ ସବୁପ୍ରକାର ସାହାଯ୍ୟ କରାଯାଉଛି ବୋଲି କହିଛନ୍ତି ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ। ଜିଲ୍ଲାର ଅନ୍ୟ ଯେଉଁ ବ୍ଲକର ଚାଷୀ ଏହି ଚାଷ କରିବାକୁ ଇଛୁକ ଥିବେ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି।