ପଟ୍ଟାଙ୍ଗୀ: କୋରାପୁଟିଆ କନ୍ଦମୂଳରେ ରହିଛି ପ୍ରଚୁର ମଲ୍ଟି ଭିଟାମିନ୍। କ୍ୟାନସର ଭଳି ଦୂରାରୋଗ୍ୟ ପାଇଁ ଏହା ଉପଯୋଗୀ। ହେଲେ ରାଣୀକନ୍ଦା ପାଇଁ ବଜାର କି ପ୍ରକିୟାକରଣ ବ୍ୟବସ୍ଥା ନାହିଁ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ବହୁଳ ଭାବେ କନ୍ଦମୂଳ ଚାଷ କରାଯାଇଥାଏ। ୩ରୁ ୪ମାସ ଭିତରେ ଫସଲ ଅମଳ ହୋଇପାରୁଥିବାରୁ ଏ ଚାଷ ପ୍ରତି ଆଦିବାସୀଙ୍କ ବିଶେଷ ଆଗ୍ରହ ରହିଛି। ଅଧିକ ସଂଖ୍ୟକ ଚାଷୀ ଏହି ଚାଷ କରୁଛନ୍ତି।
ତେବେ ବିକ୍ରି ଦର ନେଇ ଚାଷୀ ହତାଶ ହେଉଥିବାବେଳେ ବେପାରୀ ମାଲାମାଲ୍ ହେଉଛଡ଼୍ତି। କୋରାପୁଟିଆ ରାଣୀକନ୍ଦା ବା ଧଳା କନ୍ଦମୂଳ ଚାଷ ଅଧିକ ହେଉଥିବାରୁ କିଲୋଗ୍ରାମ ପିଛା ୬ ରୁ ୭ଟଙ୍କା ଚାଷୀ ପାଉଛନ୍ତି।
ଏବେ ଗବେଷଣା ପରେ ଭୂକ୍ରୀଷ୍ଣା, ଭୁସୁନା ଭଳି ନାଲି ଜୈବିକ କନ୍ଦମୂଳ ଚାଷ ପଟ୍ଟାଙ୍ଗୀ ଅଞ୍ଚଳରେ ଆରମ୍ଭ ହୋଇଛି। ଯାହାର ଚାହିଦା ଗୁଣବତ୍ତା ଏବଂ ଉପଯୋଗୀତା ପାଇଁ ଚାଷୀ ଲାଭବାନ ହେବେ। କିନ୍ତୁ ଦର କମି ଯାଇଥିବାରୁ ଚାଷୀ ହତାଶ ହେଉଛନ୍ତି। ଅନ୍ୟପଟେ ଶୀତଳ ଭଣ୍ଡାର ଅବା ପ୍ରକ୍ରିୟାକରଣ ବ୍ୟବସ୍ଥା ବି ନାହିଁ।
ତେଣୁ ଚାଷୀ କମ୍ ଦରରେ କନ୍ଦମୂଳ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଭୂବନେଶ୍ୱର ସ୍ଥିତ ସିଟିସିଆରଆଇ ଗବେଷଣା ସଂସ୍ଥା ଏବଂ ନାବାର୍ଡର ସହାୟତାରେ ଜିଲ୍ଲାର ପଟ୍ଟାଙ୍ଗୀ ଅଞ୍ଚଳରେ ଏନେଇ ପଦକ୍ଷେପ ଆରମ୍ଭ କରାଯାଇଛି। ସାଧାରଣତଃ ଭୂକ୍ରୀଷ୍ଣାରେ କ୍ୟାନସରକୁ ପ୍ରତିରୋଧ କରିବା ଭଳି ଶକ୍ତି ରହିଛି। ଏହା ସହ ଏଥିରେ ଡାଇବେଟିସ ରୋଗୀଙ୍କ ପାଇଁ ମହୋଷଧି ମଧ୍ୟ ରହିଥିବା କୁହାଯାଉଛି। ଏଥିରେ ପଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଓ ଷ୍ଟାର୍ଚ ଆଦି ରହିଛି। ପ୍ରକ୍ରିୟାକରଣ କରାଗଲା ପରେ ଏଥିରୁ ଚିପ୍ସ,ଲଡୁ,ପୁରୀ ଓ ରସଗୋଲା ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ। ବୈଜ୍ଞାନିକଙ୍କ ମତରେ ଯଦି ଚାଷୀ ଆଗାମୀ ଦିନରେ ଭୂକ୍ରୀଷ୍ଣା ଓ ଭୂସୁନାର ଚାଷ ଜୈବିକ ପଦ୍ଧତିରେ କରନ୍ତି ଚାଷୀ ଲାଭବାନ ହୋଇ ପାରିବେ। ଏହି ଅଞ୍ଚଳରୁ କନ୍ଦମୂଳକୁ କିଣି ନେଇ ବେପାରୀ ପଢୋଶୀ ରାଜ୍ୟରେ କିଲୋଗ୍ରାମ ପିଛା ୩୦ ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ଚାଷୀ ସୂଚନା ଦେଇଛନ୍ତି।
ପଟ୍ଟାଙ୍ଗୀରେ ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟ ରହିଛି ଓ ସେଠାରେ କନ୍ଦମୂଳ ନିମନ୍ତେ ଏକ ସ୍ୱତନ୍ତ୍ର ଗୋଦାମ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ଗୋଦାମ ଗୃହରେ ତାଲା ଝୁଲୁଥିବା ବେଳେ ବ୍ଲକ୍ରେ କେତେ ପରିମାଣରେ କନ୍ଦମୂଳ ଚାଷ ହେଉଛି ତାହାର ତଥ୍ୟ ମଧ୍ୟ ବିଭାଗ ପାଖରେ ନାହିଁ। କୋରାପୁଟ ଜିଲ୍ଲାରେ କଫି, ଅଦା, ଗୋଲମରିଚ, କଳାଜିରା ଓ କଳାବତି ଭଳି ଉତ୍ପାଦିତ ଦ୍ରବ୍ୟ ବିଶ୍ୱ ଦରବାରରେ ବେଶ ପରିଚିତ ହୋଇଥିବା ବେଳେ ଭୂକ୍ରୀଷ୍ଣା ଓ ଭୂସୁନା ଭଳି ଜୈବିକ କନ୍ଦମୂଳକୁ ଯଦି ସଠିକ ଭାବେ ଚାଷ କରାଯାଇ ଏହାର ଉପଯୁକ୍ତ ପ୍ରକ୍ରିୟାକରଣ ଓ ବଜାରୀକରଣ କରାଗଲେ ଚାଷୀ ବେଶ୍ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।
Koraput