ଭୁବନେଶ୍ୱର : କରୋନା ମାଡ଼ରେ ପ୍ରଭାବିତ ହୋଇଛି ଓଡ଼ିଶା ମିଠା ବଜାର। ଜିଆଇ ଟ୍ୟାଗ୍ ପାଇବା ପରେ ଲାଗୁଥିଲା ଓଡ଼ିଶାରେ ମିଠା ବେପାର ବୃଦ୍ଧି ପାଇବ। ତେବେ ମାସ କିଛିଟା ବିତିନି, କରୋନା ଯୋଗୁଁ ହୋଇଥିବା ଲକ୍ଡାଉନ୍ ସବୁ କିଛି ଉଜାଡ଼ି ଦେଇଛି। ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଏବେ ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। କେବଳ ମିଠା ବ୍ୟବସାୟୀ ନୁହନ୍ତି, ଏଥିସହ ଜଡ଼ିତ କ୍ଷୀର, ଛେନା ବ୍ୟବସାୟୀ ବି ପ୍ରତିଦିନ ହଜାର ହାଜର ଟଙ୍କାର କ୍ଷତି ସହୁଛନ୍ତି।
ଓଡ଼ିଶାର ସବୁଠାରୁ ବଡ଼ ମିଠା ବଜ଼ାର କୁହାଯାଉଥିବା ପାହାଳରେ ଶତାଧିକ ବ୍ୟବସାୟୀ ବ୍ୟବସାୟୀ ଓ କାରିଗର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ମିଠା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିଥିବା ପାହାଳ ମିଠା ବଜାର ମାସେ ହେଲା ଖାଁ ଖାଁ ହୋଇପଡ଼ିଛି। ବଜାରରେ ଥିବା ୧୧୦ ଦୋକାନ ଆଗରେ ବାଉଁଶ ତାଟି ପଡ଼ିଛି। କ୍ଷୀର, ଛେନା, କାଠ ବ୍ୟବସାୟୀ ଓ ମିଠା ତିଆରି କରୁଥିବା କାରିଗର ସମସ୍ତେ ଘରେ ବସିଛନ୍ତି। ପ୍ରତିଦିନ ୧୦ରୁ ୨୦ ହଜାର ଟଙ୍କାର ମିଠା ବ୍ୟବସାୟ କରୁଥିବା ବ୍ୟବସାୟୀ ଏବେ ଟଙ୍କାଟିଏ ବି ରୋଜଗାର କରିପାରୁ ନାହାନ୍ତି। ପ୍ରତିଦିନ ଏଠାରେ ଲକ୍ଷାଧିକ ଟଙ୍କା କ୍ଷତି ହେଉଥିବା ପାହାଳ ମିଠା ବଜାର ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ପାହାଳ ବ୍ୟତୀତ ରାଜ୍ୟର ଅନ୍ୟ ମିଠା ବଜ଼ାର ଯେମିତିକି ନିମାପଡାର ଛେନାଝିଲି, କେନ୍ଦ୍ରାପଡ଼ାର ରସାବଳୀ, ସାଲେପୁରର ରସଗୋଲା, ନୟାଗଡ଼ର ଛେନାପୋଡ଼ ବ୍ୟବସାୟ ବି ପ୍ରଭାବିତ ହୋଇଛି। ମାସେ ହେଲା ସାରା ରାଜ୍ୟରେ ଏମିତି ସ୍ଥିତି ଉପୁଜିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନି। ସବୁବର୍ଗର ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ ମଧ୍ୟ ଏହି ବ୍ୟବସାୟୀଙ୍କ ପାଇଁ ସେମିତି କିଛି ଘୋଷଣା କରାଯାଇ ନାହିଁ।
ବଡ଼ କଥା ହେଉଛି ଯେ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପଶ୍ଚିମବଙ୍ଗ ସହ ଲଢେ଼ଇ କରୁଥିବା ଓଡ଼ିଶା ସରକାର ଏବେ ପୁଣି ପଛରେ ପଡ଼ିଛନ୍ତି। ଏ କଥା କହିବାର କାରଣ ହେଉଛି ଯେ କରୋନା ପାଇଁ ସବୁ କିଛି ବନ୍ଦ ରହିବା ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ମିଠା ବ୍ୟବସାୟକୁ ପ୍ରାଥମିକତା ଦେଇଛନ୍ତି। ଲକଡାଉନ୍ ଭିତରେ ବି ମିଠା ଦୋକାନ ଖୋଲିବା ପାଇଁ ସେଠାକାର ସରକାର ଅନୁମତି ପ୍ରଦାନ କରିଛନ୍ତି। କୁହାଯାଇଛି ଯେ ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏ ମିଠା ଦୋକାନ ଖୋଲା ରହିବ। ୭ ଘଣ୍ଟା ପାଇଁ ମିଠା ବ୍ୟବସାୟ ହେବ। କୌଣସି ବି ଦୋକାନୀ ସେଠାରେ ମିଠା ଖାଇବାକୁ ଦେବେନି। କେବଳ ମିଠା ପ୍ୟାକେଟ୍ କରାଯାଇ ବିକ୍ରି ହୋଇପାରିବ। ଏଥିରେ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ନିହାତି ରହିବ। ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ମହାରାଷ୍ଟ୍ର ସରକାର ବି ମିଠା ବେପାର କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ତେଣୁ ଓଡ଼ିଶାରେ ବି ମିଠା ଦୋକାନ ଖୋଲିବାକୁ ଅନୁମତି ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ସାଲେପୁର ରସଗୋଲାର ପ୍ରୋପାଇଟର୍ ପ୍ରଶାନ୍ତ କୁମାର କରଙ୍କ କହିବାନୁଯାୟୀ, ବ୍ୟବସାୟୀମାନେ ନିଶ୍ଚିତ କ୍ଷତି ସହୁଛନ୍ତି। ଖାଲି ଯେ ଦୋକାନ ଖୋଲିଲେ ହେବନି, ମିଠା କିଣିବାକୁ ଗ୍ରାହକ ବି ଆସିବା ଦରକାର। ତେବେ ଦେଶ ତଥା ରାଜ୍ୟର ହିତକୁ ବି ଦେଖିବାକୁ ପଡ଼ିବ।
ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘ ସଭାପତି ବିମ୍ବାଧର ବେହେରା କହିଛନ୍ତି, ଯେତେବେଳେ କିଣିବା ଲୋକ ଥିବେ, ସେତେବେଳେ ଚାଷୀ ବିକ୍ରି କରିପାରିବେ। ଏହା କହିବାର କାରଣ ହେଉଛି ଯେ ରାଜ୍ୟ ସରକାର ଦୁଗ୍ଧ ବିକ୍ରି କରିବାକୁ ଅନୁମତି ଦେଲେ। ତେବେ ତାହାକୁ କିଣିବ କିଏ? ଏବେ ଓଡ଼ିଶାରେ ୧ ଲକ୍ଷ ୧୦ ହଜାରରୁ ଅଧିକ ମିଠା ବ୍ୟବସାୟୀ ଅଛନ୍ତି। ଅଧିକାଂଶ ଦୁଗ୍ଧଚାଷୀ ସେମାନଙ୍କୁ କ୍ଷୀର ବିକ୍ରି କରିଥାନ୍ତି। ଏବେ ଯେଉଁ ସ୍ଥିତି ମିଠା ଦୋକାନ ଖୋଲୁ ନଥିବାରୁ ଦୁଗ୍ଧ ଚାଷୀ ଉତ୍ପାଦିତ କ୍ଷୀର ବିକ୍ରି କରିପାରୁ ନାହାନ୍ତି। ହଇରାଣ ହେଉଛନ୍ତି। ଦୋକାନ ଖୋଲା ଯାଇନଥିବାରୁ ବ୍ୟବସାୟୀ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛନ୍ତି। ପନିପରିବା ଦୋକାନ, ଫଳ ଦୋକାନ, ଗ୍ୟାରେଜ୍, ତେଜରାତି ଦୋକାନ ଖୋଲିଛି। ମାଛ, ମାଂସ, ଅଣ୍ଡା ବି ବିକ୍ରି ହେଉଛି। ସାମାଜିକ ଦୂରତ୍ୱ ରଖାଯାଇ ଉପରୋକ୍ତ ବେପାର ହେଉଛି। ମିଠା ଦୋକାନ ଖୋଲା ଯିବାରେ ଅସୁବିଧା କୋଉଠି ବୋଲି ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି ଯେ ଇତିମଧ୍ୟରେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସରକାର ମିଠା ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ତେବେ ଓଡ଼ିଶାରେ ମିଠା ବ୍ୟବସାୟୀଙ୍କୁ କାହିଁକି ଅଣଦେଖା କରାଯାଉଛି।