ବୁର୍ଲା : ବୁର୍ଲା ପିଜି ଛକରେ ଥିବା ଜନସ୍ବାସ୍ଥ୍ୟ(ପିଏଚ୍ଡି) ବିଭାଗର ସବ୍ଡିଭିଜନ ଅଫିସରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନ ଦ୍ବିପହରରେ କାର୍ଯ୍ୟାଳୟ ଭିତରରେ ଖଣ୍ଡା ବୁଲିଛି। ତେବେ, ଏହି ଘଟଣାରେ ଜଣେ ଠିକାଦାରଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଠିକାଦାର ଆହତ ହୋଇଛନ୍ତି।
ପୁଲିସ୍ ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ବେଳକୁ ପ୍ରହଲ୍ଲାଦ ମହାନ୍ତି ନାମକ ଜଣେ ଠିକାଦାର କୌଣସି କାମରେ ପିଏଚ୍ଡ଼ି ଅଫିସକୁ ଯାଉଥିଲେ। ସେହିସମୟରେ ଅଫିସ୍ ସମ୍ମୁଖରେ ପଠାଣବନ୍ଧ ଅଞ୍ଚଳର ପ୍ରଶାନ୍ତ କଲେତ(୨୨) ନାମକ ଜଣେ ଯୁବକ ଥିଲେ। କୌଣସି କାରଣରୁ ପ୍ରଶାନ୍ତ ଓ ପ୍ରହଲ୍ଲାଦଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ, ପ୍ରହଲ୍ଲାଦ ସେଠାରେ ବେଶୀ ସମୟ ନରହିବା ଉଚିତ ନମଣି ଅଫିସ ଭିତରକୁ ଚାଲିଯାଇଥିଲେ। ତେବେ, କିଛିସମୟ ପରେ ପ୍ରଶାନ୍ତ ଏକ ଖଣ୍ଡା ଧରି ଅଫିସ ଭିତରକୁ ପଶି ଆସିଥିଲେ। । ଖଣ୍ଡା ଦେଖି କର୍ମଚାରୀମାନେ ଆତଙ୍କିତ ହୋଇଯାଇଥିଲେ। ପ୍ରହଲ୍ଲାଦଙ୍କୁ ଗାଳିଗୁଲଜ କରିବା ସହ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ପୂର୍ବରୁ ବିଦ୍ୟାଧର ଦାଶ ନାମକ ଅନ୍ୟଜଣେ ଠିକାଦାର ଅଫିସ ଭିତରେ ଥିଲେ। ପ୍ରହଲ୍ଲାଦଙ୍କୁ ବଞ୍ଚାଇବାକୁ ଯାଇ ପ୍ରଶାନ୍ତର ଖଣ୍ଡା ମାଡ଼ରେ ବିଦ୍ୟାଧରଙ୍କ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା। ବହୁ କଷ୍ଟରେ ପ୍ରଶାନ୍ତଙ୍କୁ କାବୁ କରାଯାଇଥିଲା।
ଘଟଣା ସଂକ୍ରାନ୍ତରେ ଖବର ପାଇ ବୁର୍ଲା ପୁଲିସ ସେଠାରେ ତୁରନ୍ତ ପହଂଚି ଥିଲା। ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଖମୟ ସରକାରଙ୍କ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିବା ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରିଛି। ସେହିପରି, ଆହତ ବିଦ୍ୟାଧରଙ୍କୁ ଭିମ୍ସାର୍ରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।