ପୁରୀ: ପ୍ରେମୀ ଯୁଗଳଙ୍କୁ କମେଣ୍ଟ୍‌ମରାକୁ ପ୍ରତିବାଦ କରିବାରୁ ଆଜି ଶରଧାବାଲି ସମ୍ମୁଖରେ ଖଣ୍ଡା ବୁଲିଛି। ପ୍ରତିଶୋଧ ନେବାକୁ ଯାଇ ଏଠାରେ ଥିବା ଖଜା ଦୋକାନରୁ ପ୍ରାୟ ୨୦ ହଜାର ଟଙ୍କାର ଖଜା ନଷ୍ଟ କରିଦେବା ସହ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ସମୟରେ ଖଜା ବ୍ୟବସାୟୀ ନ ଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଆଜି ଦିନତମାମ ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ଆଇଆଇସି ସୁଶାନ୍ତ ସାହୁ, ଏଏସ୍ଆଇ ଅଜିତ ବିଶ୍ବାଳ ଓ କନେଷ୍ଟବଳ ଅଭିଜିତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶେଷରେ ଖଣ୍ଡିଆବନ୍ଧ ଓ ମୁକୁନ୍ଦ ମିଶ୍ର ନଗରରୁ ତିନି ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ଠାରୁ ପୁଲିସ ଦୁଇଟି ଖଣ୍ଡା ଏବଂ ଓଡି-୧୩କେ-୩୫୩୩ ନମ୍ବର ବିଶିଷ୍ଟ ପଲସର ବାଇକ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ସୌମ୍ୟରଞ୍ଜନ ପାତ୍ର କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ୩୯୩/୩୫ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଅଟକ ରଖିଛି। 

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ସୂଚୀରଞ୍ଜନ ପାତ୍ର ତାଙ୍କ ବାନ୍ଧବୀଙ୍କ ସହିତ ଆଖଣ୍ଡଳମଣୀ ମନ୍ଦିର ପାଖରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ସେଠାରେ ପହଞ୍ଚି ଏହି ପ୍ରେମୀଯୁଗଳଙ୍କୁ କମେଣ୍ଟ୍‌ ମାରିଥିଲେ। ସୂଚୀରଞ୍ଜନ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅନ୍ୟପଟେ ସୂଚୀରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପାତ୍ରଙ୍କର ଏକ ଖଜା ଦୋକାନ ଶରଧାବାଲି ସମ୍ମୁଖରେ ରହିଛି। ଆଖଣ୍ଡଳମଣୀ ମନ୍ଦିର ନିକଟ ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ମୁକୁନ୍ଦ ମିଶ୍ର ନଗରର ଦୁଇ ଭାଇ ସମ୍ବିତ ମହାନ୍ତି, ଶାଶ୍ବତ ମହାନ୍ତି ଓ ସିଦ୍ଧମହାବୀର ଅଞ୍ଚଳର ବିଷ୍ଣୁ ମହାନ୍ତି ଶରଧାବାଲି ନିକଟକୁ ଏକ ବାଇକ୍‌ରେ ଆସି ସୌମ୍ୟରଞ୍ଜନଙ୍କୁ ଖୋଜିଥିଲେ। ସେ ବସ୍‌ଷ୍ଟାଣ୍ଡସ୍ଥିତ ଗଣେଶ ପେଣ୍ଡାଲ୍‌ ନିକଟକୁ ଯାଇଥିବାରୁ ଦୁର୍ବୃତ୍ତମାନେ ତାଙ୍କ ଖଜା ଦୋକାନକୁ ଖଣ୍ଡାରେ ହାଣି ଭାଙ୍ଗିଥିଲେ। ଦୋକାନରେ ଥିବା ପ୍ରାୟ ୨୦ ହଜାର ଟଙ୍କାର ଖଜା ନଷ୍ଟ କରିଦେଇଥିଲେ ଏବଂ ୫ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିଲେ। ତେବେ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟରୁ ସୌମ୍ୟରଞ୍ଜନ ବର୍ତ୍ତିଯାଇଥିଲେ। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ତତ୍‌କ୍ଷଣାତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମ୍ବିତ, ଶାଶ୍ବତ ଓ ବିଷ୍ଣୁକୁ ଧରିବାରେ ସକ୍ଷମ ହୋଇଥିଲେ। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।