ଆହୁରି କମିପାରେ ସିଲାବସ୍ : ସିବିଏସ୍‌ଇ, ସିଆଇଏସ୍‌ସିଇ ନିଷ୍ପତ୍ତିକୁ ରାଜ୍ୟର ଅପେକ୍ଷା

୭ ମାସ ହେଲା କ୍ଲାସ ରୁମ୍‌ ପାଠପଢ଼ା ପ୍ରଭାବିତ

ଭୁବନେଶ୍ୱର : ୭ ମାସ ହେଲା ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରୁନି। ଯେଉଁଥିପ‌ାଇଁ ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡ ଜୁଲାଇ ମାସରେ ଓ ରାଜ୍ୟ ସରକାର ଅଗଷ୍ଟ ମାସରେ ୩୦% ପ୍ରତିଶତ ସିଲାବସ୍‌ ହ୍ରାସ କରିବାକୁ ଘୋଷଣା କରିଥିଲେ। ଯଥାକ୍ରମେ ଅଗ‌ଷ୍ଟ ଓ ସେପ୍ଟେମ୍ବର ମାସରେ ଶିକ୍ଷାବର୍ଷ ଆରମ୍ଭକୁ ଦୃଷ୍ଟିରେ ରଖି ଉକ୍ତ ବୋର୍ଡଗୁଡ଼ିକ ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ଇତିମଧ୍ୟରେ ସେପ୍ଟେମ୍ବର ଯାଇ ଅକ୍ଟୋବର ଚାଲିଲାଣି। ତା’ପରେ ବି ସ୍କୁଲ, କଲେଜ ଖୋଲିପାରୁନି। ଫଳରେ, ସିଲାବସ୍‌ ଆହୁରି ବି କମିପାରେ ବୋଲି ଆଲୋଚନା ହେଉଛି।

କରୋନା ପାଇଁ ମୋଟ ଶିକ୍ଷାବର୍ଷର ଅଧା ସମୟ ପାଠପଢ଼ା ବନ୍ଦ ହେଲାଣି।ଅଗଷ୍ଟ ମାସରୁ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରଖି ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ସିଲାବସ୍‌କୁ ୭୦ ପ୍ରତିଶତକୁ କମାଇଥିଲେ। ତେବେ ଅଗଷ୍ଟ, ସେପ୍ଟେମ୍ବର ମାସରେ ପାଠପଢ଼ା ହୋଇପାରିଲା ନାହିଁ। ଅକ୍ଟୋବରରେ ବି ସମାନ ସ୍ଥିତି ଲାଗିରହିଛି। ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ରେ ପାଠ୍ୟକ୍ରମ ବୁଝିବାକୁ ସ୍କୁଲ ଆସୁଥିବା ୨୭ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ସ୍କୁଲ୍‌ ଖୋଲିବା ନେଇ ବି ସନ୍ଦେହ ପ୍ରକାଶ ପାଇଛି। ତେଣୁ ସିଲାବସ୍‌କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ଉଭୟ ବୋର୍ଡର ବରିଷ୍ଠ ଅଧିକାରୀମାନେ ଚିନ୍ତା କରୁଛନ୍ତି। ପୂର୍ବରୁ ବିଶେଷଜ୍ଞ କମିଟି ଦ୍ବାରା ସିଲାବସ୍‌କୁ ୫୦% ହ୍ରାସ କରାଯାଇ ପ୍ରସ୍ତୁତ ରଖାଯାଇଛି। ଯଦି ଆବଶ୍ୟକ ପଡ଼େ ତେବେ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବ। ତେବେ ସବୁ କିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଭୁବନେଶ୍ବରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ନିଷ୍ପତ୍ତିକୁ ରାଜ୍ୟ ସରକାର ଅପେକ୍ଷା କରି ରହିଛନ୍ତି। ଯଦି ଉକ୍ତ ଦୁଇ ବୋର୍ଡ ସିଲାବସ୍‌କୁ ଆହୁରି ହ୍ରାସ କରନ୍ତି ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଦିଗରେ ପଦକ୍ଷେପ ନେଇପାରେ। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମେ ସେ ବିଷୟରେ କିଛି ଚିନ୍ତା କରି ନାହୁଁ। ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ସ୍କୁଲ ‌ଖୋଲିବା ଉପରେ ପ୍ରାଥମିକତା ଦିଆଯାଉଛି। ନଭେମ୍ବରରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରବାକୁ ଲକ୍ଷ୍ୟ ରଖାଯାଇଛି। ପରିସ୍ଥିତିକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର