ବାଦ୍‌ ପଡ଼ିଲା ମୌଳିକ ଅଧିକାର ଓ କର୍ତ୍ତବ୍ୟ
ଜାତୀୟ କଂଗ୍ରେସର ପ୍ରାରମ୍ଭ କଟିଲା
ସ୍କୁଲକୁ ଜଣାଇବେ ଡିଇଓ, ବିଇଓ, ସିଆର୍‌ସିସି

Advertisment

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍‌ ୩୦ ପ୍ରତିଶତ କମିଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସିବିଏସ୍‌ଇ ବୋର୍ଡ ଆଧାରରେ ଓଡ଼ିଶା ସରକାର ମଧ୍ୟ ୩୦% କମାଇବା ସହ ଆଜି ସମ୍ପୂର୍ଣ୍ଣ ସିଲାବସ୍‌ ପ୍ରକାଶ କରିଛନ୍ତି। କେଉଁ ଶ୍ରେଣୀର କେଉଁ ବିଷୟଗୁଡ଼ିକୁ କଟାଯାଇଛି ତାହାର ତାଲିକା ୱେବ୍‌ସାଇଟରେ ଛଡ଼ା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ସିଆର୍‌ସିସି, ପ୍ରଧାନଶିକ୍ଷକମାନେ ଏନେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ସ୍କୁଲ କେବେ ଖୋଲିବ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୭ ମାସର ପାଠପଢ଼ାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରିବାକୁ ୩ଟି ବୋର୍ଡକୁ ଦାୟିତ୍ୱ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦକୁ ୯ମ ଓ ଦଶମ ଶ୍ରେଣୀ ସିଲାବସ୍‌ କମାଇବାକୁ କୁହାଯାଇଥିବା ବେଳେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଦାୟିତ୍ୱ ଏସସିଇଆରଟି, ଏକାଦଶ ଓ ଦ୍ୱାଦଶଶ୍ରେଣୀ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ମିଳିଥିଲା। ସମସ୍ତ ୩ଟି ଯାକ ବୋର୍ଡର ବିଶେଷଜ୍ଞ ଟିମ୍‌ ସିଲାବସ୍‌ ହ୍ରାସ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ। ଏହାପରେ ବିଭାଗ ଦ୍ଵାରା ଗଠିତ ବିଶେଷଜ୍ଞ ଟିମ୍‌ ବ୍ୟାପକ ମାନସମନ୍ଥନ କରିବା ପରେ ଛାତ୍ରଛାତ୍ରୀଙ୍କ ଲାଗି କମ ଗୁରୁତ୍ୱ ବହନ କରୁଥିବା ବିଷୟଗୁଡିକୁ କଟାଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ବିଷୟବସ୍ତୁ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହାବ୍ୟତୀତ ଭବିଷ୍ୟତରେ ସର୍ବଭାରତୀୟସ୍ତରରେ ହେବାକୁ ଥିବା ଜେଇଇ ଓ ନିଟ୍‌ ପରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆମ ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ମନ୍ତ୍ରୀଙ୍କ ଘୋଷଣା ପରେ ତିନୋଟି ଯାକ ବୋର୍ଡ ନିଜ ନିଜ ୱେବ୍‌ସାଇଟରେ ସଂଶୋଧିତ ସିଲାବସ୍‌ ପ୍ରକାଶ କରିଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ସାହିତ୍ୟ ବହିର ଦୁଇଟି ଲେଖାଏଁ ପଦ୍ୟ, ଗଦ୍ୟ, ଗୋଟିଏ ଲେଖାଏଁ ଗଳ୍ପ, ଏକାଙ୍କିକା, ବ୍ୟାକରଣ ହଟାଯାଇଛି। ପରିବେଶ ଓ ଜନସଂଖ୍ୟା ଶିକ୍ଷା ବିଷୟର ଶବ୍ଦ ପ୍ରଦୂଷଣ, ପରିବେଶ ପରିଚାଳନା, ଏଚଆଇଭି/ଏଡ୍‌ସ, ଡ୍ରଗ ଆବ୍ୟୁସ, ସୋସିଆଲ ସାଇନ୍ସ ବିଷୟରେ ଥିବା ରାଜନୀତି ବିଜ୍ଞାନର ଭାରତୀୟ ସ୍ୱାଧୀନତା ପରବର୍ତ୍ତୀ ରାଜ୍ୟ ପୁନର୍ଗଠନ, ଭାରତର ବୈଦେଶିକ ନୀତି, ଇତିହାସର ଦେଶୀୟ ରାଜ୍ୟମାନଙ୍କ ମିଶ୍ରଣ, ଗୋଆ ଓ ପୁଡୁଚେରୀ ମୁକ୍ତି ଆଦି ବିଷୟ ବାଦ ପଡ଼ିଛି। ଜେନେରାଲ ସାଇନ୍ସର ଧାତୁ ଓ ଅଧାତୁ, ବିଦ୍ୟୁତ୍‌ ସ୍ରୋତରେ ଚୁମ୍ବକୀୟ ପ୍ରଭାବ, ଶକ୍ତିର ଉତ୍ସ, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଆଦିକୁ ବାଦ ଦିଆଯାଇଛି। ୯ମ ଶ୍ରେଣୀର ଗଣିତ ବହିର ପରିସଂଖ୍ୟାନ, ରେଖା ଓ କୋଣ, ତ୍ରିଭୁଜମାନଙ୍କ ସର୍ବସମତା, ଚତୁର୍ଭୁଜ, କ୍ଷେତ୍ରଫଳ, ପରିମିତି, ଅଙ୍କନ ବିଷୟରୁ କିଛି କଟାଯାଇଛି। ଜୀବ ବିଜ୍ଞାନର ପ୍ରାକୃତିକ ସମ୍ପଦ ଓ ତାହାର ପ୍ରଦୂଷଣ, ରାଜନୀତି ବିଜ୍ଞାନର ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଓ ରାଷ୍ଟ୍ରନୀତି ନିୟାମକ ନିର୍ଦେଶାବଳୀ, ଭୂଗୋଳର ଜଳବାୟୁ ବିଷୟକୁ କାଟି ଦିଆଯାଇଛି।

ଏସସିଇଆରଟି ପକ୍ଷରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌ ପ୍ରକାଶ ପାଇଛି। ୪ ମାସର ପାଠପଢ଼ାକୁ କଟାଯାଇ ୭ ମାସ ଲାଗି କେଉଁ କେଉଁ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ସେନେଇ ଉଲ୍ଲେଖ ହୋଇଛି। ଷଷ୍ଠ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସକମାନଙ୍କ ଶାସନ କୁଶାଣ ରାଜତ୍ୱ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ଦ୍ଵିତୀୟ ଚନ୍ଦ୍ରଗୁପ୍ତ, ପଲ୍ଲବ ବଂଶ, ଚାଲୁକ୍ୟ ବଂଶ ଆଦି, ରାଜନୀତି ବିଜ୍ଞାନରେ ପରିବାର, ବଂଶ ବିଷୟକୁ ଆଦି କଟାଯାଇଛି। ୭ମ ଶ୍ରେଣୀ ଭୂଗୋଳ ବହିର ମାନବୀୟ ପରିବେଶ, ଜନବସତି, ପରିବହନ ଓ ଯୋଗାଯୋଗ, ଇତିହାସ ବହିର ମୋଗଲ ଶାସକମାନଙ୍କ ଅନ୍ୟ ଶାସକଙ୍କ ସହ ସମ୍ପର୍କ, ନୂତନ ଧର୍ମ ଓ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି ଆଦି କଟାଯାଇଛି। ତେବେ ୮ମ ଶ୍ରେଣୀ ଇତିହାସ ବହିର ଭାରତୀୟ ଜାତୀୟତାବାଦ ବିକାଶ ଠାରୁ ଭାରତୀୟ ଜାତୀୟ କଂଗ୍ରେସ ଯାଏଁ, ଜାତୀୟ କଂଗ୍ରେସର ପ୍ରାରମ୍ଭିକାଳୀନ ଅନ୍ୟାନ୍ୟ ଅଧିବେଶନ, ଭୂଗୋଳ ବହିର ଭୂ-ସମ୍ବଳ, ଜଳ ସମ୍ବଳ, ପ୍ରାକୃତିକ ଉଦ୍ଭିଦ ଓ ବନ୍ୟପ୍ରାଣୀ, ଖଣିଜ ଓ ଶକ୍ତି ସମ୍ବଳ ବିଷୟକୁ ବାଦ ଦିଆଯାଇଛି।