ଗୋଷ୍ଠୀ ସଂକ୍ରମଣ ସଂକେତ: ୨୪ ଘଣ୍ଟାରେ ୫ ଗୁଣା ବଢ଼ିଲା

ବରଗଡ଼: ବରଗଡ଼ ଜିଲ୍ଲାରେ କରୋନା ଡେଉଁଛି। ସ୍ଥିତି ଗୋଷ୍ଠୀ ସଂକ୍ରମଣ ଆଡ଼କୁ ସଂକେତ ଦେଉଛି। ମାତ୍ର ୨୪ ଘଣ୍ଟାରେ ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୫ଗୁଣା ତୀବ୍ର ରହିଛି।  ବର୍ଷର ପ୍ରଥମ ଦିନରେ ଜିଲ୍ଲାରେ ମାତ୍ର ୪ ଜଣ ସଂକ୍ରମଣ ମାମଲା ରହିଥିଲା। ୨ ତାରିଖରେ ୧୦ ଜଣ, ୩ ତାରିଖରେ ୫ ଜଣ, ୪ ତାରିଖରେ ୧୪ଜଣ, ୫ ତାରିଖ ୨୧ଜଣ, ୬ ତାରିଖରେ ୧୬ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ୭ ତାରିଖ ଏକାସାଂଗରେ ୭୫ ଜଣ  ଆକ୍ରାନ୍ତ ଚିହ୍ନଟ ହେବା ଉଦ୍‌ବେଗର କାରଣ ପାଲଟିଛି।

ବରଗଡ଼ ପୌରାଞ୍ଚଳରେ ସ୍ଥିତି ପୁଣି ବିଗିଡ଼ିବାକୁ ଲାଗିଛି। ପୌରାଞ୍ଚଳରେ ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୱାର୍ଡ ନମ୍ବର-୧ରୁ ୩ଜଣ, ୱାର୍ଡ ନମ୍ବର-୧୩ରୁ ୮ଜଣ, ୱାର୍ଡ ନମ୍ବର-୧୪ରୁ ୫ଜଣ, ୱାର୍ଡ ନମ୍ବର-୧୫ରୁ ୨ଜଣ, ୱାର୍ଡ ନମ୍ବର-୧୬,୧୭,୧,୮, ୨, ୩, ୪ ଓ ୧୧ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର-୧୯ ଓ ୫ରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବରଗଡ଼ ବ୍ଲକ୍‌ ସରଲା ଗାଁରୁ ୨୦ଜଣ ଆକ୍ରାନ୍ତ ଠାବ ହେବା ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି କରିଛି।  ଓମିକ୍ରନ ଯୋଗୁଁ ସାଂଘାତିକ ସ୍ଥିତି ସୃଷ୍ଟି ହେବନି ବୋଲି ପ୍ରଥମେ ବିଶେଷଜ୍ଞମାନେ କହୁଥିଲେ। ହେଲେ ଓମିକ୍ରନଜନିତ ମୃତ୍ୟୁ ମାମଲା ସାମନାକୁ ଆସିବା ଚିନ୍ତାର ବଢ଼ାଇଛି। ଏହିକ୍ରମରେ  ବରଗଡ଼  ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ସମସ୍ତ ସହର ବିଶେଷ କରି ବରଗଡ଼ ପୌରାଞ୍ଚଳ ମଧ୍ୟରେ ବ୍ୟାପକ ସଚେତନତା ପଦକ୍ଷେପ ନିଆଯାଇଛି।

ପୁଲିସ ପୃଥକ ପୃଥକ ଦଳରେ ବିଭାଜିତ ହୋଇ ସହରର ସମସ୍ତ ଦୋକାନ, ଦୈନିକ ବଜାର, ମଲ୍‌ ଗୁଡ଼ିକୁ ଯାଇ ସଚେତନତା ସୃଷ୍ଟି କରିବା ସହ ମାକ୍ସ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ  ସାନିଟାଇଜ୍‌ କରିବା ଆଦି ସୁରକ୍ଷା ବାର୍ତ୍ତା ଦେଉଛି।

ସମ୍ବନ୍ଧିତ ଖବର