ସାଇନ ଇଣ୍ଡିଆର ୪ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ

ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସ୍‌ କମିସନ୍‌

କଟକ: ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍‌ ସାଇନ୍‌ ଇଣ୍ଡିଆ ଗ୍ରୁପ୍‌ ସେମେତ ୧୫ଟି ଅର୍ଥ ଲଗାଣକାରୀ ସଂସ୍ଥାର ପ୍ରାୟ ୮ ହଜାର କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ସାଇନ ଇଣ୍ଡିଆ ଗ୍ରୁପର ସର୍ବାଧିକ ୪ ହଜାର ୧୩୫ ଜଣ କ୍ଷୁଦ୍ର ଜାମକାରୀ ରହିଥିବା ବେଳେ ସର୍ବୋଦୟ ଗ୍ରୁପ ଅଫ୍‌ କମ୍ପାନିଜର ୧୩୭୬ ଓ ସେଡିଲ ଡେଭଲେପମେଣ୍ଟ ଇଣ୍ଡିଆ ଗ୍ରୁପ୍‌ ଅଫ୍‌ କମ୍ପାନିଜର ୮୬୨ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କମିସନ୍‌ ଏହି ସବୁ ସଂସ୍ଥା ଗୁଡିକୁ ନୋଟିସ୍‌ ଜାରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ନୋଟିସ୍‌ ଜାରି ସତ୍ତ୍ୱେ ଏହି ସଂସ୍ଥାର ପଦାଧିକାରୀ ହାଜର ହୋଇ ନଥିଲେ। ଏହା ପରେ କମିସନ୍‌ ଖବର କାଗଜ ପ୍ରକାଶନ ମାଧ୍ୟମରେ ଏହି ସବୁ ସଂସ୍ଥାକୁ ନୋଟିସ୍‌ ଜାରି କରିଥିଲେ। ଏହା ସତ୍ୱେ ଏହି ସବୁ ସଂସ୍ଥାର ପଦାଧିକାରୀ ଶୁଣାଣି ସମୟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଏହି ସଂସ୍ଥା ଗୁଡିକ ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଦାବିକୁ କମିସନ ଗ୍ରହଣ କରି ସେମାନଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏ ସଂପର୍କରେ ଉଲ୍ଲେଖ କରାଯିବ ବୋଲି କମିସନଙ୍କ ପକ୍ଷରୁ ଜାରି ନୋଟିସରେ ସ୍ପଷ୍ଟ କରାଯାଇଛି। ଏଥି ସହିତ ଏହି ସଂସ୍ଥା ଗୁଡିକ ବିରୋଧରେ ଥିବା ଏନକ୍ୱାରି କେସର ଅନ୍ତ ଘଟିଛି।

ସମ୍ବନ୍ଧିତ ଖବର