ଲକ୍ଷଣ କହୁଛି ଦେଶରେ ଆବଶ୍ୟକ ଦ୍ବିତୀୟ କ୍ରାନ୍ତି: ‌ସୌମ୍ୟ

ଅଗଷ୍ଟ କ୍ରାନ୍ତି ସ୍ମୃତି ଦିବସରେ ୱେବିନାର

ଯେଉଁ ବିବିଧତା ଦିନେ ଗର୍ବ ଥିଲା ଆଜି ତାହା କ୍ଷତାକ୍ତ

ଭୁବନେଶ୍ବର : ଯେଉଁ ବିବିଧତା ଦିନେ ଦେଶ ପାଇଁ ଗର୍ବର ବିଷୟ ଥିଲା; ଏହାକୁ ଆଧାର କରି ମହାତ୍ମା ଗାନ୍ଧୀ ଇଂରେଜଙ୍କ ବିରୋଧରେ ଅଗଷ୍ଟ କ୍ରାନ୍ତିର ଆହ୍ବାନ ଦେଇଥିଲେ; ଆଜି ତାହା ଧର୍ମ, ଜାତି ନାମରେ କ୍ଷତାକ୍ତ ହୋଇ ପଡ଼ିଛି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ବ୍ୟବସ୍ଥାପକ, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟାଳୟ ଅବକ୍ଷୟ ହେବାକୁ ଲାଗିଲାଣି। ଗଣମାଧ୍ୟମ ମଧ୍ୟ କେବଳ ଶାସକ ବର୍ଗଙ୍କ କୋଳରେ ବସୁଥିବା ନେଇ ଅଭିଯୋଗ ହେଉଛି। ସର୍ବୋପରି ରାଜନୈତିକ ଦଳଗୁଡ଼ିକ ରାଜା ଭଳି ବ୍ୟବହାର କଲେଣି। ଏଭଳି ସ୍ଥିତିରେ ଭିନ୍ନ ଢଙ୍ଗରେ ଦ୍ବିତୀୟ କ୍ରାନ୍ତିର ଆବଶ୍ୟକତା ରହିଥିବା କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଅଗଷ୍ଟ କ୍ରାନ୍ତିର ସ୍ମୃତି ଦିବସ ଅବସରରେ ଦ୍ବିତୀୟ କ୍ରାନ୍ତିର ଆବଶ୍ୟକତା ନେଇ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଏକ ୱେବିନାରର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ମଧ୍ୟବିତ୍ତ ବୁଦ୍ଧିଜୀବୀଙ୍କ ନିରବତା ହିଁ ଆଜି ବଡ଼ ସମସ୍ୟା। ଦିନେ ଯେଉଁ ମଧ୍ୟବିତ୍ତ ବର୍ଗ ସୁଖ, ସ୍ବାଚ୍ଛନ୍ଦ ଏବଂ ପରିବାରକୁ ଛାଡ଼ି ‘ଭାରତ ଛାଡ଼’ ଆନ୍ଦୋଳନରେ ଭାଗ ନେଇଥିଲେ; ତାଙ୍କର ଉତ୍ତର ପିଢ଼ି କିନ୍ତୁ ଆଜି ନିରବ। ସବୁଠି ଦ୍ବନ୍ଦ୍ବ ଲାଗି ରହୁଛି। ଦେଶ ସ୍ବାଧୀନତା ପରେ ୧୯୭୫ ମସିହାରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସର୍ବବୃହତ ଧକ୍କା ଦେଇଥିଲା। ଆଜି ମଧ୍ୟ ଅଘୋଷିତ ଜରୁରୀକାଳୀନ ସ୍ଥିତି ଭଳି ଅବସ୍ଥା ହୋଇଥିବା କୁହାଯାଉଛି। ଦ୍ବିତୀୟ କ୍ରାନ୍ତିର ଆବଶ୍ୟକତାର ବଡ଼ ଲକ୍ଷଣ ହେଲା ଦାରିଦ୍ର୍ୟ। ୫ କେଜି ଚାଉଳ ବିତରଣ ଦାରିଦ୍ର୍ୟ ହଟାଇ ନପାରିବାର ସ୍ବୀକରୋକ୍ତି ଅଟେ। ଏହାକୁ ଶାସକ ବର୍ଗ ବିଜ୍ଞପିତ କରୁଛନ୍ତି; ଯାହାକି ଅତି ଦୁର୍ଭାଗ୍ୟଜନକ। ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଥିବା ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପକ ସଭା ବା ସଂସଦରେ ଆଲୋଚନା ହୋଇ ପାରୁନାହିଁ। ପଟ୍ଟ ବଦଳିବା ସହିତ ରାଜନୈତିକ ଦଳଙ୍କ ମତ ବଦଳି ଯାଉଛି। କାର୍ଯ୍ୟନିର୍ବାହୀ ବା ଅମଲାତନ୍ତ୍ର ଏଭଳି ଏକଛତ୍ରବାଦୀ ହେଲେଣି ଯେ ପଞ୍ଚାୟତିରାଜ ବ୍ୟବସ୍ଥା ଉପହାସ ପାଲଟିଛି। ନ୍ୟାୟପାଳିକା ଆଜି ଅନୁଷ୍ଠାନ ନୁହେଁ ବରଂ ବ୍ୟକ୍ତିକେନ୍ଦ୍ରୀକ ହୋଇପଡ଼ିଲାଣି। କିଛି ବର୍ଷ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟର ପ୍ରମୁଖ ବିଚାରପତିମାନେ ବିଚାର ବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ। ତେଣୁ ଏଭଳି ଏକ ସଂକଟ ସମୟରେ ଦେଶ ଘଟୁଥିବା ଅବକ୍ଷୟକୁ ରୋକିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଥିଲେ।

ଢେଙ୍କାନାଳ ସାଂସଦ ମହେଶ ସାହୁ କହିଲେ ଯେ ସ୍ବାଧୀନତା ପୂର୍ବରୁ ବିଦେଶୀ ଶକ୍ତିକୁ ହଟାଇବା ପାଇଁ ଯେଉଁ ଭାବନା ତିଆରି କରାଯାଇଥିଲା; ବର୍ତ୍ତମାନ ମଧ୍ୟ ଶୃଙ୍ଖଳା, ତ୍ୟାଗ ଏବଂ ସଙ୍କଳ୍ପ ଆଧାରରେ ସେହିଭଳି ସ୍ଥିତି ସୃଷ୍ଟି କରିବାକୁ ହେବ। ଦ୍ବିତୀୟ କ୍ରାନ୍ତି ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡ଼ିବ। ଏହି ଅବସରରେ ସେ ଡ୍ରିଙ୍କ୍ସ, ଡ୍ରଗ୍ସ ଏବଂ ଡିସ୍‌କୋକୁ ସମାଲୋଚନା କରିଥିଲେ। ୱେବିନାରରେ ବିଶ୍ବନାଥ ବେହେରା, ରାଜେନ୍ଦ୍ର ଦାସ, ରାଜକିଶୋର ବେହେରା, ତାରା ଶତପଥୀ, ସୁଚିତ୍ରା ସାହୁ, ସରୋଜ ଶତପଥୀ, ଅମରେନ୍ଦୁ ସାହୁ, ଅମ୍ବିକା ପ୍ରସାଦ ମିଶ୍ର, ପ୍ରଶାନ୍ତ ମିଶ୍ର, ମିଟୁନା ବେହେରା, ମନୋରଞ୍ଜନ ପାଲ, ଅବିନାଶ ସାହୁ, ସରୋଜ ମହାଲିକ ପ୍ରମୁଖ ନିଜ ମତ ଦେଇଥିଲେ। ଢେଙ୍କାନାଳ ସଚେତନ ନାଗରିକ ଫୋରମ ସମ୍ପାଦକ ଭାରତ ଦାସଙ୍କ ଆହ୍ବାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୁପ୍ତେଶ୍ବର ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର