ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସିଣ୍ଡିକେଟ୍ର ଜରୁରୀ ବୈଠକ ବସିଥିଲା। ସୁଧ ସହିତ ବକେୟା ଟଙ୍କା ଆଦାୟ ଓ ତାଙ୍କ ସମୟରେ ହୋଇଥିବା ସବୁ ପ୍ରଶାସନିକ ଓ ଆର୍ଥିକ ଅନିୟମିତତାର ଅଡିଟ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ, ଆର୍ଥିକ ଅନିୟମିତତାର ପ୍ରମାଣ ସତ୍ତ୍ବେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସଂଗରେ କୌଣସି ନିଷ୍ପତ୍ତି ନିଆନଯିବା ଆଲୋଡ଼ନ ସୃଷ୍ଟି କରିଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ପାଣ୍ଠି ଅର୍ଥ ଅନିୟମିତତା ପ୍ରସଂଗରେ ବିଶ୍ବବିଦ୍ୟାଳୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ କୁଳାଧିପତିଙ୍କ ଦପ୍ତରରୁ ପତ୍ର ଆସିବାର ଅନେକଦିନ ପରେ ଆଜି ସିଣ୍ଡିକେଟର ଜରୁରୀ ବୈଠକରେ ୩ଟି ପ୍ରସଂଗରେ ଆଲୋଚନା ହୋଇଥିଲା। ଏସ୍ଇସିଏଲ୍, ବିଲାସପୁର ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ ପାଇଁ ୨ଟି ପର୍ଯ୍ୟାୟରେ ୩୨,୪୩,୭୮୩ ଟଙ୍କା ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଦେଇଥିଲା। ପ୍ରଫେସର ସଂଜୀବ ମିତ୍ତଲ ଅନ୍ୟ କୌଣସି ପ୍ରଫେସରଙ୍କୁ ଏହାର ପିଆଇଓ ନରଖି ନିଜେ ଏହାର ପିଆଇଓ ରହିଥିଲେ। ଏହାପରେ ଯୋଜନାବଦ୍ଧ ଭାବେ ସେ ବ୍ୟାଙ୍କରେ ପିଆଇଓଙ୍କ ନାମରେ ଏକ ଆକାଉଣ୍ଟ ଖୋଲି ଉକ୍ତ ଅର୍ଥରାଶିକୁ ବିଶ୍ବବିଦ୍ୟାଳୟ ଆକାଉଣ୍ଟରୁ ସେହି ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲେ। ଆଉ ପରବର୍ତ୍ତୀ ସମୟରେ ସେ ବେଆଇନ ଭାବେ ତାଙ୍କ ପୁଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୫ ଲକ୍ଷ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ପଠେଇ ଥିଲେ। ତଦନ୍ତ ରିପୋର୍ଟରେ ଏହା ଧରାପଡ଼ିବା ପରେ ସେ ଦୁଇଟି ପର୍ଯ୍ୟାୟରେ ୨୯ ଲକ୍ଷ ଟଙ୍କା ଫେରାଇଥିଲେ। ତେବେ, ସେ ଚାକିରିରୁ ଇସ୍ତଫା ଦେବାପରେ ବି ଏପର୍ଯ୍ୟନ୍ତ ପିଆଇଓ ଆକାଉଣ୍ଟରେ ଥିବା ୩,୪୩,୭୮୩ ଟଙ୍କା ବିଶ୍ବବିଦ୍ୟାଳୟକୁ ଫେରସ୍ତ କରିନାହାନ୍ତି। ତେଣୁ, ଟଙ୍କା ଫେରସ୍ତ ଦିନ ସୁଦ୍ଧା ସୁଧ ସହିତ ସେହି ୨୯ ଲକ୍ଷ ଟଙ୍କା ଏବଂ ୩,୪୩,୭୮୩ ଟଙ୍କା ବିଶ୍ବବିଦ୍ୟାଳୟକୁ ଫେରସ୍ତ କରିବାକୁ ପ୍ରଫେସର ମିତ୍ତଲଙ୍କୁ ଚିଠି ଲେଖାଯିବ ବୋଲି ସିଣ୍ଡିକେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସେହିପରି ପ୍ରଫେସର ମିତ୍ତଲ କୁଳପତି ଭାବେ ଯୋଗଦେବା ଦିନ ୨୫ ଜାନୁଆରି ୨୦୨୧ରୁ ଇସ୍ତଫା ଦେବା ଦିନ ୨୮ ଅଗଷ୍ଟ ୨୦୨୨ ମଧ୍ୟରେ ହୋଇଥିବା ଆର୍ଥିକ ଓ ପ୍ରଶାସନିକ ଅନିୟମିତତାର ଲୋକାଲ୍ ଫଣ୍ଡ ଅଡିଟ୍ ଦ୍ବାରା ଅଡିଟ୍ କରାଇବା ଏବଂ ଏକ ମାସ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ ସ୍ବତନ୍ତ୍ର ଭାବେ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଛି।ସେହିପରି ୩୧ତମ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ଯୋଗାଇଥିବା ସଂସ୍ଥାକୁ ପଦକ ତିଆରି ପାଇଁ ଦିଆଯାଇଥିବା ଅଗ୍ରିମ ଟଙ୍କା ଚିଠି ପାଇବାର ୧୫ଦିନ ମଧ୍ୟରେ ଫେରସ୍ତ କରିବାକୁ ଚିଠି ଲେଖିବାକୁ ସ୍ଥିର କରାଯାଇଛି। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ସାହୁ, ଆଂଚଳିକ ଶିକ୍ଷା ନିର୍ଦ୍ଦେଶିକା ଡ. ପ୍ରଭାବତୀ ଗୁରୁଙ୍କ ସହିତ ୨୧ ଜଣ ସଦସ୍ୟ ସିଣ୍ଡିକେଟ ଉପସ୍ଥିତ ଥିଲେ।